ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗ: ‌ରାଜ୍ୟପାଳଙ୍କ ଚିଠିକୁ ବି ଚାପିଦେଲେ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଉଦ୍‌ବେଗଜନକ ସ୍ଥିତିକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଭକ୍ତ ମହଲ ରତ୍ନଭଣ୍ଡାରର ଭଗ୍ନ ଅବସ୍ଥା ଓ ଏହା ଭିତରେ ରହିଥିବା ରତ୍ନ ଅଳଙ୍କାର ସ୍ଥିତି ଜାଣିବାକୁ ଇଚ୍ଛା ପ୍ରକାଶ କଲେଣି। ସତରେ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଅଛି ତ, ଭକ୍ତଙ୍କ ଏଭଳି ପ୍ରଶ୍ନ ଏବେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲାଣି। ଏଭଳି ସ୍ଥିତିରେ ୨୦୧୯ ମସିହାରେ ରତ୍ନଭଣ୍ଡାର ସମ୍ପର୍କରେ ରାଜ୍ୟପାଳଙ୍କ ଚିଠି ଘଟଣାକୁ ରୋଚକ ମୋଡ଼ରେ ଆଣି ଠିଆ କରିଛି। ସେତେବେଳେ ରାଜ୍ୟପାଳ ବି ରତ୍ନଭଣ୍ଡାର ସମ୍ପର୍କିତ ଜଣେ ଭକ୍ତଙ୍କ ଅଭିଯୋଗ ଉପରେ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିଲେ। ରତ୍ନଭଣ୍ଡାର ସମ୍ପର୍କରେ ଜବାବ ମାଗିଥିଲେ। କିନ୍ତୁ ଆଜି ସୁଦ୍ଧା ଏହାର ଉତ୍ତର ରଖିନି ଆଇନ ବିଭାଗ।

୨୦୧୯ ସେପ୍ଟେମ୍ବରରେ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କରେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ଭକ୍ତ ଦିଲୀପ କୁମାର ବରାଳ। ରାଜ୍ୟପାଳଙ୍କୁ ଏହି ଅଭି ଯୋଗର ପଞ୍ଜୀକୃତ ନମ୍ବର ହେଉଛି ୨୬୫୪/ପି/୧୧.୯.୨୦୧୯। ସେ ସମୟରେ ଭକ୍ତ ଦିଲୀପ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ହାଇକୋର୍ଟଙ୍କ ଆଦେଶ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ୨୦୧୮ ଏପ୍ରିଲ ୪ରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ, ପରିଚାଳନା କମିଟି, ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ପାଇଁ ଯାଇଥିଲେ। କିନ୍ତୁ ସେହିଦିନ ଏହି ପ୍ରସଙ୍ଗକୁ ବନ୍ଦ କରି ଦିଆଗଲା। ପ୍ରାଧିକୃତ କମିଟି ଗଣମାଧ୍ୟମ ଆଗରେ ଜବାବ ରଖିଲା ଯେ ଭିତର ରତ୍ନଭଣ୍ଡାର ଚାବି ହଜିଯାଇଥିବାରୁ ଏହା ଖୋଲିବା ସମ୍ଭବ ହେଲାନି କିମ୍ବା ଅଳଙ୍କାର ଗଣତି ହୋଇପାରିଲା ନାହିଁ। ଏହାର କିଛିଦିନ ପରେ ତତ୍କାଳୀନ ଜିଲ୍ଲାପାଳ ଭିତର ରତ୍ନଭଣ୍ଡାର ନକଲ ଚାବି ଜିଲ୍ଲା ରେକର୍ଡ ରୁମ୍‌ରୁ ମିଳିଲା ବୋଲି ସଫେଇ ଦେଇଥିଲେ। ଏଭଳି କରି ହାଇକୋର୍ଟଙ୍କ ଆଦେଶଙ୍କୁ ଭିନ୍ନ ରୂପ ଦେବାକୁ ଚେଷ୍ଟ କରାଗଲା। ମାନ୍ୟବର ହାଇକୋର୍ଟଙ୍କୁ ବିଭ୍ରାନ୍ତିକର ଉତ୍ତର କରାଗଲା। ପରେ ହାଇକୋର୍ଟଙ୍କ ଆଦେଶକ୍ରମେ ରାଜ୍ୟ ସରକାର ଏକ ତଦନ୍ତ କମିସନ ଗଠନ କଲେ।

ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ମୁଖ୍ୟ ରହିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତଦନ୍ତ କମିସନଙ୍କ ତଦନ୍ତ ରିପୋର୍ଟ ଲୋକଲୋଚନକୁ ଆସି ପାରିଲାନି। ରତ୍ନଭଣ୍ଡାର ଅସୁରକ୍ଷିତ ଥିବାରୁ ରତ୍ନ ଅଳଙ୍କାର ସୁରକ୍ଷାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏହା ଆଧାରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ୨୦୧୯ ସେପ୍ଟେମ୍ବର ୨୩ ତାରିଖରେ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ଚିଠି(ପି-୧-୨୨-୨୦୧୯) କରାଯାଇଥିଲା। ଯେଉଁଥିରେ ରାଜ୍ୟପାଳ ରତ୍ନଭଣ୍ଡାର ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଏ ଦିଗରେ କ’ଣ ପଦକ୍ଷେପ ନିଆଗଲା, ସେ ସମ୍ପର୍କରେ ଅଭିଯୋଗକାରୀ ଓ ତାଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ କୁହାଯାଇଥିଲା। କିନ୍ତୁ ରାଜ୍ୟ ଆଇନ ବିଭାଗ ଏ ଉପରେ ଆଜି ପର୍ଯ୍ୟନ୍ତ କୌଣସି ଜବାବ ରଖିନି। ଯାହା ରତ୍ନଭଣ୍ଡାର ସନ୍ଦେହକୁ ଆହୁରି ବଢ଼ାଇଛି। ସତରେ କ’ଣ ପୂର୍ବରୁ ଆକଳନ କରାଯାଇଥିବା ରତ୍ନ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ’ ବୋଲି ଭକ୍ତ ମହଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର