ଖୋର୍ଦ୍ଧା ସହରର ହୃତପିଣ୍ଡରେ ନିଆଁ, ଐତିହାସିକ ବରୁଣେଇ ସଂରକ୍ଷିତ ଜଙ୍ଗଲ ଜଳିଲା

ଖୋର୍ଦ୍ଧା: ଖୋର୍ଦ୍ଧା ସହରର ହୃତପିଣ୍ଡ ଭାବେ ପରିଚିତ ଐତିହାସିକ ବରୁଣେଇ ସଂରକ୍ଷିତ ଜଙ୍ଗଲରେ ଆଜି ନିଆଁ ଲାଗିଛି । ତେବେ ଅପରାହ୍ଣରେ ଲାଗିଥିବା ନିଆଁ ଲିଭାଇବା ପରେ ପୁଣି ରାତିରେ ନିଆଁ ଲାଗିଥିବା ଘଟଣା ପରିସ୍ଥିତିକୁ ଅଧିକ ସନେ୍ଦହଜନକ କରିଛି ।

ଆଜି ଅପରାହ୍ଣରେ ବରୁଣେଇ ପାହାଡ଼ର ପଥର ଚାଂଚଡ଼ା ନିକଟରେ ନିଆଁ ଲାଗିଥିଲା । ଏହା ଜାଣିବା ପରେ ବନ ବିଭାଗ ନିଆଁ ଲିଭାଇଦେଇଥିଲେ । ପରେ ପୁଣି ସଂଧ୍ୟାରେ ସେଠାରେ ନିଆଁ ଲାଗିଥିଲା । ରାତି ପ୍ରାୟ ୮ଟା ବେଳକୁ ନିଆଁ ହୁତହୁତ ହୋଇ ପ୍ରାୟ ୨୦୦-୩୦୦ ମିଟିର ଅଂଚଳରେ ବ୍ୟାପି ଯାଇଥିଲା । ଏହାଦେଖି ପୁଣି ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା କାମରେ ଲାଗିଯାଇଥିଲେ । ଏନେଇ ଖୋର୍ଦ୍ଧା ବନାଂଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା କହିଛନ୍ତି ଯେ ବରୁଣେଇ ଉପରେ ଥିବା ପଥର ଚାଂଚଡ଼ାରେ ବର୍ଷା କାଳେ ବହୁ ପରିମାଣରେ ଏକ ପ୍ରକାର ଲମ୍ବା ଘାସ ଉଠିଥାଏ । ଶୀତ ଆରମ୍ଭ ହେବା ବେଳେ ଏହା ଶୁଖିଯାଇଥାଏ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ୪-୫ ଦିନ ପୂର୍ବେ ବନ ବିଭାଗ ସେହି ଅଂଚଳକୁ ସଫା କରି ଘାସଗୁଡ଼ିକୁ ଗୋଟିଏ ସ୍ଥାନରେ ଜମା କରିଥିଲେ । ଆଜି କୌଣସି ପର୍ଯ୍ୟଟକ ଫିଙ୍ଗିଥିବା ସିଗାରେଟ୍ ନିଆଁରୁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ନିଆଁ ଜଙ୍ଗଲକୁ କ୍ଷତି କରିନାହିଁ, ବନ ବିଭାଗ କର୍ମଚାରୀ ପ୍ରାୟ ୨/୩ୟାଂଶ ନିଆଁକୁ ଲିଭାଇ ଦେଇଛନ୍ତି ଓ ଅଳ୍ପ କିଛି ସମୟରେ ପରେ ବଳକା ନିଆଁ ଆୟତ୍ତ ହୋଇଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧା ଶିଳ୍ପାଂଚଳ ଓ ଖୋର୍ଦ୍ଧା ସହର ନିକଟବର୍ତୀ ବରୁଣେଇ ଐତିହାସିକ ଦୃଷ୍ଟିରୁ ଯେତିକି ଗୁରୁତ୍ୱପୂର୍ଣ୍ଣ ପରିବେଶ ଦୃଷ୍ଟିରୁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ, ଗୁଳ୍ମ, ଲତା ସହ ମୂଲ୍ୟବାନ ଶାଗୁଆନ, ଶାଳ ଆଦି ଗଛ ମଧ୍ୟ ରହିଛି । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ବରୁଣେଇ ପାହାଡ଼ରେ ନିଶାଡ଼ିମାନଙ୍କ ଦ୍ୱାରା ନିଆଁ ଲାଗିବା ଏକ ସ୍ୱାଭାବିକ ଘଟଣା କିନ୍ତୁ ବର୍ତମାନ ଶୀତ ଋତୁରେ ଓ ବରୁଣେଇକୁ ପର୍ଯ୍ୟଟକଙ୍କ ଆଗମନ ସମୟରେ ଏଭଳି ନିଆଁ ଲାଗିବା ବନ ବିଭାଗ ସହ ଲୋକଙ୍କ ଦାୟିତ୍ୱହୀନତାକୁ ସ୍ପଷ୍ଟ ଇଙ୍ଗିତ କରୁଛି ବୋଲି ଖୋର୍ଦ୍ଧାର ପରିବେଶବିତ୍ ଓ ପ୍ରକୃତିପ୍ରେମୀମାନେ କହିଛନ୍ତି ।

ସମ୍ବନ୍ଧିତ ଖବର