ପ୍ରତି ଗାଁରୁ ଜଣେ ସେନାରେ ସାମିଲ୍‌ ହୁଅନ୍ତୁ: ସେନା ଉପମୁଖ୍ୟ

ଚୀନ୍ ସେନାଠାରୁ ଭାରତୀୟ ସେନା ଅଧିକ ଆଧୁନିକ
ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ

ଭୁବନେଶ୍ବର : ଭାରତୀୟ ସେନାରେ ଓଡ଼ିଶାର ବହୁତ କମ୍‌ ଯୁବକଯୁବତୀ ଅଛନ୍ତି। ଏହାର ମୁଖ୍ୟ କାରଣ ହେଲା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ। ଓଡ଼ିଶାର ବହୁତ ଯୁବକଯୁବତୀ ଜାଣନ୍ତିନି କେମିତି ସେନାରେ ଭର୍ତ୍ତି ହୁଅନ୍ତି, ସେନାରେ କ’ଣ ରୢାଙ୍କ ଥାଏ, ସେନାରେ ସାମିଲ୍‌ ହେଲେ କ’ଣ ସୁବିଧା ସୁଯୋଗ ମିଳେ। ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡ଼ିବ। ଏହା ସହ ପ୍ରତ୍ୟେକ ଗାଁରୁ ଅତି କମ୍‌ରେ ଜଣେ ଲେଖାଏଁ ଯୁବକଯୁବତୀ ସ୍ଥଳସେନା/ବାୟୁ‌ସେନା କିମ୍ବା ନୌସେନାରେ ସାମିଲ୍‌ ହେବା ଦରକାର ବୋଲି ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି କହିଛନ୍ତି।

ଆଜି ସୈନିକ ସ୍କୁଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାବ ବିନିମୟ କରିବା ସମୟରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍କୁଲସ୍ତରରେ ପିଲାଙ୍କୁ ଭାରତୀୟ ସେନା ବିଷୟରେ ମୌଳିକ ଜ୍ଞାନ ଦେବା ଦରକାର। ଏଥିପାଇଁ ବିଭିନ୍ନ ଶିକ୍ଷା ବୋର୍ଡ ଓ ରାଜ୍ୟ ସରକାର ସେନାର ରୢାଙ୍କ୍‌, କିପରି ପାଠ ପଢ଼ିବେ, କେଉଁ ପ୍ରଶିକ୍ଷଣ ନେଲେ ସେନାରେ ଭର୍ତ୍ତି ହୋଇପାରିବେ, ସ୍ଥଳସେନା, ବାୟୁସେନା ଓ ନୌସେନାର ଭୂମିକା ବିଷୟରେ ପାଠ୍ୟକ୍ରମରେ ସାମିଲ୍‌ କରନ୍ତୁ।

ନିଜ ଅନୁଭୂତି ନେଇ ଲେଫ୍ଟନାଣ୍ଟ ଜେନେରାଲ କହିଥିଲେ ଯେ, ମୁଁ ଦଶମ ଶ୍ରେଣୀ ଯାଏ ଓଡ଼ିଆ ମାଧ୍ୟମରେ ପଢ଼ିଛି। ତେଣୁ ଓଡ଼ିଆ ମାଧ୍ୟମ ପିଲା ସେନାରେ ବଡ଼ ପଦବି ପାଇବେନି ବୋଲି ଭାବିବା ଭୁଲ୍‌। ପାରାଦୀପକୁ ଆସିଥିବା ଯୁଦ୍ଧ ଜାହାଜକୁ ଦେଖିବା ପରେ ମୋ’ ବାପା ମୋତେ ସେନାରେ ଭର୍ତ୍ତି କରିବାକୁ ମନ ବଳାଇଥିଲେ। ବାପାଙ୍କ ଆଶୀର୍ବାଦରୁ ମୁଁ ସେନାରେ ଭର୍ତ୍ତି ହେଲି ଓ ପଦୋନ୍ନତି ପାଇ ଏହି ସ୍ଥାନରେ ପହଞ୍ଚିଛି। ସେନାରେ ଏବେ ବହୁତ ଓଡ଼ିଆ ଅଫିସର ବଡ଼ ପଦପଦବିରେ ଅଛନ୍ତି। କିନ୍ତୁ ୮୦ ଦଶକରେ ଏହି ସଂଖ୍ୟା ବହୁତ କମ୍‌ ଥିଲା। ତେଣୁ ଓଡ଼ିଆ ସେନାଧିକାରୀଙ୍କୁ ବାହାଘର ପାଇଁ ଲୋକ ଝିଅ ଦେଉ ନ ଥିଲେ। ଏବେ କିନ୍ତୁ ଏହି ସମସ୍ୟା ଆଉ ନାହିଁ।

ଏହି ଅବସରରେ ଭାରତ-ଚୀନ ବିବାଦ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ଚୀନ ଭାରତ ଉପରେ ଆକ୍ରମଣ କରିବା ସହଜ ନୁହେଁ। ଦୁଇ ଦେଶ ପରମାଣୁ ସଂପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା। ଏବେ ସାରା ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ସ‌ମସ୍ତେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ସହ ଆଧୁନିକୀକରଣ କରୁଛନ୍ତି। ପଡ଼ୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନିକୀକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନିକୀକରଣ କରିବାରେ ସହଯୋଗ କରୁଛି। ହେଲେ ଉଭୟ ପଡ଼ୋଶୀ ରାଷ୍ଟ୍ରଠାରୁ ଭାରତୀୟ ସେନା ଅଧିକ ଆଧୁନିକ। ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ୍‌ ଶକ୍ତିଶାଳୀ। ଏହାଛଡ଼ା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଏବେ ବୈଷୟିକ ଜ୍ଞାନକୌଶଳ ଓ ଆଧୁନିକୀକରଣକୁ ଅଧିକ ଫୋକସ୍‌ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପୂରା ସହଯୋଗ କରୁଛନ୍ତି।

ଉଊେଲ୍ଲଖଯୋଗ୍ୟ ଯେ ଓଡ଼ିଶା ଗ୍ରସ୍ତରେ ଆସିଥିବା ଶ୍ରୀ ମହାନ୍ତି ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ସମ୍ବନ୍ଧିତ ଖବର