ଦାରିଦ୍ରୢର କଷାଘାତ : ଦୁଇଦିନର ଶିଶୁକନ୍ୟାକୁ ବିକ୍ରି ଉଦ୍ୟମ, ପୁଲିସ ଓ ସିଡବ୍ଲୁସି ଦ୍ୱାରା ଉଦ୍ଧାର

ବିକ୍ରି ନୁହେଁ ପାଳିବାକୁ ଦେଉଥିଲି: ମା’

ବଲାଙ୍ଗୀର/ସଇଁନ୍ତଲା : ଦଶ ମାସ ଦଶ ଦିନ ଗର୍ଭରେ ଧରିଥିଲା। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା। କିନ୍ତୁ ନିଜ ଘରେ ନୁହେଁ। ରେଳ ଷ୍ଟେସନର ପାଇଖାନା ଭିତରେ। ପାଇଖାନା ଭିତରେ ଦୁନିଆ ଦେଖିଥିଲା ନବଜାତ ଶିଶୁକନ୍ୟା। କିନ୍ତୁ, ମା’ର କ୍ଷୀର ପିଇବା ଆଗରୁ ମୂଲ୍‌ଚାଲ୍‌ ସରିଗଲା ଓ ଦର ବି ଛିଣ୍ଡିଗଲା। ବିକ୍ରି ହୋଇଗଲା କଅଁଳା ଛୁଆ। ଭୋକ ଓ ଦାରିଦ୍ର୍ୟ ଆଗରେ ମାତୃତ୍ୱ ବି ମୁଣ୍ଡ ନୁଆଁଇଲା। ସଇଁନ୍ତଲା ଥାନା ଗଣ୍ଡପତ୍ରାପାଲି ପଂଚାୟତ ଫପସୀ ଗ୍ରାମ ଡୁଙ୍ଗୁରିପଡ଼ାଠାରେ ରବିବାର ମଧ୍ୟାହ୍ନରେ ଘଟିଛି ଶିଶୁକନ୍ୟା ବିକ୍ରିର ଏଭଳି ଏକ ଅଭାବନୀୟ ଘଟଣା। ସରୋଜିନୀ ମହାକୁଡ଼ ନାମ୍ନୀ ଜଣେ ମହିଳା ନିଜ ୨ ଦିନର ଶିଶୁକନ୍ୟାକୁ ରବିବାର ଅନ୍ୟ ହାତରେ ଟେକି ଦେଇଥିଲେ। ଅନ୍ୟପଟେ ଶିଶୁବିକ୍ରି ଖବର ପ୍ରଚାରିତ ହେବା ପରେ ପୁଲିସ ଓ ସିଡବ୍ଲୁସି କର୍ମକର୍ତ୍ତା ନବଜାତ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଆଣିଛନ୍ତି। ଶିଶୁବିକ୍ରି ଅଭିଯୋଗକୁ ମା’ ଏଡ଼ାଇ ଯାଇଥିଲେ ହେଁ ଅଭାବ ଓ ଅସହାୟତା ଯୋଗୁଁ ନିଜ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକି ଦେଇଥିବା କଥାକୁ ମାନଛନ୍ତି ।

ବଲାଙ୍ଗୀର ସହରର ରାଧାରାଣୀପଡ଼ାର ସରୋଜିନୀ ମହାକୁଡ଼ (୩୬) ଗତ ୮ ବର୍ଷ ତଳେ ଦିଲ୍ଲୀର ସୀୟାରାମ ନାମକ ବ୍ୟକ୍ତିଙ୍କ ସହ ବିବାହ କରି ଦିଲ୍ଲୀରେ ବସବାସ କରୁଥିଲେ। ସୀୟାରାମ ସରୋଜିନୀଙ୍କୁ ମାରପିଟ କରିବା ସଙ୍ଗେ ସଙ୍ଗେ ନିର୍ଯାତନା ଦେବାରୁ ସେ ଦିଲ୍ଲୀରୁ ଚାଲିଆସି ପ୍ରଥମେ ସମ୍ବଲପୁରରେ କିଛି ଦିନ ଭଡ଼ା ଘରେ ରହିଥିଲେ। ଟଙ୍କା ଅଭାବରୁ ସେଠାରୁ ଚାଲିଆସି ବଲାଙ୍ଗୀର ରେଳ ଷ୍ଟେସନରେ ରହୁଥିଲେ। ଦୁଇଦିନ ତଳେ ସରୋଜିନୀ ବଲାଙ୍ଗୀର ରେଳ ଷ୍ଟେସନଠାରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। କଥା ମୁତାବକ ସରୋଜିନୀ ସବିତାଙ୍କୁ ଫୋନ୍‌ ଯୋଗେ ଏ ବିଷୟ ଜଣାଇଥିଲେ। ରବିବାର ସକାଳୁ ସମ୍ବଲପୁର-ରାୟଗଡ଼ା ଇଂଟରସିଟିରେ ସରୋଜିନୀ ତାଙ୍କ ଦୁଇ ଦିନର ଶିଶୁକନ୍ୟାକୁ ଧରି ବଡ଼ମାଳ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ମଧୁ ଓ ତାଙ୍କ ସ୍ତ୍ରୀ ସବିତା ଷ୍ଟେସନରୁ ଶିଶୁକୁ ଫପସୀ ଗ୍ରାମର ଡୁଙ୍ଗୁରିପଡ଼ାସ୍ଥିତ ନିଜ ଘରକୁ ନେଇଥିଲେ। ସେଠାରେ ଟିଟିଲାଗଡ଼ ବ୍ଲକ ବାଂଜିପଦର ପଂଚାୟତର ଶିଶାକାନୀ ଗ୍ରାମର ଘନଶ୍ୟାମ ସୁନା ଏବଂ ତାଙ୍କ ସ୍ତ୍ରୀ ବାଲମତୀ ସୁନା ସରୋଜିନୀର ଶିଶୁକନ୍ୟାକୁ ନେବା ପାଇଁ ଅପେକ୍ଷା କରିଥିଲେ। ସକାଳ ପ୍ରାୟ ୧୦.୩୦ରୁ ୧୨ଟା ପର୍ଯ୍ୟନ୍ତ ଶିଶୁର ମୂଲଚାଲ୍‌ ଚାଲିଥିଲା। କିଛି ଲୋକ ଘଟଣା ବିଷୟରେ ଜାଣି ପାରି ସଇଁନ୍ତଲା ପୁଲିସକୁ ଖବର ଦେଇଥିଲେ। ଏ ବିଷୟରେ ଜାଣିବା ପରେ ସଇଁନ୍ତଲା ପୁଲିସ ଏସ୍‌ଆଇ ସଙ୍ଗୀତା ବେକ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବଲାଙ୍ଗୀର ସିଡବ୍ଲୁସିକୁ ଖବର ଦେଇଥିଲେ। ବଲାଙ୍ଗୀର ସିଡବ୍ଲୁସିର ତ୍ରିଲୋଚନ ନାଗ ଓ ଉର୍ବଶୀ ପଧାନ ପହଞ୍ଚି  ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର