ଆଇନଜୀବୀଙ୍କୁ ବିନା ସୁଧରେ ଋଣ ପାଇଁ ଜନସ୍ବାର୍ଥ ମାମଲା

କଟକ: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଚାରି ମାସରୁ ଅଧିକ ହେବ କୋର୍ଟରେ ସ୍ବାଭାବିକ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ରହିଥିବା ବେଳେ ଆଇନଜୀବୀଙ୍କୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ ରାୟଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ମାର୍ଚ୍ଚ ଶେଷରୁ କୋର୍ଟ କାର୍ଯ୍ୟ ଏକ ପ୍ରକାର ବନ୍ଦ ରହିଥିବାରୁ ବହୁ ଆଇନଜୀବୀ ଆର୍ଥିକ ସମସ୍ୟା‌ ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁବ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଘୋଷଣା କରିଥିଲା।

ଏଥି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। କିନ୍ତୁ ଏହା ଭିତରେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମିଳି ପାରି ନାହିଁ। ତେଣୁ ଆଇନଜୀବୀଙ୍କୁ ଏବେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉ। ଆଇନଜୀବୀଙ୍କ ପେସାଗତ ଅନୁଭବକୁ ଦୃଷ୍ଟିରେ ରଖି ଋଣ ବାବଦ ଅର୍ଥ ଧା‌ର୍ଯ୍ୟ କରାଯାଉ। ସେମାନଙ୍କ ଲାଇସେନ୍ସ ବନ୍ଧକ ରଖି ଋଣ ଦିଆଯାଉ। ଋଣ ବାବଦ ମିଳିବାକୁ ଥିବା ଅର୍ଥକୁ ବିନା ସୁଧରେ ଆଇନଜୀବୀମାନେ ତିନି ବର୍ଷ ଭିତରେ ପରିଶୋଧ କରିବେ। ଏଥି ପାଇଁ ତୁରନ୍ତ ଆଇନଜୀବୀଙ୍କ ଜାତୀୟକରଣ ବ୍ୟାଙ୍କ ଆକାଉଣ୍ଟକୁ ଋଣ ବାବଦ ଅର୍ଥ ପ୍ରଦାନ କରାଯାଉ। ଏଥି ପାଇ ରାଜ୍ୟ ଆଇନଜୀବୀ ପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର