ଅନୁଗୁଳ: ଉଦ୍ବେଗଜନକ ହାରରେ କମୁଛନ୍ତି କନ୍ୟା। ଏବେ ଅନୁଗୁଳରେ ପ୍ରତି ହଜାରେ ପୁଅରେ ୮୩୫ ଜଣ ଝିଅ। ଆଶ୍ଚର୍ଯ୍ୟର କଥା, ବିକଶିତ ଅଞ୍ଚଳରେ ଏହି ହାର ଅତି ଖରାପ। ଆଠମଲ୍ଲିକ ପରି ପଛୁଆ ଅଞ୍ଚଳରେ ପୁଅଙ୍କ ତୁଳନାରେ ଝିଅ ଅଧିକ ରହିଥିଲା ବେଳେ ବଅଁରପାଳ ପରି ଶିକ୍ଷିତ ତଥା ବିକଶିତ ଅଞ୍ଚଳରେ ପ୍ରତି ହଜାରେ ପୁଅରେ ମାତ୍ର ୬୮୪ ଜଣ ଝିଅ ଅଛନ୍ତି।
ପୁଅ-ଝିଅଙ୍କ ଭିତରେ କିଛି ଫରକ ନାହିଁ ବୋଲି ଯେତେ ସଚେତନ କରାଇଲେ ମଧ୍ୟ ସଭ୍ୟ ସମାଜ ଉପରେ ଏହାର ବିଶେଷ ଫରକ ପଡ଼ୁନି। ବରଂ, ପୁଅ ପ୍ରତି ସେମାନଙ୍କ ମନରେ ରହିଥିବା ଅସମ୍ଭବ ଦୁର୍ବଳତା ପାଇଁ କନ୍ୟାଭ୍ରୂଣ ହତ୍ୟା ପରି ସାମାଜିକ ବ୍ୟାଧି ବଢ଼ି ଚାଲିଛି। ଅପେକ୍ଷାକୃତ ଉନ୍ନତ ଓ ବିକଶିତ ଅଞ୍ଚଳରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ବହୁ ମାତ୍ରାରେ କମୁଥିବାରୁ ଏହା ସ୍ପଷ୍ଟ ହୋଇଛି। ଅନୁଗୁଳ ଜିଲ୍ଲାରେ ହଜାରେ ପୁଅରେ ୮୩୫ ଝିଅ ରହିଥିଲା ବେଳେ ଏହି ତୁଳନାରେ ଅନୁଗୁଳ, ବଅଁରପାଳ, ତାଳଚେର ଓ କଣିହାଁରେ ସ୍ଥିତି ଆହୁରି ଖରାପ। ତେବେ ଛେଣ୍ଡିପଦା, କିଶୋରନଗର, ପାଳଲହଡ଼ା ଓ ଆଠମଲ୍ଲିକ ଅଞ୍ଚଳରେ ଏହି ଅନୁପାତ ଅପେକ୍ଷାକୃତ ସନ୍ତୋଷଜନକ।
ବିକଶିତ ଅଞ୍ଚଳରେ ବଢ଼ୁଛି କନ୍ୟାଭ୍ରୂଣ ହତ୍ୟା
ପୁଅ-ଝିଅ ଅନୁପାତରେ ଘୋର ଅସମତା
ସରକାରୀ ତଥ୍ୟ ଅନୁସାରେ, ବଅଁରପାଳ ବ୍ଲକ୍ରେ ପୁଅ-ଝିଅ ହାର ସବୁଠାରୁ ଖରାପ ରହିଛି। ପ୍ରତି ହଜାରେ ପୁଅରେ କଣିହାଁ ବ୍ଲକ୍ରେ ୭୬୨ ଜଣ ଝିଅ, ତାଳଚେର ସହରରେ ୭୯୦ ଝିଅ, ତାଳଚେର ବ୍ଲକ୍ରେ ୮୧୫ ଓ ଅନୁଗୁଳ ସହରରେ ୮୨୪ ଜଣ ଝିଅ ଅଛନ୍ତି। ଜିଲ୍ଲା ଅନୁପାତ ଅପେକ୍ଷା ଏମାନେ ଆହୁରି ତଳେ ଅଛନ୍ତି। ତେବେ ଆଠମଲ୍ଲିକରେ ପ୍ରତି ହଜାରେ ପୁଅରେ ୧୦୯୭ ଜଣ ଝିଅ ଅଛନ୍ତି। ସେହିପରି ଆଠମଲ୍ଲିକ ସହରରେ ହଜାରେ ପୁଅରେ ଝିଅଙ୍କ ସଂଖ୍ୟା ୧୦୭୮। ଅନୁଗୁଳ ବ୍ଲକ୍ରେ ହଜାରେ ପୁଅରେ ୯୩୮ ଜଣ ଝିଅ ରହିଥିଲା ବେଳେ କିଶୋରନଗରରେ ଏହି ଅନୁପାତ ହେଉଛି ୯୩୩। ସେହିପରି ପାଳଲହଡ଼ାରେ ଏହି ଅନୁପାତ ୯୦୨ ଓ ଛେଣ୍ଡିପଦାରେ ୮୪୮ ରହିଛି।
ଅନୁଗୁଳ ଜିଲ୍ଲାରେ ପୁଅ-ଝିଅ ଭିତରେ ଏହି ତୁଳନାତ୍ମକ ଚିତ୍ର ସ୍ବାଭାବିକ ଭାବେ ଚିନ୍ତା ବଢ଼ାଇଛି। ଶିକ୍ଷିତ ଅଞ୍ଚଳରେ ଝିଅ କମିବା ଏକ ଭିନ୍ନ ବାର୍ତ୍ତା ଦେଉଛି। ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳରେ ଲୋକମାେନ କନ୍ୟାକୁ ରତ୍ନ ଭାବେ ଗ୍ରହଣ କରି କୋଳେଇ ନେଉଥିଲା ବେଳେ ଶିକ୍ଷିତ ଲୋକମାନଙ୍କର ପୁଅ ପ୍ରତି ମୋହ ଯାଉନି। ଗତ ୨ ବର୍ଷରେ ଝିଅ ଜନ୍ମରୁ ବି ଏହା ପ୍ରମାଣିତ ହୋଇଛି। ଗତ ୨ ବର୍ଷରେ ଅନୁଗୁଳ ଜିଲ୍ଲାରେ ଯେତିକି ପୁଅ ଜନ୍ମ ହୋଇଛନ୍ତି, ତା’ ତୁଳନାରେ ଝିଅ ସଂଖ୍ୟା ପ୍ରାୟ ହଜାରେ କମ୍ ବୋଲି ସରକାରୀ ରିପୋର୍ଟ କହୁଛି। ଏହି ତଥ୍ୟ ଅନୁସାରେ, ୨୦୨୩ରୁ ୨୦୨୪ ଭିତରେ ଅନୁଗୁଳ ଜିଲ୍ଲାରେ ୧୮୦୬୨ ଶିଶୁ ଜନ୍ମ ହୋଇଛନ୍ତି। ଏଥିରୁ ୯୪୮୩ ଜଣ ପୁଅ ହୋଇଥିଲା ବେଳେ ୮୫୭୯ ଜଣ ଝିଅ। ପୁଅ-ଝିଅଙ୍କ ଭିତରେ ଏହି ତାରତମ୍ୟ ନ କମିଲେ ଆଗକୁ ଭୟଙ୍କର ସ୍ଥିତି ଉପୁଜିବା ଜଳଜଳ ଦିଶିଲାଣି।