ଖଲଣା ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଗିରଫ

ରାମଚନ୍ଦ୍ରପୁର : ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୁଲିସ ଗୁରୁବାର ଦିନ ସାହାରପଡ଼ା ଅଞ୍ଚଳରୁ ଗିରଫ କରିଛି। ଦୁଇ ଭାଇ ହେଲେ ଅକ୍ଷୟ ଘୋଷ ଏବଂ ଗିରିଧାରୀ ଘୋଷ। ସେମାନେ ସାହାରପଡ଼ା ଅଞ୍ଚଳରେ ଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ସ୍ବତନ୍ତ୍ର ସ୍କାଡ୍ ଚଢ଼ଉ କରି ପାଟଣା ପୁଲିସ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅନୀଲ ବେହୁରିଆ ଏହି ସୂଚନା ଦେଇଛନ୍ତି। ଗିରଫ ଦୁଇଜଣଙ୍କୁ ରାମଚନ୍ଦ୍ରପୁର ଥାନାକୁ ଅଣାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଏସ୍‌ଡିପିଓ କହିଛନ୍ତି।

ରାମଚନ୍ଦ୍ରପୁର ଥାନା ଖଲଣା ଗ୍ରାମରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଜୁନ୍ ୧୪ ତାରିଖରେ ଘଟିଥିବା ଗୁଳିକାଣ୍ତ ଘଟଣାରେ ସୁନନ୍ଦ ସେଠୀ (୩୦)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଚନ୍ଦନ ବେହେରା (୨୭) ଗୁରୁତର ଆହତ ହୋଇଥିଲେ। ମୃତ ସୁନନ୍ଦଙ୍କ ପରିବାର ପକ୍ଷରୁ ୧୨ ଜଣଙ୍କ ନାମରେ ରାମଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ପୁଲିସ ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ମାଆ କୋଇଲି ଘୋଷ, ସୁଧାଂଶୁଶେଖର ରାଉତ, ଗୋପୀନାଥ ଦଳେଇ, ଅଜୟ ସାହୁ, କରୁଣାକର ସାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ମାତ୍ର ପୁଲିସକୁ ଚକମା ଦେଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୁଇଭାଇ ଅକ୍ଷୟ ଘୋଷ, ତାର ଭାଇ ଗିରିଧାରୀ ଘୋଷ ବୁଲୁଥିଲେ। ପୁଲିସ ସେମାନଙ୍କୁ ଖୋଜିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଗତକାଲି ସେମାନେ ସାହାରପଡ଼ା ଅଞ୍ଚଳରେ ଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା। ପୁଲିସର ଏକ ସ୍ବତନ୍ତ୍ର ଦଳ ସହାରପଡ଼ାରେ ପହଞ୍ଚି ‌ପାଟଣା ପୁଲିସ ସହାୟତାରେ ଗିରଫ କରିବାରେ ସକ୍ଷମ ହୋଇଥିବା ସେ କହିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଖତଗଦାରୁ ଜବତ କରାଯାଇଥିଲା। ବନ୍ଧୁକ ଯୋଗାଇ ଥିବା ସୁଧାଂଶୁ ଶେଖର ରାଉତଙ୍କୁ ଗିରଫ କରାଯାଇଥିବା ବେଳେ ସେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କରେ ପୁଲିସ ଖୋଳତାଡ଼ ଜାରି ରଖିଛି। ସୁରାକ ମିଳିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ‌ସେ କହିଛନ୍ତି।

ସମ୍ବନ୍ଧିତ ଖବର