କୋଟିଆରେ କୋରାପୁଟ ଜିଲ୍ଲାପାଳ : ଭଲମନ୍ଦ ପଚାରିଲେ, ପ୍ରକଳ୍ପର ସମୀକ୍ଷା କଲେ

କୋରାପୁଟ/ପଟାଙ୍ଗୀ : ବିଦାଦୀୟ କୋଟିଆକୁ ଆଜି କୋରାପୁଟ ଜିଲ୍ଲାପାଳ ଅଚାନକ ଗସ୍ତ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ଏହାସହ ଲୋକଙ୍କୁ ଭଲମନ୍ଦ ପଚାରି ବୁଝିଛନ୍ତି। ଜିଲ୍ଲାପାଳଙ୍କୁ ବି ପାଖରେ ପାଇ କୋଟିଆବାସୀ ସେମାନଙ୍କର ସମସ୍ୟା କହିଥିଲେ। ଏପଟେ ଏଠାରେ ଚାଲିଥିବା ବିଭିନ୍ନ କାମକୁ ନିର୍ଦ୍ଧାରିତ ସମୟ ଭିତରେ ସାରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଅଂଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲାବେଳେ ଏହି ଅଂଚଳରେ ପ୍ରଭାବ ବିସ୍ତାର କରିବା ପାଇଁ ଆନ୍ଧ୍ର ସରକାର ବାରମ୍ବାର ଉଦ୍ୟମ କରୁଛନ୍ତି। ଏହାକୁ ଜବାବ ଦେବା ପାଇଁ କୋଟିଆ ବିକାଶ ଲାଗି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି। ଏ ଭିତରେ ଏଠାରେ ବିଭିନ୍ନ ଉନ୍ନୟନମୂଳକ କାମ ଚାଲିଥିଲାବେଳେ ଆଜି ହଠାତ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କୋଟିଆରେ ପହଞ୍ଚି ଯାଇଥିଲେ। ସେ କୋଟିଆ ସମେତ ଅନ୍ୟ ଗାଁ ବୁଲି ‌ଲୋକଙ୍କ ଅଭାବ, ଅସୁବିଧା ପଚାରି ବୁଝିଥିଲେ। ଏହାସହ ବିଭିନ୍ନ ଉନ୍ନୟନମୂଳକ କାମ ଦେଖିଥିଲେ।

ଜିଲ୍ଲାପାଳ ପ୍ରଥମେ ଉପର ଗଞ୍ଜାଇପଦର ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁଛି କି ନାହିଁ ତାହ ପଚାରି ବୁଝିବା ସହ ଆଉ କଣ ଅସୁବିଧା ରହିଛି ସେ ସଂପର୍କରେ ଜାଣିବାକୁ ଚାହିଁଥିଲେ। ପରେ ଜିଲ୍ଲାପାଳ ତଳ ଗଞ୍ଜାଇପଦର ଗ୍ରାମକୁ ଯାଇଥିଲେ। ବିଜୁ ପକ୍କା ଘର, କ୍ଲଷ୍ଟର କୋଠା ଦେଖି କୋଟିଆ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ମନରେଗା କାର୍ଯ୍ୟ ସଂପର୍କରେ ପଚାରି ବୁଝିଥିଲେ। ସେହିପରି ନୂତନ ଭାବେ ନିର୍ମାଣ କରାଯାଉଥିବା ଦଶ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବିଦ୍ୟାଳୟ ଓ କୋଟିଆ ଗ୍ରାମରୁ ୪କିମି ଦୂର ମାଡ଼କାର ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର