ମୃତ୍ୟୁକୁ ଏତେ ପାଖରୁ ଦେଖିଛି, ଆଉ ଯିବିନି; ଘ‌ରେ ପହଞ୍ଚିବା ପରେ ଏଭଳି କହିଲେ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି। ୧୭ଦିନ ପରେ ଖନନ କାର୍ଯ୍ୟ ଶେଷ ହେବା ସହ ଶ୍ରମିକମାନଙ୍କୁ ବାହାରକୁ ବାହାର କରାଯାଇଥିଲା। ଗତ ୧୭ଦିନ ଧରି ଟନେଲ ଭିତରେ ସେମାନେ ଫସି ରହିଥିଲେ। ଉତ୍ତରପ୍ରଦେଶର ୬ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଥିବା ବେଳେ ଏବେ ସେମାନେ ନିଜ ଘରେ ପହଞ୍ଚିଛନ୍ତ। ଘରେ ପହଞ୍ଚିବା ପରେ ପୁଣି ଥରେ ଟନେଲ କାମ ପାଇଁ ଫେରିବେ କି ନାହିଁ ପ୍ରଶ୍ନ କରାଯିବା ପରେ ଉତ୍ତରରେ ନାଁ ବୋଲି କହିଛନ୍ତି ଜଣେ ଶ୍ରମିକ।

୬ଜଣଙ୍କ ମଧ୍ୟରୁ ଜଣେ ଶ୍ରମିକ କହିଛନ୍ତି ଯେ, ୧୭ଦିନ ଧରି ମୁଁ ମୃତ୍ୟୁକୁ ବହୁତ ପାଖରୁ ଦେଖିଥିଲି। ଆଉ ଥରେ ଯିବାକୁ ଚାହିବି ନାହିଁ। ଭିତରେ ଥିବା ବେଳେ ଆମେ ପରସ୍ପରର ମନୋବଳ ବଢ଼ାଉଥିଲୁ ସତ, ହେଲେ ଟନେଲ ଭିତରୁ ବାହାରିପାରିବୁ କି ନାହିଁ, ତାହା ଜଣାନଥିଲା। ଏବେ ଘରକୁ ଫେରି ବହୁତ ଖୁସି। ପୁଣି ଥରେ ଯିବାକୁ ଇଚ୍ଛା ନାହିଁ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ଏହାପରଠାରୁ ଉତ୍ତରାଖଣ୍ଡ ସରକାର, ଉଦ୍ଧାରକାରୀ ଟିମ୍ ଓ କେନ୍ଦ୍ର ସରକାର ମିଳିତ ଭାବେ ସେମାନଙ୍କୁ ୧୭ଦିନ ପରେ ବାହାରକୁ ଆଣିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର