ଡେଙ୍ଗୁ ନେଲା ପ୍ରଥମ ମୁଣ୍ଡ! କିମ୍‌ସରେ ଆକ୍ରାନ୍ତ ଯୁବତୀଙ୍କ ମୃତ୍ୟୁ

ଚନ୍ଦ୍ରଶେଖରପୁର : ଚଳିତ ବର୍ଷ ରାଜଧାନୀରେ ଡେଙ୍ଗୁ ନେଇଛି ପ୍ରଥମ ମୁଣ୍ଡ। ସପ୍ତାହେରୁ ଅଧିକ ଦିନ ଧରି ଅସୁସ୍ଥ ରହିବା ପରେ ଶୈଳଶ୍ରୀବିହାର ଅଞ୍ଚଳର ଜଣେ ଯୁବତୀ ସୋମବାର କିମ୍‌ସ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ତେବେ ଡେଙ୍ଗୁ ମୃତ୍ୟୁ ନେଇ ବିଏମ୍‌ସି କିମ୍ବା ମେଡିକାଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଶୈଳଶ୍ରୀବିହାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତିନି ସପ୍ତାହରୁ ଅଧିକ ଦିନ ହେଲା ଏହି ଅଞ୍ଚଳରେ ଡେଙ୍ଗୁ କାୟା ମେଲାଇ ଚାଲିଥିଲେ ମଧ୍ୟ ଏହାକୁ ରୋ‌କିବାରେ ପ୍ରଶାସନ ବିଫଳ ହେଇଛି। ଏଭଳି ସମୟରେ ଜଣଙ୍କର ମୃତ୍ୟୁ ହେବା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି।

ସୂଚନା ଅନୁଯାୟୀ ଶୈଳଶ୍ରୀ ବିହାର ଅଞ୍ଚଳର ଏହି ଯୁବତୀ ଜଣକ ସପ୍ତାହକ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ପ୍ରବଳ ଜ୍ବର ସହ ଥଣ୍ଡା ଲାଗି ରହିଥିଲା। ତାଙ୍କଠାରେ ଡେଙ୍ଗୁର ସମସ୍ତ ଲକ୍ଷଣ ଦେଖା ଦେବାରୁ ପରିବାର ଲୋକେ ଦୁଇଥର ହସ୍ପିଟାଲରେ ଚିକିତ୍ସା କରାଇଥିଲେ।

ଗତକାଲି ସେ ଶୈଳଶ୍ରୀବିହାରରେ ଥିବା ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ଡେଙ୍ଗୁ ପରୀକ୍ଷା କରାଇଥିଲେ। ସେଠାରେ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିବା ପରେ ବିଳମ୍ବିତ ରାତିରେ ପରିବାର ଲୋକ ତାଙ୍କୁ କିମ୍‌ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ଜଣକ ପ୍ରାଣ ହରାଇଥିଲେ।

ରାଜଧାନୀରେ ଡେଙ୍ଗୁ କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ୩୦ରୁ ୪୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୧୫ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ଯାଇ ୪୦୦ ପାଖାପାଖି ପହଞ୍ଚିଲାଣି। ତା’ପରେ ବି ପ୍ରଶାସନର ନିଦ ଭାଙ୍ଗୁନି। ଡେଙ୍ଗୁ ସଂକ୍ରମଣ ରୋକିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର