ଗୋଷ୍ଠୀ ସଂକ୍ରମଣ ଦିଗରେ ମୟୂରଭଞ୍ଜ! ପ୍ରଥମ କରି ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବାରିପଦା: ମୟୂରଭଞ୍ଜରେ କରୋନା ଗୋଷ୍ଠୀ ସଂକ୍ରମଣ ଦିଗ‌କୁ ଗତି କରୁଥିବାର ତଥ୍ୟ ଆସିବାରେ ଲାଗିଛି। ଲଗାତର ୨ୟ ଦିନରେ ଆଜି ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ମାତ୍ର ଏହି ୧୩ଜଣଙ୍କ ମଧ୍ୟରୁ ପ୍ରଥମ କରି ସଙ୍ଗରୋଧ କେନ୍ଦ୍ର ବ‌ାହାରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛି। ଯାହାକି ଚିନ୍ତାର କାରଣ ପାଲଟିଛି। କାରଣ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ବାହାରୁଥିବା ଆକ୍ରାନ୍ତମାନେ ସଙ୍ଗରୋଧ କେନ୍ଦ୍ର କିମ୍ବା ହୋମ୍‌ କ୍ବାରାଣ୍ଟିନ୍‌ରୁ ବାହାରୁଥିଲେ। ମାତ୍ର ଆଜି ଗୋଟିଏ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛି। ଏନେଇ କଣ୍ଟାକ୍ଟ୍‌ ଟ୍ରେସିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି। କିପରି ସଙ୍ଗରୋଧ କେନ୍ଦ୍ର ବାହାରକୁ କରୋନା ଗଲା ସେନେଇ ଆରମ୍ଭ ହୋଇଛି ପ୍ରଶାସନିକ ତନାଘନା। ତେବେ ଏହା ମଧ୍ୟରେ ଜୁନ୍‌ ମା‌ସରେ ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଏହା ସହିତ ସାମାଜିକ ଦୂରତାକୁ କଡ଼ାକଡ଼ି ନିଜନିଜ କ୍ଷେତ୍ରରେ ପାଳନ କରିବାକୁ ସେ ଆହ୍ବାନ କରିଛନ୍ତି। ଏହି ମାସଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ବିଶେଷ କାମ ନଥିଲେ ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ବାନ କରିଛନ୍ତି। ଜିଲ୍ଲାରେ ଶତକ ଦିଗରେ ଧୀରେ ଧୀରେ ଅଗ୍ରସର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଓ ଆଜିକୁ ମିଶାଇ ୩୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ସେହିପରି ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଡିସ୍‌ଚାର୍ଯ ହୋଇଛନ୍ତି।  ଆଜିର ଆକ୍ରାନ୍ତମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୬ ଜଣ ହୋମ୍ କ୍ୱାରାଣ୍ଟିନ୍‌ ଏବଂ ଗୋଟିଏ ଲୋକାଲ୍‌ କେସ୍‌ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ଶୁଳିଆପଦା ବ୍ଲକ୍‌ରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(୪ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା), ସେହିପରି ନୂତନ ଭାବେ ବହଳଦା ବ୍ଲକ୍‌ରୁ ଚିହ୍ନଟ ଦୁଇଜଣଙ୍କ ମଧ୍ୟରୁ ଜଣେ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଅନ୍ୟଟି ବ୍ଲକ୍‌ର ସଶୋ ଗ୍ରାମପଞ୍ଚାୟତରୁ ଲୋକାଲ୍‌ କେସ୍‌ ରହିଛି। ସେହିପରି ଯଶୀପୁର ବ୍ଲକ୍‌ରୁ ସରକାରୀ ସଙ୍ଗରୋଧ ସମୟ ସମାପ୍ତ କରି ହୋମ୍‌ କ୍ବାରାଣ୍ଟିନ୍‌ରେଥିବା ୬ ଜଣ ତାମିଲନାଡ଼ୁ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ରହିଥିବାବେଳେ ୧୬ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଯ୍ୟ ହୋଇଛନ୍ତି। ଜିଲ୍ଲାରେ ୫୪ଟି ଆକ୍ଟିଭ୍‌ କେସ୍‌ ରହିଛି। ଆଜି ଜିଲ୍ଲାରେ ନୂତନ ଭାବେ ଚିହ୍ନଟ ହୋଇଥିବା ବହଳଦା ବ୍ଲକକୁ ମିଶାଇ ଜିଲ୍ଲାରେ ୧୧ଟି ବ୍ଲକ ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଛି ।

 

ସମ୍ବନ୍ଧିତ ଖବର