ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ : ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍‌ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ୍‌ ଏନ.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହାନ୍ତିଙ୍କ ନିଯୁକ୍ତି ପାଇଁ ସୁପାରିସ୍‌ କରିଛନ୍ତି। ଓଡ଼ିଶାର କୌଣସି ବିଚାରପତି ବର୍ତ୍ତମାନ କୌଣସି ବି ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନଥିବାରୁ ତାହାକୁ ବିଚାରକୁ ନେଇ କଲେଜିୟମ ଏଭଳି ସୁପାରିସ୍‌ କରିଥିବା ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟର ସବୁଠାରୁ ବରିଷ୍ଠତମ ବିଚାରପତି ଜଷ୍ଟିସ ମହାନ୍ତିଙ୍କ ବଦଳି ପରେ ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ୨୦୧୭, ଜୁନ୍ ୯ରେ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଅବସର ଗ୍ରହଣ କରିବା ପରେ ଓଡ଼ିଶାର କୌଣସି ବିଚାରପତି ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ପାଇ ନଥିଲେ।

ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ୧୯୬୦ ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିଲେ। ବିଶିଷ୍ଟ ଆଇନଜ୍ଞ ସ୍ବର୍ଗତ ବାରିଷ୍ଟର ରଣଜିତ ମହାନ୍ତି ଓ ଶକୁନ୍ତଳା ମହାନ୍ତିଙ୍କ ପୁଅ ଜଷ୍ଟିସ ମହାନ୍ତି ଦାର୍ଜିଲିଂର ମାଉଣ୍ଟ ହରମୋନ ହାଇ‌ସ୍କୁଲରୁ ଇଣ୍ଟରମିଡିଏଟ୍ ଶିକ୍ଷା ସମାପ୍ତ କରିଥିଲେ। ରେଭେନ୍ସାରୁ ସ୍ନାତକ ପାସ୍ କରିବା ପରେ ସେ ଦିଲ୍ଲୀର କ୍ୟାମ୍ପସ୍ ଲ’ କଲେଜରୁ ଏଲ୍‌ଏଲ୍‌ବି ପ୍ରଥମ ଡିଭିଜନରେ ପାସ୍ କରିଥିଲେ। ଏହାପରେ ସେ ଇଂଲଣ୍ଡର ୟୁନିଭରସିଟି ଅଫ୍ ‌କେମ୍ବ୍ରିଜ୍ରରୁ ଏଲ୍‌ଏଲ୍‌ଏମ୍ ପ୍ରଥମ ଡିଭିଜନରେ ପାସ୍‌ କରିଥିଲେ। ୧୯୮୪ରେ ସେ ଓକିଲାତି ଲାଇସେନ୍ସ ହାସଲ କରିବା ପରେ ପିତା ବାରିଷ୍ଟର ରଣଜିତ ମହାନ୍ତିଙ୍କ ଅଧୀନରେ ଓକିଲାତି ଆରମ୍ଭ କରିଥିଲେ। ସେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ରହିଥିବାବେଳେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଭାବେ ନିର୍ବାଚିତ ହେବା ସହିତ ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି(ବାଙ୍ଗାଲୋର୍)ର ବୋର୍ଡ ଅଫ୍ ଗଭର୍ଣ୍ଣର୍‌ସର ସଦସ୍ୟ ଥିଲେ। ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଓ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସେ ଆଜୀବନ ସଦସ୍ୟ ଥିଲେ। ୨୦୦୬, ମାର୍ଚ୍ଚ ୩୧ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ପରେ ଏଠାରୁ ବଦଳି ହୋଇ ସେ ୨୦୧୮, ନଭେମ୍ବର ୧୪ରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର