ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌କୁ ନେଇ ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ବର: ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍‌କୁ ନେଇ ଆଜି ବି‌େଜପି-ବିଜେଡି ମଧ୍ୟରେ ଟୁଇଟର୍‌ରେ କଥା କଟାକଟି ହୋଇଛି। ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌ର ଜବାବ୍ ଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ବିଟ୍ କରିଛନ୍ତି ଯେ ଓଡ଼ିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖିତ ହେବା ପରେ ବିହାର ଓ ମଧ୍ୟପ୍ରଦେଶରୁ ସଂସଦକୁ ନିର୍ବାଚିତ ହେଉଥିବା ଜଣେ ବ୍ୟକ୍ତିଙ୍କର ହଠାତ୍ ଓଡ଼ିଶା କଥା ମନେ ପଡ଼ିଛି। ଯେତେବେଳେ ସେହି ବ୍ୟକ୍ତିଙ୍କ ଦଳର ସାଂସଦମାନେ ଷଡ଼ଯନ୍ତ୍ର କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଦିବାସୀ ଭାଇଭଉଣୀ ପାଇବାକୁ ଥିବା ୭ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଦ କରିଥିଲେ, ପିଏମ୍‌ଜିକେୱାଇରେ ମିଳୁଥିବା ୫କେଜି ମାଗଣା ଚାଉଳ ବନ୍ଦ ହେଲା, ଓଡ଼ିଶା ଚାଷୀଙ୍କୁ ଧାନର ଏମ୍‌ଏସ୍‌ପି ୨୯୩୦ଟଙ୍କା ମିଳିବନି ବୋଲି ମନା କରାଗଲା, ୯ବର୍ଷରେ ୨ଲକ୍ଷ କୋଟି ଟଙ୍କାର ରେଳ ରାଜସ୍ବ ଦେବା ପରେ ବି ଓଡ଼ିଶାକୁ ରେଳ ଚଳାଚଳ କ୍ଷେତ୍ରରେ ଅଣଦେଖା କରାଗଲା, କଟକ-ସମ୍ବଲପୁର ଜାତୀୟରାଜପଥ ନିର୍ମାଣ ବିଳମ୍ବ ପାଇଁ ଲୋକ ହଇରାଣ ହେଉଛନ୍ତି ସେତେବେଳେ ତାଙ୍କର ଓଡ଼ିଶା ପ୍ରୀତି କୁଆଡ଼େ ଯାଇଥିଲା। ଓଡ଼ିଶାବାସୀ ଜାଣିଛନ୍ତି କିଏ ତାଙ୍କ ସ୍ବାର୍ଥ ପାଇଁ କାମ କରୁଛି। ଯେଉଁଥିପାଇଁ ଗତ ୨୩ବର୍ଷ ହେଲା ଆଶୀର୍ବାଦ ଦେଇ ଚାଲିଛନ୍ତି। ଲୋକମାନେ ଜାଣିଛନ୍ତି ଯେ ସେମାନଙ୍କ ପାଇଁ କିଏ କାମ କରୁନି, ସେଥିପାଇଁ ପ୍ରତ୍ୟାଖାନ କରିଚାଲିଛନ୍ତି।

ସସ୍ମିତଙ୍କ ଟ୍ବିଟ୍‌ର ଜବାବ୍ ଦେଇ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଟ୍ବିଟ୍ କରିଛନ୍ତି ଯେ ବିଜେଡ଼ି ପ୍ରବକ୍ତା ଯାହାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ ଲେଖୁଛନ୍ତି ସେ ଆମର ନେତା। ପାଲଲହଡାରୁ ସେ ପ୍ରଥମ ବିଧାୟକ ହୋଇ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ ହୋଇଛନ୍ତି ତଥା ଦେବଗଡ଼ରୁ ଯୁବ ସାଂସଦ ହୋଇ ସେତେବେଳେ ଚର୍ଚ୍ଚାରେ ଥିଲେ। ସେ ସମୟରେ ଏହି ପ୍ରବକ୍ତା ରାଜନୀତି ଜୀବନ ଆରମ୍ଭ କରିନଥିବେ। ସେଥିପାଇଁ ସେ ଜାଣିନାହାନ୍ତି, କେନ୍ଦ୍ରମନ୍ତ୍ରୀ କେବେ ନିର୍ବାଚନ ଜିତିଥିଲେ। ନିଜର ମାଲିକଙ୍କୁ ଖୁସି କରିବା ପାଇଁ ଆଜି ସେ ଏହି ପୋଷ୍ଟ କରିଛନ୍ତି। ବି‌େଜଡି ପ୍ରବକ୍ତାଙ୍କ ଚରିତ୍ର ଏମିତି ଯେ ଯେତେବେଳେ ଯାହାର ଖାଆନ୍ତି, ତା’ ପାଇଁ ସେତେବେଳେ ଗୁଣଗାନ କରନ୍ତି। ମୁଁ ଆପଣଙ୍କୁ ମନେପକାଇଦେବାକୁ ଚାହେଁ ଯେ ଆପଣ ଦିନେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିଲେ। ଆପଣ ଜଣେ ପେଶାଦାର ପ୍ରବକ୍ତା ଭଳି ଭୂମିକା ନିର୍ବାହ କରୁଛନ୍ତି। ମୋଦୀ ସରକାର ଓଡ଼ିଶାର ଲୋକଙ୍କୁ ୨୭ ଲକ୍ଷରୁ ଅଧିକ ଘର ଆବଣ୍ଟନ କରିଥିବା ବେଳେ ଆପଣଙ୍କ ସରକାର ସେହି ଘର ଗରିବ ଲୋକଙ୍କୁ ଦେବାରେ ଚଞ୍ଚକତା କରୁଛନ୍ତି। ଯୋଗ୍ୟ ଲୋକଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବାଣ୍ଟିବାରେ ବ୍ୟସ୍ତ ଅଛନ୍ତି। ମୋଦୀ ସରକାରରେ ଓଡ଼ିଶାକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏହା କ’ଣ ଓଡ଼ିଆଙ୍କ ହିତରେ ଲାଗିବ ନାହିଁ କି? ଆମ ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନେ ପ୍ରଶାସକଙ୍କ ପାଇଁ ମଞ୍ଚ ବାନ୍ଧିବା, ଚେୟାର ପକାଇବା ଓ ଲୋକ ଯୋଗାଡ଼ କରିବା ଭଳି କାର୍ଯ୍ୟ କରନ୍ତି ନାହିଁ, ଯେଉଁ କାର୍ଯ୍ୟରେ ଆପଣ ଓ ଆପଣଙ୍କ ଦଳର ନେତା ଓ ମନ୍ତ୍ରୀମାନେ ଲାଗିଛନ୍ତି। ଆପଣଙ୍କ ଦଳର ନେତାମାନେ ଏବେ ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ। ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲାର କୁନି ଝିଅ ଯେଉଁ ପ୍ରଶ୍ନ ପଚାରିଥିଲା, ତାହାର ଉତ୍ତର ଆପଣ ଓ ଆପଣଙ୍କ ମୁଖିଆଙ୍କ ପାଖରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର