କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷିତ: ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଯୁଗଳ କିଶୋର ଷଡ଼ଙ୍ଗୀ

ଭୁବନେଶ୍ବର : ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ଚଳିତ ବର୍ଷର ଯୁବ ଓ ବ‌ାଲ୍‌ ସାହିତ୍ୟ ପୁରସ୍କାର ‌‌ଘୋଷି‌ତ ହୋଇଛି।

ଏଥର ଓଡ଼ିଆ ଭାଷାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇ‌ବାକୁ ମନୋନୀତ ହୋଇଛନ୍ତି। ‘ଜେଜେଙ୍କ ଗପ ଗଣ୍ଠିଲି’ ପୁସ୍ତକ ପାଇଁ ଡକ୍ଟର ଷଡ଼ଙ୍ଗୀ ଏହି ପୁରସ୍କାର ପାଇବେ। ୧୯୪୬ରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗାଁରେ ତାଙ୍କର ଜନ୍ମ। ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ଚିଠି’, ‘ତୁମ ପାଇଁ କବିତା’, ‘ଦଳପତି ଚୟନ’, ‘ଗୀତି ସୁରଭି’ ଏବଂ ‘ଅନ୍ଧାରରୁ ଆଲୁଅ’ ଇତ୍ୟାଦି। ଆକାଶବାଣୀ ଗୀତିକାର ଏବଂ ସାହିତ୍ୟ-ସଂସ୍କୃତି ଗବେଷକ ଭାବରେ ସେ ସୁପରିଚିତ। ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା ଅବସରରେ ସେ କହିଛନ୍ତି, ‘ଆଜିର ଡିଜିଟାଲ୍‌ ଯୁଗରେ ଶିଶୁ ସାହିତ୍ୟର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ମୋ ପୁସ୍ତକରେ କାହାଣୀ ମାଧ୍ୟମରେ ଶିଶୁଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦେବାକୁ ମୁଁ ଚେଷ୍ଟା କରିଛି। ଶିଶୁମାନେ ଭଲ କାହାଣୀ ପଢ଼ିବାର ସୁଯୋଗ ପାଇଲେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ।’ ପୁରସ୍କାର ସ୍ବରୂପ ତାଙ୍କୁ ତାମ୍ରଫଳକ ସହିତ ୫୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ।

ସେହିପରି ସାନ୍ତାଲି ଭାଷାରେ ‘ନେନେ-ପେଟେ’ ଗଳ୍ପ ପୁସ୍ତକ ପାଇଁ ମାନସିଂହ ମାଝୀଙ୍କୁ ବାଲ୍‌ ସାହିତ୍ୟ ପୁରସ୍କାର ଏବଂ ‘ଦୁସୀ’ ଗଳ୍ପ ସଙ୍କଳନ ପାଇଁ ବାପି ଟୁଡୁଙ୍କୁ ଯୁବ ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଆ ଭାଷାରେ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ। ଏହି ବୈଠକରେ ସାହିତ୍ୟ ଅକାଦେମିର ସଭାପତି ମାଧବ କୌଶିକ ପୌରୋହିତ୍ୟ କରିଥିଲେ। ଅକାଦେମିର ସଚିବ କେ. ଶ୍ରୀନିବାସରାଓ ପୁରସ୍କାର ସମ୍ପର୍କିତ ସୂଚନା ପ୍ରେସ୍‌ ବିଜ୍ଞପ୍ତି ମାଧୢମରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର