ପରିବେଶ ସଂକ୍ରାନ୍ତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକ : ଆଇନ ଖିଲାପକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ କରିଛ ଜଣାଅ – ବାଚସ୍ପତି

୫ଟି ସବ୍‌କମିଟି ଗଠନ

ଭୁବନେଶ୍ବର : ପ୍ରଦୂଷଣ ଯୋଗୁଁ ରାଜ୍ୟରେ ନଦୀ ଓ ନାଳ ପାଣି ବିଷାକ୍ତ ହେଲାଣି। ଦିନକୁ ଦିନ ସହରାଞ୍ଚଳ ଆବର୍ଜନା ଯୋଗୁଁ ପରିବେଶ ଦୂଷିତ ହୋଇ ଚା‌ଲିଛି। ପରିବେଶ ଆଇନ ଉଲ୍ଲଂଘନ କରିଥିବା ଶିଳ୍ପ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଜି ପରିବେଶ ସଂକ୍ରାନ୍ତ ବିଧାନସଭା ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିକାରୀମାନଙ୍କୁ ଗୁଡ଼ାଇତୁଡ଼ାଇ ଏପରି ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି। ପରିବେଶ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ୫ଟି ସବକମିଟି ଗଠନ କରାଯାଇଛି।

ସୋମବାର ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବାଚସ୍ପତି ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବେଶ ସଂକ୍ରାନ୍ତ ଗୃହ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟତଃ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟବସ୍ତୁ ପରିଚାଳନା ସମେତ ପରିବେଶ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାକୃତିକ ଦୁର୍ବିପାକରେ ନଷ୍ଟ ହୋଇଥିବା ଜଙ୍ଗଲ ସମ୍ପଦର ପୁନରୁଦ୍ଧାର ପାଇଁ କଣ ପଦକ୍ଷେପ ନିଆଯାଇଛି। ପରିବେଶ ସନ୍ତୁଳନ ପାଇଁ ଏବେସୁଦ୍ଧା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେତେ ବୃକ୍ଷରୋପଣ କରାଯାଇଛି। ପରିବେଶ ଆଇନ ଖିଲାପ କରି ବିଷାକ୍ତ ତରଳ ପଦାର୍ଥ ଓ ଧୂଆଁ ଛାଡ଼ୁଥିବା କେତୋଟି ଶିଳ୍ପ ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇଛି ସେ ନେଇ ବାଚସ୍ପତି ଅଧିକାରୀମାନଙ୍କୁ ହିସାବ ମାଗିଥିଲେ। ଏହା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଉତ୍ସ ଓ ରାସ୍ତାଘାଟରେ ପ୍ରଦୂଷଣ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ କମିଟିର ପରବର୍ତ୍ତୀ ବୈଠକରେ ତଥ୍ୟ ରଖିବାକୁ ଅଧିକାରୀମାନଙ୍କୁ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଗୃହ କମିଟିର ନିଷ୍ପତ୍ତି ଅନୁଯାୟୀ ପରିବେଶ ପ୍ରଦୂଷଣ ସଂକ୍ରାନ୍ତ ଅନୁଧ୍ୟାନ କରିବାକୁ ମୁଖ୍ୟ କମିଟି ଅଧୀନରେ ୫ଟି ସବ୍‌କମିଟି ଗଠନ କରାଯାଇଛି। ୩ଟି ସବ୍‌କମିଟି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ପରିବେଶ ପ୍ରଦୂଷଣ ସମ୍ପର୍କରେ ରିପୋର୍ଟ ମୁଖ୍ୟ କମିଟିକୁ ବିଚାର ନିମନ୍ତେ ପ୍ରଦାନ କରିବେ। ଚତୁର୍ଥ ସବ୍‌କମିଟି ଗୃହକୁ ଏବେସୁଦ୍ଧା ପ୍ରଦାନ କରାଯାଇଥିବା କାର୍ଯ୍ୟାନ୍ବୟନ ରିପୋର୍ଟଗୁଡ଼ିକୁ ତର୍ଜମା କରିବେ। ପଞ୍ଚମ ସବ୍‌କମିଟି ପରିବେଶ ସୁରକ୍ଷା ନିମନ୍ତେ ନିୟମ, ଆଇନ ଓ ନିର୍ଦ୍ଦେଶ ସମ୍ପର୍କରେ ପ୍ରସ୍ତାବ ଦେବାକୁ ସ୍ଥିର କରାଯାଇଛି।

ବୈଠକରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସରକାରୀ ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ, ବିଜେପି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ବଦ୍ରିନାରାୟଣ ପାତ୍ର, ପ୍ରଦୀପ କୁମାର ପାଣିଗ୍ରାହୀ, ବିଷ୍ଣୁ ଚରଣ ଦାସ, ସୁଶାନ୍ତ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ସଞ୍ଜୀବ କୁମାର ମଲ୍ଲିକ, ସୁବାସ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ରାଉତ, ବିରୋଧୀଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମାଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର