ସମ୍ବାଦ ପ୍ରଭାବ: ୬୦ ଆସିଷ୍ଟାଣ୍ଟ୍ ପ୍ରଫେସର ଓ ୩୨ ଏସ୍‌ଆର ନିଯୁକ୍ତି ପାଇଁ ବିଜ୍ଞପ୍ତି

ସ୍ବାସ୍ଥ୍ୟ ବିଭାଗକୁ ଘାରିଲା ଏମ୍‌ସିଆଇ ଚିନ୍ତା

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୮ଟି ବିଭାଗର ପିଜି ସିଟ୍‌ ସଂପର୍କରେ ତଦାରଖ ପାଇଁ ଆସିବେ ଏମ୍‌ସିଆଇ ଟିମ୍‌। ହେଲେ ମେଡିକାଲ କଲେଜରେ ଖାଲି ପଡିଥିବା ବିଶେଷଜ୍ଞ ପଦବି ପୂରଣ ହେବା ବଦଳରେ ଖାଲି ପଦବି ସଂଖ୍ୟା ବଢିବାରେ ଲାଗିଛି। ଖାଲି ପଦବି ପୂରଣ ହୋଇପାରୁନି। ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି। ଏମସିଆଇ ଗାଇଡଲାଇନ୍ ଅନୁସାରେ ପଦବି ପୂରଣ ହୋଇ ନ ଥିଲେ, ସ୍ବୀକୃତି କଟିବା ଆଶଙ୍କା କରାଯାଉଛି। ବିଭିନ୍ନ ବିଭାଗର ମୁଖ୍ୟ ପଦବି ସହିତ ପାଖାପାଖି ଶହେରୁ ଅଧିକ ବିଶେଷଜ୍ଞ ପଦ ଏସସିବିରେ ଖାଲି ପଡିଛି। ଏଭଳି ପ୍ରସଙ୍ଗକୁ ନେଇ ‘ଏସ୍‌ସିବିକୁ ଘାରିଛି ଏମ୍‌ସିଆଇ ଚିନ୍ତା ଶୀର୍ଷକ ଖବର ଗତ ୨୮ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଫଳରେ ଏମ୍‌ସିଆଇ ପାଇଁ ଜରୁରୀ ଥିବା ଦର୍ଶାଇ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୬ଟି ମେଡିକାଲ କଲେଜ ପାଇଁ ଚୁକ୍ତି ଭିତ୍ତିରେ ତଥା ଡେପୁଟେସନ୍‌ ଭିତ୍ତିରେ ୬୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ଚୁକ୍ତି ଭିତ୍ତିରେ ଓ ଡେପୁଟେସନ୍‌ରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ମାଧ୍ୟମରେ ନିଯୁକ୍ତି ଦିଆଯିବ। ଅନ୍ୟପଟେ ଯେଉଁମାନେ ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ଏହି ପଦବିରେ ରହିଛନ୍ତି ବା ଭୀମସାର, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଡେପୁଟେସନ୍‌ ଓ ରେଗୁଲାର ଭିତ୍ତିରେ ରହିଛନ୍ତି ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ ନାହିଁ। ସେହିପରି ସିନିୟର ରେସିଡେଣ୍ଟ(ଏସ୍‌ଆର), ଟ୍ୟୁଟର ମଧ୍ୟ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯିବ। ରାଜ୍ୟର ୫ଟି ମେଡିକାଲ କଲେଜରେ ୩୩ଜଣ ଟ୍ୟୁଟର, ସିନିୟର ରେସିଡେଣ୍ଟ (ସ୍ପେସାଲିଟି) ବିଭା‌ଗ ପାଇଁ ୫୮ ପଦ ଓ ସିନିୟର ରେସିଡେଣ୍ଟ (ସୁପର ସ୍ପେସିଆଲିଟି) ବିଭାଗ ପାଇଁ ୨୨ଜଣଙ୍କୁ ନିୟୁକ୍ତି ଦିଆଯିବା ନେଇ ଡିଏମ୍‌ଇଟି କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଏସ୍‌ସିବିରେ ସର୍ବାଧିକ ୨୯ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିସହ ଏମ୍‌କେସିଜିରେ ୨୦, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ୩, ପିଏମ୍‌ଆର ମେଡିକାଲ କଲେଜ ବାରିପଦାରେ ୩, ଏଫ୍‌ଏମ୍‌ଏମ୍‌ସିଏଚ୍‌ ବାଲେଶ୍ବର ପାଇଁ ୫ଜଣ ଏହିପରି ୬୦ଜଣଙ୍କୁ ନିଯୁକ୍ତି ଦିଆଯିବ। ଏସ୍‌ସିବିର ମେଡିସିନ୍‌ ବିଭାଗ ପାଇଁ ସର୍ବାଧିକ ୭ଜଣ, ପାଥୋଲୋଜି ବିଭାଗ ପାଇଁ ୩ଜଣ, ଆନାଟୋମି, ଫାର୍ମାକୋଲୋଜି, ସର୍ଜରି, ସିଟିଭିଏସ୍‌, ହେପାଟୋଲୋଜି ପାଇଁ ୨ଜଣ ଲେଖାଏ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟର ୫ଟି ମେଡିକାଲ କଲେଜରେ ୩୩ଜଣ ଟ୍ୟୁଟର ପଦ ମଧ୍ୟରୁ ଏସ୍‌ସିବି ପାଇଁ ୪ଜଣ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ପାଇଁ ୧୧ଜଣ, ପିଏମ୍‌ଆର ମେଡିକାଲ କଲେଜ ବାରିପଦା ପାଇଁ ସର୍ବାଧିକ ୧୪ଜଣ, ଏମ୍‌କେସିଜି ପାଇଁ ଜଣେ, ବାଲେଶ୍ବର ମେଡିକାଲ କଲେଜ ପାଇଁ ୩ଜଣଙ୍କୁ ନିଯୁକ୍ତି ଦିଆଯିବ। ‌ସିନିୟର ରେସିଡେଣ୍ଟ (ସ୍ପେସାଲିଟି) ବିଭା‌ଗ ପାଇଁ ୫୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ସେଥିରୁ ଏସ୍‌ସିବିରେ ୧୩, ଏସ୍‌ସିବି ଡିସିଏଚ୍‌ ପାଇଁ ଜଣେ, ଏମ୍‌କେସିଜି ପାଇଁ ୧୧, କୋରାପୁଟ ପାଇଁ ୧୦, ପିଏମ୍‌ଆର ବାରିପଦା ପାଇଁ ୧୫, ବଲାଙ୍ଗୀର ମେଡିକାଲ କଲେଜ ପାଇଁ ୪, ଏଫ୍‌ଏମ୍‌ଏମ୍‌ସିଏଚ୍‌ ବାଲେଶ୍ବର ପାଇଁ ୪ଜଣଙ୍କୁ ନିଯୁକ୍ତି ଦିଆଯିବ। ସିନିୟର ରେସିଡେଣ୍ଟ (ସୁପର ସ୍ପେସିଆଲିଟି) ବିଭାଗ ପାଇଁ ଏସ୍‌ସିବିରେ ସର୍ବାଧିକ ୧୫ଜଣ ଓ ଏମ୍‌କେସିଜି ବ୍ରହ୍ମପୁର ପାଇଁ ୭ଜଣଙ୍କୁ ନିଯୁକ୍ତି ଦିଆଯିବା ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ ଯେ, ଏସ୍‌ସିବିରେ ୨୫୦ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଏମ୍‌ସିଆଇ ମଂଜୁରି ରହିଛି। ହେଲେ ବିଭିନ୍ନ ବିଭାଗରେ ୩ବର୍ଷ ତଳେ ଖୋଲିଥିବା ପିଜି ସିଟ୍‌ ଭିତ୍ତିଭୂମି ଯାଂଚ ପାଇଁ ଖୁବଶୀଘ୍ର ଏମ୍‌ସିଆଇ ଟିମ୍‌ ଆସିବାର ଅଛି। ଏସ୍‌ସିବିର ସର୍ଜରି, ଚକ୍ଷୁ, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ, ଅର୍ଥୋପେଡିକ୍‌, ସ୍କିନ୍‌, ମେଡିସିନ୍‌, ପଲ୍ୟୁମୁନାରି ମେଡିସିନ୍‌, ରେଡିଓଲୋଜି ବିଭାଗ ଭଳି ୮ଟି ବିଭାଗକୁ ଜୁନ୍‌ ୨୯ ସୁଦ୍ଧା ଏମ୍‌ସିଆଇ ଟିମ୍‌ ଆସିବ। ସଂପୃକ୍ତ ପିଜି ପାଠ୍ୟକ୍ରମ ପାଇଁ ପରୀକ୍ଷା ଆରମ୍ଭ ହେବା ମାତ୍ରେ ବିଭାଗୀୟ ମୁଖ୍ୟମାନେ ଏମ୍‌ସିଆଇକୁ ଚିଠି ଲେଖିବେ। ଗାଇଡ୍‌ଲାଇନ୍‌ କହୁଛି ସଂପୃକ୍ତ ବିଭାଗର ୮୫ପ୍ରତିଶତ ପଦ ପୂରଣ ହୋଇଥିବ ଓ ଏମ୍‌ସିଆଇର ସର୍ତ୍ତ ଅନୁସାରେ ବିଭାଗ ଗୁଡିକ ସେଗୁଡିକ ପୂରଣ କରିଥିବେ। ହେଲେ ଏସ୍‌ସିବି ସର୍ଜରି ବିଭାଗ ଜଣେ ପ୍ରଫେସର, ୩ଜଣ ସହଯୋଗୀ ପ୍ରଫେସର ପଦ ଖାଲି ପଡିଥିବାବେଳେ କମ୍ୟୁନିଟି ମେଡିସିନ୍‌ ବିଭାଗରେ ଜଣେ ପ୍ରଫେସର ପଦ ଖାଲି ପଡିଛି। ପାଥୋଲୋଜି ବିଭାଗ ମଧ୍ୟ ବିନା ପ୍ରଫେସରରେ ଚାଲିଛି। ଅନ୍ୟପଟେ ଜୁଲାଇରେ ମଧ୍ୟ ଅନ୍ତଃସ୍ରାବି ବିଭାଗ ପ୍ରଫେସର ପଦ ଖାଲି ହୋଇଯିବ। ଏଭଳି ସ୍ଥିତିରେ ଏମ୍‌ସିଆଇ ନିୟମ କର୍ତ୍ତୃପକ୍ଷ କିପରି ପୂରଣ କରିବେ ତାକୁ ନେଇ କର୍ତ୍ତୃପକ୍ଷ ଏବେ ତତ୍ପର ହୋଇଉଠିଛନ୍ତି।

ସମ୍ବନ୍ଧିତ ଖବର