ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୪ଟି ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଦେଶର ୧୦୦ଟି ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ୪ଟି ସଂସ୍ଥା ହେଲେ ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀ (ଏନଆଇଟି), ଶିକ୍ଷା ଓ ଅନୁସଂଧାନ ବିଶ୍ୱ ବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର ଓ କିଟ ବିଶ୍ୱ ବିଦ୍ୟାଳୟ ।
ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ, ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟ ୩୮ ତମ ସ୍ଥାନରେ ରହିଛି । ସେହିପରି କିଟ ୪୪ତମ ସ୍ଥାନରେ ଓ ଆଇଆଇଟି ଭୁବନେଶ୍ୱର ୫୬ତମ ସ୍ଥାନରେ ରହିଛି । ତାଲିକାର ଅନ୍ୟ କେତେକ ବର୍ଗରେ ରାଜ୍ୟର ଆଉ କେତେକ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମଓ୍ଵାର୍କ (ଏନଆଇଆରଏଫ) ର‍୍ୟାଙ୍କିଙ୍ଗ ତାଲିକାରେ ଆଇଆଇଟି ମାଡ୍ରାସକୁ ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତା ମିଳିଛି । ୨ୟ ସ୍ଥାନରେ ରହିଛି ବାଙ୍ଗାଲୁରୁ ସ୍ଥିତ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ) । ତାଲିକାର ୮ମ ସ୍ଥାନରେ ଜେଏନୟୁ ରହିଛି । ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ୭ଟି ଆଇଆଇଟି ରହିଛନ୍ତି । ଏହି ର‍୍ୟାଙ୍କିଙ୍ଗ ତାଲିକାକୁ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଉନ୍ମୋଚନ କରିଥିଲେ ।

କ୍ରମାଗତ ପଂଚମ ଥର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଏହି ର‍୍ୟାଙ୍କିଙ୍ଗ  ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ଲାଗି ୨୦୨୦ରେ ଦନ୍ତଚିକିତ୍ସା ବିଜ୍ଞାନ ଶିକ୍ଷାନୁଷ୍ଠାନକୁ ଏହି ଏହି ର‍୍ୟାଙ୍କିଙ୍ଗରେ ସାମିଲ କରାଯାଇଛି । ଫଳରେ ମୋଟ ୧୦ଟି ବର୍ଗରେ ଏହି ର‍୍ୟାଙ୍କିଙ୍ଗ  ପ୍ରକାଶ ପାଇଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଥିଲେ ଯେ ଏଭଳି ର‍୍ୟାଙ୍କିଙ୍ଗ  ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ କରିବା କ୍ଷେତ୍ରରେ ମାର୍ଗଦର୍ଶନ କରିବ । ଏହା ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ବର୍ଗରେ ନିଜ ପ୍ରଦର୍ଶନରେ ସୁଧାର ଏବଂ ଗବେଷଣା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦୂର କରିବାରେ ସହାୟକ ହେବ । ସେ ଆହୁରି କହିଥିଲେ ଯେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଜାତୀୟ ସ୍ତରରେ ର‍୍ୟାଙ୍କିଙ୍ଗ  ପ୍ରସ୍ତୁତ କରାଯିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା ଭାବନା ଜାଗ୍ରତ ହେବ । ଫଳରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ର‍୍ୟାଙ୍କ ପାଇବା ନିମନ୍ତେ ଉତ୍ତମ ପ୍ରଦର୍ଶନ କରିପାରିବେ ।

ସାମଗ୍ରିକ ର‍୍ୟାଙ୍କିଙ୍ଗ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଅଲଗା ର‍୍ୟାଙ୍କିଙ୍ଗ  ବ୍ୟତୀତ ଇଞ୍ଜିନିୟରିଂ, ମ୍ୟାନେଜମେଂଟ, ଫାର୍ମାସୀ, ଆର୍କିଟେକଚର, ଆଇନ ଓ ଡାକ୍ତରୀ ଶିକ୍ଷା ଆଦି ବିଷୟ ଆଧାରିତ ର‍୍ୟାଙ୍କିଙ୍ଗ  ପ୍ରସ୍ତୁତ କରାଯାଉଛି । ୨୦୨୦ରେ ଦନ୍ତଚିକିତ୍ସା ବିଜ୍ଞାନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି । ଶ୍ରୀ ନିଶଙ୍କ କହିଥିଲେ ଯେ କୋଭିଡ-୧୯ର ସଙ୍କଟପୂର୍ଣ୍ଣ ସମୟରେ ଏନଟିଏ ପକ୍ଷରୁ ନିକଟରେ ନ୍ୟାସନାଲ ଟେଷ୍ଟ ଅଭ୍ୟାସ ଆପ ଆରମ୍ଭ କରାଯାଇଛି । ଏହାଦ୍ୱାରା ଜେଇଇ ଓ ନିଟ ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି କରିପାରିବେ । ବର୍ତମାନସୁଦ୍ଧା ପାଖାପାଖି ୬୫ ଳକ୍ଷ ଛାତ୍ରଛାତ୍ରୀ ଏହି ଆପକୁ ଡାଉନଲୋଡ କରିସାରିଛନ୍ତି ।

ମୋଟ ୩୭୭୧ଟି ଅଭିନବ ଶିକ୍ଷାନୁଷ୍ଠାନ ନିଜକୁ ସାମଗ୍ରିକ ର‍୍ୟାଙ୍କିଙ୍ଗ, ବର୍ଗ ଆଧାରିତ ଓ ବିଷୟବସ୍ତୁ ଆଧାରିତ ର‍୍ୟାଙ୍କିଙ୍ଗରେ ସାମିଲ କରିଥିଲେ । ସର୍ବମୋଟ ୫୮୦୫ଟି ଆବେଦନ ହସ୍ତଗତ ହୋଇଥିଲା । ଏଥିରେ ୨୯୪ଟି ବିଶ୍ୱବିଦ୍ୟାଳୟ, ୧୦୭୧ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ, ୬୩୦ ମ୍ୟାନେଜମେଣ୍ଟ ସଂସ୍ଥାନ, ୩୩୪ ଫାର୍ମାସୀ, ୯୭ଟି ଆଇନ, ୧୧୮ଟି ଡାକ୍ତରୀ ଶିକ୍ଷାନୁଷ୍ଠାନ, ୪୮ଟି ଆର୍କିଟେକଚର ସଂସ୍ଥାନ ଏବଂ ୧୬୫୯ଟି ସାଧାରଣ ଡିଗ୍ରୀ କଲେଜ ସାମିଲ ଅଛନ୍ତି । ଚଳିତ ଥର ଅଂଶଗ୍ରହଣକାରୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

ସମ୍ବନ୍ଧିତ ଖବର