ଚାଲାଣ ପୂର୍ବରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ରାଜ୍ୟ ବାହାରକୁ ଚୋରା ଚାଲାଣ ପାଇଁ ଗଚ୍ଛିତ କରାଯାଇଥିଲା କୋଟିଏ ଟଙ୍କାର ଗଞ୍ଜେଇ। କାହାର ଯେମିତି ସନ୍ଦେହ ନ ହେବ ସେଥିପାଇଁ ଗୋଟିଏ ନୀଳଗିରି ବାଡ଼ ବା ବଗିଚାରେ ବାସ୍ତାରେ ଭର୍ତ୍ତି କରି ରଖିଥିଲେ ଗଞ୍ଜେଇ ମାଫିଆ। କିନ୍ତୁ ସ୍ଥାନାନ୍ତର ପୂର୍ବରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୁଲିସକୁ ଏହି ଚୋରା ଚାଲାଣ ସଂପର୍କରେ ମିଳି ଯାଇଥିଲା ସୂଚନା। ତେଣୁ ଅତର୍କିତ ଚଢ଼ଉ କରି ଗଞ୍ଜେଇ ଜବତ କରିଛି। ତେବେ କିଏ ଏହି ଗଞ୍ଜେଇ ଏଠାରେ ଆଣି ରଖିଥିଲା ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଷ ହେବାପରେ ତାହାକୁ ବିଭିନ୍ନ ରାସ୍ତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ସହ ରାଜ୍ୟ ବାହାରକୁ ଚୋରାଚାଲାଣ କରାଯାଉଛି। ତେବେ, ବିପୁଳ ଗଞ୍ଜେଇ ଏକକାଳୀନ ସ୍ଥାନାନ୍ତର ନ କରି ଅଳ୍ପ ଅଳ୍ପ କରି ଗୋଟିଏ ସ୍ଥାନରେ ମାଫିଆ ପ୍ରଥମେ ଗଚ୍ଛିତ କରୁଛନ୍ତି। ଏହାପରେ ସମୟ ଏବଂ ସୁବିଧା ଦେଖି ତାହାକୁ ଚାଲାଣ କରୁଛନ୍ତି। ଗତକାଲି ମଧ୍ୟ ଲମତାପୁଟ ବ୍ଲକ ଅନ୍ତର୍ଗତ ବଡ଼ପଡ଼ା ଘାଟ ନଟ୍ଟସ୍ଥ ଗୋଟିଏ ନୀଳଗିରି ବାଡ଼ରେ ପ୍ରଚୁର ପରିମାଣରେ ଗଞ୍ଜେଇ ଗଚ୍ଛିତ କରାଯାଇଥିଲା। ଏ ନେଇ ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ମିଳିଯିବାରୁ ଗୋଟିଏ ଟିମ୍‌ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିବା ବେଳକୁ ଘଟଣାସ୍ଥଳରେ କେହି ନଥିଲେ। ତେବେ ଜରି ବାସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ପୁଲିସ ନଜରକୁ ଆସିଥିଲା। ପୁଲିସ ତାହାକୁ ଜବତ କରି ଥାନାକୁ ଆଣି ଓଜନ କରିଥିଲା। ପରିମାଣ ୧୦୧୦କେଜି ୯ଶହ ଗ୍ରାମ ଏବଂ ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି।

ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ରାତିରେ କୌଣସି ବଡ଼ ଗାଡ଼ିରେ ତାହାକୁ ଚାଲାଣ କରାଯାଇଥା’ନ୍ତା ବୋଲି ପୁଲିସ ଅନୁମାନ କରୁଛି। ଏଥିରେ ରାଜ୍ୟ ବାହାର ମାଫିଆଙ୍କ ସଂପୃକ୍ତି ଥିବା ନେଇ ବି ପୁଲିସ ଆଶଙ୍କା କରୁଛି। ତେବେ ପୁଲିସ ଆସୁଥିବା ନେଇ ଗଞ୍ଜେଇ ମାଫିଆଙ୍କୁ ପୂର୍ବରୁ ସୂଚନା ମିଳିଯାଇଥିଲା। ତେଣୁ ସେମାନେ ସ୍ଥାନ ଛାଡ଼ି ଚାଲି ଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ମାଛକୁଣ୍ତ ଥାନା କେସ ନଂ ୫୯/୨୧ରେ ମାମଲା ରୁଜୁ କରାଯାଇଛି। ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର