ସୋସିଆଲ୍‌ ମିଡିଆରେ ଜିଲ୍ଲା ବିଜୁ ଛାତ୍ର ଜନତା ସଭାପତିଙ୍କ ଫଟୋକୁ କଦର୍ଥ କରି ପୋଷ୍ଟ, ଥାନାରେ ମାମଲା ରୁଜୁ

ଅଭିଯୁକ୍ତଙ୍କ ବ‌ିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପୁଲିସ୍‌

ବାରିପଦା: ମୟୂରଭଞ୍ଜ ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ ନାୟକଙ୍କ ଆପତ୍ତିଜନକ ଫଟୋ ସାମାଜିକ ଗଣମାଧ୍ୟମ(‌ଫେସ୍‌ବୁକ)ରେ ଭାଇରାଲକୁ ନେଇ ବାରିପଦାର ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ନାୟକଙ୍କ ଅଭିଯୋଗ ଅନୁସାରେ ସାମାଜିକ ଗଣମାଧ୍ୟମ ଫେସବୁକରେ ରାଜନୀତି ଚର୍ଚ୍ଚା, ବିଜେପି ଟୋକା ହିନ୍ଦୁସ୍ଥାନୀ ଏବଂ ମୋରଡ଼ା ବିଜେପି, ମୟୂରଭଞ୍ଜ ଓ ଆମ ମୟୂରଭଞ୍ଜ ବାରିପଦା ଗ୍ରୁପ ନାମରେ ଥିବା ଫେସବୁକ ଆଇଡିରେ ତାଙ୍କର ଏକ ଫଟୋକୁ ଅତ୍ୟନ୍ତ କଦର୍ଥ ଆକାରରେ ପରିବେଷଣ କରି ଗତ ମାସ ୨୫ରେ ପୋଷ୍ଟ ହୋଇଛି। ଏହାର ୩ ଦିନ ପରେ ସୁନୀଲ ନିଜ ଫେସବୁକ ଆଇଡିରୁ ଏସମ୍ପର୍କରେ ଜାଣିବାକୁ ପାଇଥିଲେ। ନିଜର ବ୍ୟକ୍ତିଗତ ଫଟୋକୁ ଅଯଥାରେ ବିବାଦୀୟ ଏବଂ କଦର୍ଥ ମନ୍ତବ୍ୟ ଦେଇ ପୋଷ୍ଟ କରାଯାଇଥିବାରୁ ତାଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନ ସହ ତାଙ୍କ ପରିବାରର ସମ୍ମାନକୁ ସାମାଜିକସ୍ତରରେ କ୍ଷୁର୍ଣ୍ଣ କରିଥିବା ସୁନୀଲ ଅଭିଯୋଗରେ ଦର୍ଶାଇଛନ୍ତି।

ଛାତ୍ର ବିଜେଡି ସଭାପତି ଭାବେ ତାଙ୍କର ଥିବା ରାଜନୈତିକ ଓ ପାରିବାରିକ ସମ୍ପର୍କକୁ ହାନୀ ପହଞ୍ଚାଇବା ନିମନ୍ତେ ଏହା ଏକ ସୁଚିନ୍ତିତ ହୀନ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏପରି କିମ୍ଭୁତକିମ୍ଭାକାର ପୋଷ୍ଟ ଦେଖିବା ପରେ ମାନସିକସ୍ତରରେ ଗଭୀର ଆଘାତ ପାଇଛନ୍ତି। ତେଣୁ ଉକ୍ତ ଆପତ୍ତିଜନ ପୋଷ୍ଟ ଉପରେ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶ୍ରୀ ନାୟକ ଦାବି କରିଥିବାର ଜଣାପଡ଼ିଛି ।

ଏନେଇ ତଦନ୍ତ ଜାରି ରହିଛି ଏବଂ ଏପରି ‌ସମ୍ମାନହାନୀ ଭଳି ପୋଷ୍ଟ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ସୋସିଆଲ୍‌ ମିଡିଆରେ ଅଯଥାରେ ଜଣଙ୍କ ବ୍ୟକ୍ତିଗତ ପ୍ରତିଷ୍ଠାକୁ ହାନୀ କରୁଥିବା ଭଳି ପୋଷ୍ଟ କରିବା ଆଇନଗତ ଭାବେ ଦଣ୍ଡନୀୟ ବୋଲି ବରିଷ୍ଠ ଆଇନଜୀବୀମାନେ ପ୍ରକାଶ କରିଛନ୍ତି। ଆଜିକାଲି ଅନେକ ଲୋକ ନିଜର ଶସ୍ତା ଆତ୍ମପ୍ରଚାର ପାଇଁ ଏପରି ଭାବେ ଅନ୍ୟମାନଙ୍କ ବିରୋଧରେ ବିନା କୌଣସି ତଥ୍ୟ ପ୍ରମାଣରେ ବିଭିନ୍ନ ବିବାଦୀୟ ପୋଷ୍ଟ କରୁଥିବା ପରିଲକ୍ଷିତ ହେଉଛି। ଯାହାକି ଆଦୌ ଗ୍ରହଣୀୟ ନୁହେଁ ବୋଲି ସାଇବର୍‌ ଏକ୍ସପର୍ଟମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର