ପଥର କୁଆଁରି ଧସିବା ଘଟଣା : ଉଦ୍ଧାର ଅଭିଯାନରେ ସେନା, ଆଶଙ୍କାରେ ରହିଛନ୍ତି ସହଯୋଗୀ

ଜୟପୁର : ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ କମୁନି। ମାଳମାଳ ଅଧିକାରୀଙ୍କ ଗହଳିଚହଳି ଲାଗିରହୁଛି। ଉଦ୍ଧାର ପାଇଁ ସମସ୍ତେ ତତ୍ପର। କିନ୍ତୁ ରାତିରେ ଭିଡ଼ କମିବା ପରେ ଖାଁ ଖାଁ ଲାଗୁଛି ଠିକା କ୍ୟାମ୍ପ। ଘଟଣା ପରେ ସ୍ତବ୍ଧ ହୋଇଯାଇଥିବା କର୍ମଚାରୀ ଆଶଙ୍କାରେ ବିତାଉଛନ୍ତି ପୂରା ରାତି। ଅଜଣା ଆତଙ୍କରେ ଶିହରି ଉଠୁଛନ୍ତି। ଭୋକ, ଶୋଷ ଭୁଲି ପଥର ତଳେ ଚାପି ହୋଇ ରହିଥିବା ଦୁଇ ସହଯୋଗୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ପଥର କୁଆଁରି ନିକଟସ୍ଥ ଡିଡି ବିଲଡର୍ସର ଠିକା କ୍ୟାମ୍ପରେ ଗତ ୮ଦିନ ହେଲା ଏବେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ପୂର୍ବରୁ ଏହି ଠିକା କ୍ୟାମ୍ପରେ ଅଳ୍ପ କେତେ ଜଣ କର୍ମଚାରୀ ଥିଲେ। ତେବେ ଅଘଟଣ ପରେ ଆହୁରି ୧୦ରୁ ୧୨ଜଣ କର୍ମଚାରୀ ଆସି ପହଞ୍ଚିଛନ୍ତି। କିଏ ରାଜ୍ୟ ଭିତରର କିଏ ରାଜ୍ୟ ବାହାରର। ଏତେ ଲୋକଙ୍କ ଚଳପ୍ରଚଳ ସତ୍ତ୍ୱେ ସେମାନେ ଏକା ଏକା ଅନୁଭବ କରୁଛନ୍ତି। ପଥର ତଳେ ରହିଥିବା ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡ ସଞ୍ଜୟ ଦାସଙ୍କ ସହ ସମସ୍ତେ ବହୁଦିନ ଧରି କାମ କରୁଥିଲେ। ଭଲ ରୂପେ ଅତି ନିକଟରୁ ବି ଜାଣିଥିଲେ। ତେଣୁ ବାରମ୍ବାର ପୁରୁଣା ଦିନର ସ୍ମୃତି ସବୁ ସେମାନଙ୍କୁ ବିଚଳିତ କରୁଛି। ମା’ ଭିନ୍ନ ଭିନ୍ନ ହୋଇଥିଲେ ବି ଦୁହେଁ ଦୁଇ ଭାଇ ଭଳି ଥିଲେ। ଜଗା-ବଳିଆଙ୍କ ଯୋଡ଼ି ବୋଲି ପରିଚିତ ଥିଲେ। ପରସ୍ପରକୁ ଯେତିକି ସ୍ନେହ, ଶ୍ରଦ୍ଧା କରୁଥିଲେ ଅନ୍ୟମାନଙ୍କ ପ୍ରତି ବି ସେତିକି ସମ୍ମାନ ରହିଥିଲା। ସବୁବେଳେ ପାଖେ ପାଖେ ରହି ସବୁ ପ୍ରତିବନ୍ଧକକୁ ଏକାଠି ସାମ୍ନା କରୁଥିଲେ।

ଘଟଣାକୁ ଏବେ ୭ ଦିନ ବିତିଯାଇଥିଲାବେଳେ ୨ ଜଣଙ୍କୁ ଝୁରି ହେଉଛନ୍ତି ଠିକା କ୍ୟାମ୍ପରେ ଥିବା ଅନ୍ୟ ସହଯୋଗୀ।

‘ ବଡ ଭାଇ ଭଳି ଭଲ ପାଇବା ଦେବା, ସୁଖ ହେଉ କିମ୍ବା ଦୁଃଖ ସବୁବେଳେ ବାପା, ମାଙ୍କ ପରି ମନୋବଳ ବଢାଉଥିଲେ। ଯଦିଓ ଦୁହେଁ ଅପରେଟର ଥିଲେ ଏବଂ ଆମେ ସବୁ ସହଯୋଗୀ ଥିଲୁ, ତଥାପି ଆମକୁ ସାନ ଭାଇଙ୍କ ଭଳି ବ୍ୟବହାର ଦେଖାଉଥିଲେ। କାମ ଶିଖାଇବା ସହ ଭୁଲ କଲେ ଆକଟ ବି କରୁଥିଲେ ବୋଲି କହିଛନ୍ତି, ’ ସହଯୋଗୀ ସଦାନନ୍ଦ ମାଝି, ଜଗା ନାୟକ, ଅମରେଶ ଓ ମୋହନ କିଶନ।

ଘଟଣା ଦିନ ପାହାଡ ଧସିବା ପରେ ପ୍ରଥମେ ମୋହନ କିଶନ ହିଁ ଘଟଣା ସ୍ଥଳକୁ ଯାଇଥିଲେ। ପଥର ଯେଉଁଭଳି ଭାବେ ଖସିଥିଲା ତାହା ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ। କିଛିବର୍ଷର ତଳର ସଂପର୍କ ଏତେ ନିବିଡ଼ ଥିଲା ଯେ ଦୁହେଁ ପରସ୍ପର ଠାରୁ ବହୁ ଦିନ ପର୍ଯ୍ୟନ୍ତ ଅଲଗା ହୋଇପାରୁ ନଥିଲେ। ପାହାଡ଼ ଧସିବା ଦିନ ବି ଦୁହେଁ ଏକତ୍ର କାମ କରିବାକୁ ଯାଇଥିବା ତାହାର ଏକ ଉଦାହରଣ ମାତ୍ର। ସେମାନେ ଶୋଉଥିବା ସ୍ଥାନ ଏବେ ଖାଲି ପଡିଛି। ଯେଉଁଠି ପୂର୍ବରୁ ବ୍ୟାୟାମ କରୁଥିଲେ ସେଠାରେ ବର୍ତମାନ ବଡ଼ବଡ଼ ଅଧିକାରୀ ଡେରା ପକାଇଛନ୍ତି। ଆଖପାଖ ଅଞ୍ଚଳକୁ ଦେଖିଲେ ସେମାନଙ୍କ ଉପସ୍ଥିତି ଏବେ ବି ଆଖି ସାମ୍ନାରେ ସ୍ମୃତି ହୋଇ ଘୂରି ବୁଲୁଛି। ସଞ୍ଜୟ ଓ ଘନଶ୍ୟାମ ଭଲ ରୋଷେଇ କରୁଥିଲେ। ତେଣୁ ପ୍ରତିଦିନ ଖାଇବା ସାମ୍ନାରେ ସେମାନଙ୍କ ଅନୁପସ୍ଥିତି ବିବ୍ରତ କରୁଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ, ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ସେନା ପକ୍ଷରୁ କଣ୍ଟ୍ରୋଲ ବ୍ଲାଷ୍ଟିଂ କରି ଦୁଇଟି ବଡ ପଥରକୁ ଫଟାଯାଇଛି। ଆସନ୍ତାକାଲି ଆଉ କିଛି ଛୋଟ ବ୍ଲାଷ୍ଟିଂ କରାଯିବା ପରେ ପଥର ସବୁ ହଟାଇ ଦିଆଯିବ ବୋଲି ଜଣାପଡିଛି। ହେଲେ,ପଥର ସବୁ ହଟିଗଲା ପରେ ଘନଶ୍ୟାମ ଓ ସଞ୍ଜୟ କିଭଳି ଅବସ୍ଥାରେ ଥିବେ ତାହାକୁ ଅପେକ୍ଷା କରିଛନ୍ତି ସହଯୋଗୀମାନେ।

ସମ୍ବନ୍ଧିତ ଖବର