କୂଳ ଲଂଘିଲା ଚିଲିକା, ଗାଁ ଦାଣ୍ତରେ ଜୁଆର

ବ୍ରହ୍ମଗିରି : ବାତ୍ୟା ୟାସ୍‌ ବାଲେଶ୍ବର ଜିଲ୍ଲାରେ ସ୍ଥଳଭାଗ ଛୁଇଁଥିବାବେଳେ ପୁରୀ ଉପକୂଳରେ ବାତ୍ୟାଜନିତ କ୍ଷୟକ୍ଷତି ବିଶେଷ ଭାବେ ହୋଇ ନାହିଁ। ତେବେ ୟାସ୍‌ ପ୍ରଭାବରୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାରୁ ସ୍ଥାନରେ ଜୁଆର ପାଣି ସ୍ଥଳଭାଗକୁ ପଶି ଆଶିଛି। ବିଶେଷକରି ଚିଲିକା ମଧ୍ୟ ଦେଇ ଜୁଆର ତୀବ୍ର ଗତିରେ ପ୍ରବେଶ କରିଥିବାରୁ ଚିଲିକା କୂଳରେ ଥିବା ବିଭିନ୍ନ ଗ୍ରାମରେ ଜୁଆର ପାଣି ପଶିଛି। ନଙ୍ଗାନାଶି ମୁହାଣ ଦେଇ ସମୁଦ୍ର ଜୁଆର ଚିଲିକା ମଧ୍ୟରେ ପ୍ରବେଶ କରିଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଚିଲିକା ଉପକୂଳ ଜନବସତିରେ ସମୁଦ୍ର ଜୂଆର ପଶିଛି। ଆଜି ସକାଳୁ ହଠାତ୍ ପ୍ରବଳ ଜୁଆର ଚିଲିକାର ପ୍ରାକୃତିକ ମୁହାଣ ଦେଇ ମାଡ଼ି ଆସିଥିଲା। ସମ୍ପୂର୍ଣ୍ଣ ଚିଲିକା ଜୁଆର ପାଣିରେ ଫୁଲି ଉଠିଥିଲା। ଚାହୁଁ ଚାହୁଁ ପ୍ରବଳ ଜୁଆର ପାଣି କୂଳ ଆଡକୁ ମାଡି ଆସିଥିଲା। ଚିଲିକାରେ ଥିବା ଜେଟିଗୁଡିକ ବୁଡି ଯାଇଥିଲା। ଉପକୂଳରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇ ନ ଥିବାରୁ ଜୁଆର ସିଧାସଳଖ ଜନବସତି ଭିତରେ ପଶିଛି। ବିଶେଷକରି କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦାରେ ଜୁଆର ଆସି ଗାଁ ଭିତରେ ଲହଡି ମାରିଛି। ଗାଁର ହରଚଣ୍ଡୀ ସାହି ଭିତରେ ଜୁଆର ପଶିଛି। ଭାଗବତସାହି ଓ ଲକ୍ଷ୍ମୀନାରାୟଣ ସାହି ଭିତରେ ଜୁଆର ପଶି ଝାଟିମାଟି ଘର ସବୁ ଭାଙ୍ଗିଛି। ଅରଖକୁଦା ମେରାଇନ ଥାନା ଚାରିପଟେ ଜୁଆରପାଣି ଘେରି ରହିଛି। ଗାଁ ଦାଣ୍ତରେ ଆଣ୍ଠୁଏ ଲେଖାଏ ଜୁଆର ପାଣି ଲହଡି ମାରିଛି। ପୂର୍ଣ୍ଣମୀ ଥିବାରୁ ପ୍ରବଳ ବେଗରେ ଜୁଆର ମାଡି ଆସିଛି। ଅରଖକୁଦାର ୩ଟି ସାହିରେ ଥିବା ଝାଟିମାଟି ଘର ଭିତରେ ପାଣି ପଶି ନଷ୍ଟ କରିଛି।

ୟାସ ବାତ୍ୟା ସହିତ ପୂଣ୍ଣର୍ମୀର ପ୍ରଭାବରେ ଆଜି ସକାଳୁ ହଠାତ୍ ଚିଲିକା ଜୁଆରିଆ ହୋଇଯାଇଥିଲା। ପ୍ରାକୃତିକ ମୁହାଣ ଦେଇ ଏତେ ଜୁଆର ଆସିଥିଲେ ଯେ ସମ୍ପୂର୍ଣ୍ଣ ଚିଲିକାକୁ ଅଶାନ୍ତ କରି ଦେଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ କିଛି ବୁଝିବା ଆଗରୁ ଚିଲିକା କୂଳରେ ବାତ୍ୟା ସର୍ତକତା ପାଇଁ ଡଙ୍ଗା ଗୁଡିକ ବାନ୍ଧି ରଖିଥିଲେ। କୂଳରେ ବନ୍ଧା ହୋଇ ରହିଥିବା ଡଙ୍ଗା ଜୁଆରେ ବୁଡି ଯାଇଥିବା ଦେଖାଯାଇଛି। ୪୦ରୁ ଅଧିକ ଡଙ୍ଗା ହଠାତ୍ ବୁଡି ଯାଇଥିଲା। ଏମିତିକି ଗାଁ ଦାଣ୍ତକୁ ଡଙ୍ଗା ଜୁଆରରେ ଭାସି ଆସିଥିଲା। ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର