ପାଟଣାଗଡ଼ ବିଜେଡିରେ ବିବାଦ : ଜିଲ୍ଲା ସମ୍ପାଦକ, ବ୍ଲକ ଯୁବ ସଭାପତି ସମେତ ୫ ଜଣଙ୍କ ଇସ୍ତଫା

ପାଟଣାଗଡ଼ : ପାଟଣାଗଡ଼ ବିଧାନସଭା ଆସନରେ ବିଜେପିର ୨୫ ବର୍ଷର ବିଜୟଧାରାକୁ ଭାଙ୍ଗି ଦୁର୍ଗ ଦଖଲ କରିଛି ବିଜେଡି । ମାତ୍ର ମାସ କେଇଟା ନପୂରୁଣୁ ଏଠାରେ ଦଳ ଭିତରେ ବିବାଦ ଘନେଇଥିବା ଲକ୍ଷ୍ୟ କରାଯାଇଛି। ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ କାର୍ଯ୍ୟକଳାପରେ ଅସ‌ନ୍ତୋଷ ପ୍ରକାଶ କରି ରବିବାର ଦଳର ଜିଲ୍ଲା ସମ୍ପାଦକ ପ୍ରଦୀପ ପୁରୋହିତ, ପାଟଣାଗଡ଼ ବ୍ଲକ ବିଜେଡି ଯୁବ ସଭାପତି ଆଲୋକ ପାଣିଗ୍ରାହୀ, ପୂର୍ବ ମନ୍ତ୍ରୀ ଅଇଁଠୁ ସାହୁଙ୍କ ପୁଅ ମାଣିକ୍ୟ ସାହୁ, ବଥର୍ଲା ସମିତି ସଭ୍ୟ ଲିଙ୍ଗରାଜ ନାଗ, ପାଟଣାଗଡ଼ ଏନ୍‌ଏସିର ପୂର୍ବ ୱାର୍ଡସଭ୍ୟ ସନ୍ତୋଷ ମେହେର ପ୍ରମୁଖ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କେଭିଙ୍କୁ ଟକ୍କର ଦେଇ ସଙ୍ଗଠନକୁ ଦୀର୍ଘ ଦିନ ହେଲାଣି ଦୃଢ଼ କରି ରଖିଥିବା ପୁରୁଣା କର୍ମକର୍ତ୍ତାଙ୍କ ମଧ୍ୟରେ ଉକ୍ତ ପାଞ୍ଚ ଜଣ ରହିଥିଲେ। ମାତ୍ର ନବନିର୍ବାଚିତ ବିଧାୟକ ଶ୍ରୀ ମେହେରଙ୍କ ସହ ଏମାନଙ୍କର ବିବାଦ ଆରମ୍ଭ ହୋଇଯାଇଛି। ଏହି ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଏହି ନେତାମାନଙ୍କ ଦସ୍ତଖତ ଥିବା ଏକ ଇସ୍ତଫାପତ୍ର ଜିଲ୍ଲା ସଭାପତି କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି। ଇସ୍ତଫା ଦେଇଥିବା ଏହି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେଡି ଆରମ୍ଭ ଦିନଠାରୁ ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ ଏମାନେ ଦଳର ସଙ୍ଗଠନ ସମ୍ଭାଳି ଆସୁଥିଲେ। ବହୁ ବର୍ଷ ପରେ ପାଟଣାଗଡ଼ ଆସନ ବିଜେଡି ଦଖଲ କରିଛି। ବର୍ତ୍ତମାନ ନିର୍ବାଚିତ ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ ଦଳର ପୁରାତନ କର୍ମୀମାନେ ଅସନ୍ତୁଷ୍ଟ ଥିଲେ। ଏ ସଂପର୍କରେ ବାରମ୍ବାର ସେମାନେ ଜିଲ୍ଲା ସଭାପତି ଶ୍ରୀ ସିଂହଦେଓ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସିଂଙ୍କ ଠାରେ ଅଭିଯୋଗ କରି ଆସୁଥିଲେ। ହେଲେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିବାରୁ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର