ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ : ବିଲକୁ ଯାଇ ପାଣି କାଦୁଅ ଭରା ଜମିରେ ଧାନ ତଳି ରୋଇବା ସହିତ ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ ଚାଷୀଙ୍କୁ ପଚାରି ବୁଝିଲେ ଜିଲ୍ଲାପାଳ

ଗଞ୍ଜାମ : କୃଷକ ସାଜିଲେ କଲେକ୍ଟର। ବିଲକୁ ଗଲେ ଧାନ ରୋଇଲେ। ପାଣି କାଦୁଅ ଭରା ଜମିରେ ଧାନ ତଳି ରୋଇଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଧାନ ତଳି ରୋପଣ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବା ପରେ ବେଶ ଚର୍ଚ୍ଚାରେ ରହିଛନ୍ତି ବିଜୟ।

ତେବେ ସୂଚନା ମୁତାକବ ଗଞ୍ଜାମ ଜିଲ୍ଲାପାଳ ଆଜି ମଥୁରା ପଞ୍ଚାୟତର ବେଗୁନିଆପଡା ଗାଁକୁ ଅଭିଯୋଗ ଶୁଣାଣି ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ବିଲରେ କିଛି ଚାଷୀ ଧାନ ତଳି ରୋଉଥିବାର ଜିଲ୍ଲାପାଳ ଦେଖିଥିଲେ। ତେବେ ଚାଷ ପ୍ରତି ଆଗ୍ରହ ଥିବାରୁ ସେ ଗାଡିକୁ ଅଟକାଇ ରାସ୍ତା କଡରେ ଥିବା କାଦୁଅ ବିଲକୁ ପଶିଥିଲେ। ପିନ୍ଧିଥିବା ସଫାସୁତୁରା ପୋଷାକକୁ ଟେକି ସିଧା କାଦୁଅ ବିଲକୁ ପଶିଥିଲେ କଲେକ୍ଟର।

କୃଷକଙ୍କ ଠାରୁ କେମିତି ବିଲରେ ଧାଡି ଧାଡି କରି ଧାନ ରୋପଣ ହେଉଛି ପଚାରି ବୁଝିବା ପରେ ନିଜେ ଧାନ ଗଛ ରୋପଣ କରିଥିଲେ। ବିଲରେ ଚାଷ କରି ଜିଲ୍ଲାପାଳ ଖୁସି ହୋଇଥିବା ବେଳେ ବିଲ ମଝିରେ ଚାଷୀଙ୍କ ସହ ମନ ଭରି କଥା ହୋଇଥିଲେ। ଧାଡି ରୁଆ ଚାଷୀମାନେ କେଉଁଠୁ ଶିଖିଲେ ବୋଲି ମଧ୍ୟ ପଚାରି ବୁଝିଥିଲେ ଜିଲ୍ଲାପାଳ ବିଜୟ ଅମୃତ।

ସରକାରୀ ଯୋଜନାର ଲାଭ ଚାଷୀମାନେ ପାଉଛନ୍ତି କି ନାହିଁ ? ବିହନ ଠିକ ସମୟରେ ମିଳୁଛି କି ନାହିଁ ? କାଳିଆ ଯୋଜନାରେ ଉକ୍ତ ଚାଷୀମାନେ ଟଙ୍କା ପାଇଛନ୍ତି କି ନାହିଁ ? ଆଉ ଫସଲ ବୀମା ମିଳୁଛି ନା ନାହିଁ ? ବୋଲି ଚାଷୀଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ । କାଦୁଅ ବିଲରେ କଲେକ୍ଟରଙ୍କ ଏ ନିଆରା ଅନ୍ଦାଜ ଆଉ ଚାଷ ପ୍ରତି ନିଜସ୍ୱ ଆଗ୍ରହ ଦେଖି ଜିଲ୍ଲାପାଳଙ୍କୁ ସମସ୍ତେ ବାଃ ବାଃ କହିବା ସହ କଲେକ୍ଟର ହେବ ତ ଏମିତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ତେବେ ପଞ୍ଚମ ପାଳିରେ ନବୀନ ସରକାର ଆସିବା ପରେ ସବୁ ସରକାରୀ ଅଫିସରଙ୍କୁ ଆକ୍ଟିଭ ମୋଡକୁ ଆଣିଛନ୍ତି। ଲୋକଙ୍କ ପାଖକୁ ଯାଇ, ଲୋକଙ୍କ ସମସ୍ୟା ବୁଝି, ସେମାନଙ୍କ ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ମୋ ଭାଗ୍ୟ ଲୋକମାନେ ଲେଖୁଛନ୍ତି ଆଉ ମୁଁ ଆପଣଙ୍କ ଭାଗ୍ୟ ଲେଖୁଛି’ ବୋଲି ନବୀନ ସବୁ ଅଫିସରଙ୍କୁ କହିଥିଲେ । ଆଉ ତାପର ଠାରୁ ସମସ୍ତ ଅଫିସର ଲୋକଙ୍କ ସମସ୍ୟାର ସାମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ତେବେ ଗଞ୍ଜାମ ଜିଲ୍ଲାପାଳ ଲୋକଙ୍କ ପାଖକୁ ଯାଇ, ତାଙ୍କ ସହ ମନଖୋଲା କଥା ହୋଇ ସେମାନଙ୍କ ସମସ୍ୟା ଜାଣିବାର ଏ ନିଆରା ଅନ୍ଦାଜକୁ ଚାରିଆଡୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର