ତିନିଭାଗ ହେବ ଗଞ୍ଜାମ! ଘୁମୁସର, ଋଷିକୁଲ୍ୟା, ବ୍ରହ୍ମପୁର ଜିଲ୍ଲା ଗଠନ ଦାବି ଜୋର୍‌

୫-ଟି ସଚିବଙ୍କୁ ଭେଟିବାକୁ ତିନିସ୍ଥାନରେ କମିଟି କର୍ମକର୍ତ୍ତାଙ୍କ ଉଦ୍ୟମ

ବ୍ରହ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପଦ୍ମପୁର ଉପନିର୍ବାଚନ ବେଳେ ଏଭଳି ଘୋଷଣା କରି ବିଜେଡି ନିଜର ଭୋଟ୍‌ ବ୍ୟାଙ୍କ ଦୃଢ଼ କରିବା ପାଇଁ ପ୍ରୟାସ କରିଥିଲା। ଏହାପରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଶିଥିଳ ପଡ଼ି ଯାଇଥିବା ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ପୁଣି ଜୋର୍‌ ଧରିଥିଲା। ଏହି ଧାରାରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ଜୋର୍‌ ଧରିଛି। ଏହା ହେଲେ ଗଞ୍ଜାମ ଜିଲ୍ଲା ୩ ଭାଗ ହୋଇଯିବ। କାରଣ ଘୁମୁସର, ଋଷିକୁଲ୍ୟା ଓ ବ୍ରହ୍ମପୁର ପ୍ରଭୃତି ୩ଟି ନୂତନ ଜିଲ୍ଲା ସୃଷ୍ଟି କରିବାକୁ ଦାବି ଜୋର୍‌ ଧରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏଣୁ ସ୍ବତନ୍ତ୍ର ଜିଲ୍ଲା ଗଠନ ପାଇଁ ଆନ୍ଦୋଳନ ଜାରି ରଖିଥିବା କମିଟିର କର୍ମକର୍ତ୍ତାମାନେ ବ୍ରହ୍ମପୁର, ଭଞ୍ଜନଗର ଓ ଆସିକାରେ ତାଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ବ୍ରିଟିସ୍‌ ଶାସନ ଅମଳରେ ଗଞ୍ଜାମ ମାଡ୍ରାସ୍‌ ପ୍ରେସିଡେନ୍ସି ଅଧୀନରେ ଥିଲା। ୧୯୩୬ ମାର୍ଚ୍ଚ ୩୧ତାରିଖରେ ଗଞ୍ଜାମ ଜିଲ୍ଲା ଗଠନ ହେଲା। ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକାର ସ୍ବତନ୍ତ୍ର ପରିଚୟ ରହିଥିଲା। ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର, ବ୍ରହ୍ମପୁର ତିନୋଟି ଉପଖଣ୍ଡ ରହିଛି। ସେଥରୁ ଭଞ୍ଜନଗର (ଘୁମୁସର) ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼, ଧରାକୋଟ, ଆସିକା, ବୁଗୁଡା ବ୍ଲକ୍‌ ରହିଛି। ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୩୦ ବର୍ଷ ହେଲା ଦାବି ହୋଇ ଆସୁଛି। ଗତ ୧୯୯୨ ମସିହାରେ ଘୁମୁସର ଯୁବ କଲ୍ୟାଣ ସମିତି ଗଠନ ହେବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଜିଲ୍ଲା ଗଠନ ନେଇ ଆନ୍ଦୋଳନକୁ ତୀବ୍ରତର କରା ଯାଇଥିଲା। ଦାବି ପୂରଣ ନେଇ ବହୁ ସଙ୍ଗଠନ, ଯୁବବର୍ଗ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଓକିଲ ସଂଘ ସ୍ବରୋତ୍ତୋଳନ କରିବା ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଘୁମୁସର ଜିଲ୍ଲା ଗଠନ ପାଇଁ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୫-ଟି ସଚିବଙ୍କୁ ସାକ୍ଷାତ ପାଇଁ ସମୟ ଦେବାକୁ ଅନୁରୋଧ କରାଯାଇଛି। ଉପଖଣ୍ଡର ୮ଟି ବ୍ଳକ୍ ଓ ୫ଟି ଏନ୍ଏସିକୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବାକୁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେଭଳି ଋଷିକୁଲ୍ୟା ଜିଲ୍ଲା ଗଠନ କରିବା ପାଇଁ ଆସିକାରେ ମଧ୍ୟ ଆନ୍ଦୋଳନ ଚାଲିଛି। ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ୧୯୯୨ ମସିହାରୁ ଆସିକା ଓକିଲ ସଂଘ ଦାବି ଉପସ୍ଥାପନ କରିଆସୁଛି। ରାଜନୈତିକ ମାନଚିତ୍ରରେ ଆସିକା ବିଧାନସଭା ଏବଂ ଲୋକସଭା ନିର୍ବାଚନମଣ୍ଡଳୀର ସ୍ବତନ୍ତ୍ର ସ୍ଥାନ ରହି ଆସିଛି। ଲୋକଙ୍କ ସୁବିଧା ଏବଂ ଗମନାଗମନ ଦୃଷ୍ଟିକୋ‌ଣରୁ ଏହା ଶେରଗଡ଼ ଏବଂ ଧରାକୋଟ ସମେତ ଆଠଟି ବ୍ଲକ୍‌ର କେନ୍ଦ୍ରସ୍ଥଳୀ ପାଲଟିଛି। ଏଣୁ ଏ ସମସ୍ତ ଅଞ୍ଚଳକୁ ନେଇ ଋଷିକୁଲ୍ୟା ଜିଲ୍ଲା ଗଠନ ସହ ଏଠାରେ ମୁଖ୍ୟାଳୟ ସ୍ଥାପନ ହେଲେ ଜନସାଧାରଣ ଉପକୃତ ହୋଇପାରିବେ। ଏଥିପାଇଁ ୫-ଟି ସଚିବଙ୍କୁ ସାକ୍ଷାତ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମଗାଯାଇଥିବା ଆସିକା ଓକିଲ ସଂଘର ବରିଷ୍ଠ ସଦସ୍ୟ ତଥା କ୍ରିୟାନୁଷ୍ଠାନ କମିଟି ଆବାହକ ସନ୍ତୋ‌ଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେହିପରି ବ୍ରହ୍ମପୁର ସହରକୁ ଜିଲ୍ଲା ମାନ୍ୟତା ଦାବି ନେଇ ୨୦୧୮ ମସିହାରୁ ଦାବି ହୋଇ ଆସୁଛି। ଏ ନେଇ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ କରାଯାଇଛି। ବ୍ରହ୍ମପୁର ସହରରେ ଅଧିକାଂଶ ସରକାରୀ ମୁଖ୍ୟାଳୟ ରହିଛି। ଭୌଗୋଳିକ ଅବସ୍ଥିତିକୁ ନେଇ ବ୍ରହ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ କମିଟି ତରଫରୁ ଦାବି କରାଯାଇଛି। ଏହା ସହିତ ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ କରିବାକୁ ମଧ୍ୟ ଦାବି ହୋଇଛି। ଅନ୍ୟପଟେ ଛତ୍ରପୁରକୁ ମ୍ୟୁନସିପାଲଟି ଓ ଶେରଗଡ଼କୁ ଏନ୍‌ଏସି ମାନ୍ୟତା ପାଇଁ ମଧ୍ୟ ଦାବି ରହିଛି।

ସମ୍ବନ୍ଧିତ ଖବର