କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି

ଭୁବନେଶ୍ୱର: କଂଗ୍ରେସରେ ଯୋଗଦେଲେ କୋରାପୁଟର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ  ଜୟରାମ ପାଙ୍ଗି । ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ରହି ନିଜ ରାଜନୈତିକ କ୍ୟାରିୟରକୁ ଆଗକୁ ନେଇଥିଲେ । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ୧୯୭୭ ମସିହାରେ ଜନତା ଦଳ ଟିକେଟ୍‌ରେ ପଟ୍ଟାଙ୍ଗୀ ବିଧାନସଭା ଆସନରୁ ଜିତି ରାଜନୈତିକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୦ରେ ମଧ୍ୟ ଜନତା ଦଳ ପ୍ରାର୍ଥୀ ଭାବେ ବିଧାୟକ ‌ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ।  ପରେ ୨୦୦୦ ଓ ୨୦୦୪ରେ ବିଜେଡି ଟିକେଟରେ ପଟ୍ଟାଙ୍ଗୀରୁ ବିଜୟ ଲାଭ କରିଥିଲେ। ୨୦୦୯ରେ ତାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଥିଲା। ପରେ ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇଥିଲା। ଏହାପରେ ସେ ବିଜେପିକୁ ଆସିଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ।

ସେପଟେ ତଳସରାର ପୂର୍ବତନ ବିଧାୟକ ରଂଜିତ ଭିତ୍ରିଆ ବିଜେଡ଼ି ଛାଡି କଂଗ୍ରେସରେ ଯୋଗ ଦେଇଥିବାବେଳେ ଏଥି ସହିତ ଅନେକ ବୁଦ୍ଧିଜୀବୀ ଓ ଯୁବ ନେତା ବିଜେପି ଓ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ।

କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକେଇଲେ ଜୟରାମ। ବାପାଙ୍କ ଦଳରେ ଯୋଗ ଦେଲି କହିଲେ ଜୟରାମ ପାଙ୍ଗୀ। ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି କହିଥିଲେ । ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବେ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ।

ସମ୍ବନ୍ଧିତ ଖବର