ପୁଲିସ ଡିଜି ଅଭୟଙ୍କ ଗସ୍ତ ବେଳେ ଅପ୍ରୀତିକର ପରିସ୍ଥିତି, ସମ୍ମିଳନୀକୁ ବର୍ଜନ କଲେ ସାମ୍ବାଦିକ

ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ଆସିଥିଲେ ଡିଜିପି ଅଭୟ। ହେଲିକପ୍ଟରରେ ଓହ୍ଲାଇବା ପରେ ସେ ବିଭାଗୀୟ ସମୀକ୍ଷା କରିଥିଲେ। ବିଶେଷ କରି ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ଗତିବିଧି ସଂପର୍କରେ ସମୀକ୍ଷା କରିଥିଲେ। ଦିନ ୧୧ଟା ୧୫ମିନିଟ ସମୟରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ତା ପୂର୍ବରୁ ଡିଜିପିଙ୍କ ଗସ୍ତ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ଯାଇଥିବା ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। କେତେ ଜଣ ସାମ୍ବାଦିକଙ୍କୁ ଏସ୍‌ପିଙ୍କ ନିର୍ଦେଶ ଥିବା କହି ପୁଲିସ କର୍ମଚାରୀ ନାନା କଥା କହି ଦୁର୍ବ୍ୟବହାର ପ୍ରଦର୍ଶନ କରଥିଲେ। ଏପରିକି ସାମ୍ବାଦିକଙ୍କ ଗାଡ଼ିର ହ୍ୟାଣ୍ଡେଲ ଧରି ରିଜର୍ଭ କାର୍ଯ୍ୟାଳୟକୁ ଛାଡ଼ିନଥିଲେ। ଯାହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରାଯାଇଥିଲା।

ଘଟଣାରୁ ପ୍ରକାଶ ଯେ, ଶନିବାର ଦିନ ୧୧ଟା ୧୫ରେ ରିଜର୍ଭ କାର୍ଯ୍ୟାଳୟଠାରେ ଡିଜିପିଙ୍କ ପ୍ରେସ୍‌ମିଟ୍‌ ଥିଲା। ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ସମ୍ବାଦିକଙ୍କୁ ସୂଚନା ଦିଆଯାଇଥିଲା। ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଡିଜିପି ଆସିବା ଖବର ପାଇ ଫଟୋ ଉତ୍ତୋଳନ କରିବାକୁ ପ୍ରଥମେ ଯାଇଥିଲେ। ସେମାନଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିଲା। ଫଳରେ କେତେଜଣ ଗଣମାଧ୍ୟମ ପ୍ରତିନିଧି ମନୋହରପୁର ପଡ଼ିଆ ପଛପଟୁ ଯାଇ ଭିଜୁଆଲ ସଂଗ୍ରହ କରିଥିଲେ। ତାପରେ ସମ୍ବାଦିକମାନେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ତଥା ଡିଜିପିଙ୍କ ବାଇଟ୍‌ ସଂଗ୍ରହ ପାଇଁ କିଛି ସମୟ ପୂର୍ବରୁ ରିଜର୍ଭ କାର୍ଯ୍ୟାଳୟକୁ ଯାଉଥିଲେ। ଗେଟ ଭିତରକୁ ସାମ୍ବାଦିକମାନଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ପଶିବାକୁ ଦେଇନଥିଲେ। ଠିକ ସମୟରେ ହିଁ ଛଡ଼ାଯିବ କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କିନ୍ତୁ ସେହି ରାସ୍ତା ଦେଇ ଅନ୍ୟମାନଙ୍କୁ ପୁଲିସ ଯିବାକୁ ଅନୁମତି ଦେଉଥିଲା। ସାମ୍ବାଦିକଙ୍କୁ ଛାଡ଼ିବାକୁ ବରିଷ୍ଠ ଅଧିକାରୀ ମନା କରିଥିବା ଉପସ୍ଥିତ ପୁଲିସ କର୍ମଚାରୀ କହିଥିଲେ। ୧୧ଟା ପରେ ହିଁ ସମ୍ବାଦିକଙ୍କୁ ଭିତରକୁ ଯିବାକୁ ଦିଆଯିବ ବୋଲି ଗେଟରେ ଥିବା ପୁଲିସ କର୍ମଚାରୀମାନେ କହିବା ସହିତ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ଡିଜିପି ଅଭୟଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲେ।

ଏସ୍‌ଡିପିଓ ଓ ଟାଉନ ଥାନା ଅଧିକାରୀ ଆସି ବୁଝାସୁଝା କରିଥିଲେ। ପରେ ଏସ୍‌ପି ଆସି ସାମ୍ବାଦିକମାନଙ୍କୁ ଭିତରକୁ ଯିବାକୁ ଡାକିଥିଲେ। କିନ୍ତୁ ସେ ଡାକିବା ସମୟରେ ତାଙ୍କ କର୍ତ୍ତବ୍ୟ ଅନୁସାରେ କେବଳ ଅନୁରୋଧ କରିବାକୁ ଆସିଥିବା କହିଥିଲେ। ସାମ୍ବାଦିକଙ୍କୁ କାହିଁକି ଦୁର୍ବ୍ୟବହାର ପ୍ରଦର୍ଶନ କରାଗଲା ସେ ନେଇ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଥିଲେ। ବାରବାର ତଥା ନିକଟରେ ଭିଭିଆଇପି ଗସ୍ତରେ ମଧ୍ୟ ଗେଟ ଲକ ପରମ୍ପରା ଆରମ୍ଭ ହୋଇଛି। ଏହା କଣ ପାଇଁ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ବାରମ୍ବାର ସମ୍ବାଦିକଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା ଏବଂ ଦୁର୍ବ୍ୟବହାର କରାଯାଉଥିବାରୁ ସମ୍ବାଦିକମାନେ ବଏକଟ କରି ସେଠାରୁ ଚାଲି ଆସିଥିଲେ। ତେବେ ଡିଜିପି ନିଜ ଗସ୍ତ କାର୍ଯ୍ୟକ୍ରମ ସାରି ଫେରିଯାଇଥିଲେ।

ସମ୍ବନ୍ଧିତ ଖବର