ହଇଜା ସଂକ୍ରମଣରେ ଲଗାମ ଲାଗୁନି: ରାଉରକେଲାରେ ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦେଶକ

ରାଉରକେଲା: ରାଉରକେଲାରେ ବ୍ୟାପିଥିବା ହଇଜା ସଂକ୍ରମଣରେ ଲଗାମ ଲାଗୁନି। ଏବେ ସୁଧ୍ୟା ଆରଜିଏଚରେ ୧୮୫ ରୋଗୀ ଭର୍ତ୍ତି ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୪୯। ଘରୋଇ ହସ୍ପିଟାଲରେ ପ୍ରାୟ ଦେଢ ଶହରୁ ଅଧିକ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୧୦ରେ ରହିଛି। ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଆରଜିଏଚରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦେଶକ ବିଭିନ୍ନ ୱାର୍ଡରେ ଚିକିତ୍ସିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଠିକ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି କି ନାହିଁ ପଚାରିଥିଲେ। ଏହାପରେ ଦୁହେଁ ଏକ ବୈଠକ କରିଥିଲେ, ଯେଉଁଥିରେ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି, ଏଡିଏମ ଡାକ୍ତର ଶୁଭଙ୍କର ମହାପାତ୍ର, ଆରଜିଏଚ ନିର୍ଦେଶକ ଡାକ୍ତର ଡି ବି ଦାସ, ସିଡିଏମଓ ଡାକ୍ତର ଧରଣୀ ରଞ୍ଜନ ସତପଥୀ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ହଇଜା ରୋଗୀଙ୍କ ପାଇଁ ୧୫୫ବେଡ ସହ ଅନ୍ୟ ୱାର୍ଡରେ ଚିକିତ୍ସା ଚାଲିଛି। ଏଥି ସହ ଆହୁରି ୭୨ ବେଡ ସରଂକ୍ଷିତ ରଖା ଯାଇଛି।

ସମ୍ବନ୍ଧିତ ଖବର