ଟ୍ରେନ୍ ଧକ୍କାରେ ହାତୀ ମୃତ

ଢେଙ୍କାନାଳ/ଓଡ଼ାପଡ଼ା : ସଦର ରେଞ୍ଜ କାଉଁରିଆପାଳ କଇଁଥପୋଲିଆ ନିକଟରେ ଆଜି ଭୋର ପ୍ରାୟ ୪ଟାବେଳେ ଏକ ମାଲ୍‌ବାହୀ ଟ୍ରେନ୍ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତହାତୀର ବ୍ୟବଚ୍ଛେଦ କରାଇଛନ୍ତି ।

ଭୋରରେ ବାହ୍ମଣୀ ନଦୀ ପାର ହୋଇ ଏକ ହାତୀପଲ କଇଁଥପୋଲିଆ ନିକଟରେ ରେଳ ଲାଇନ୍ ପାରିହେଉଥିଲେ। ପଲରେ ଏକ ଦନ୍ତାହାତୀ ସହ ୭/୮ଟି ହାତୀ ଥିଲେ । ଏହି ସମୟରେ ଢେଙ୍କାନାଳ ଆଡ଼ୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ମାଲ୍‌ବାହୀ ଟ୍ରେନ୍ ରେଳଧାରଣା ପାରି ହେଉଥିବା ଏକ ମାଈହାତୀକୁ ଧକ୍କା ଦେଇଥିଲା। ହାତୀଟି ଦୂରକୁ ଛିଟିକି ପଡି ପ୍ରାଣ ହରାଇଥିଲା। ଘଟଣା ସ୍ଥଳରେ ସଦର ରେଞ୍ଜ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିଲେ। ମୃତ ହାତୀର ବୟସ ୨୫ ବର୍ଷରୁ ଅଧିକ ହେବ ବୋଲି ରେଞ୍ଜ ଅଧିକାରୀ ଅନୱାର ଖାଁ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ, ଗତ ଫେବ୍ରୁଆରି ମାସରେ ଦାଣ୍ଡିମାଳ ଷ୍ଟେସନଠାରେ ଟ୍ରେନ୍‌ ଧକ୍‌କାରେ ଏକ ହାତୀର ମୃତ୍ୟୁ ଘଟିଥିଲା। ଟ୍ରେନ୍‌ ଧକ୍‌କା ଓ ବିଦ୍ୟୁତ୍‌ ଆଘାତରେ ହାତୀଙ୍କର ମୃତ୍ୟୁ ଘଟୁଥିବାବେଳେ ହାତୀଙ୍କ ଉପଦ୍ରବରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ଏହାର ସ୍ଥାୟୀ ପ୍ରତିକାର କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର