କୃଷ୍ଣସାରଙ୍କ ନୂଆ ଠିକଣା ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ, ସୁରକ୍ଷା ପାଇଁ ସଚେତନତା

ଦିଗପହଣ୍ଡି : ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳ ଏବେ କୃଷ୍ଣସାରଙ୍କ ନୂଆ ଠିକଣା ପାଲଟିଛି। ରାଜ୍ୟର ପୁରୀ-କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ ଓ ଗଞ୍ଜାମ ଜିଲ୍ଲାର ଆସିକା ନିକଟସ୍ଥ ଭେଟନଇକୁ ରାଜ୍ୟ ସରକାର କୃଷ୍ଣସାରଙ୍କ ଅଭୟାରଣ୍ୟ ଘୋଷଣା କରିଛନ୍ତି। ବର୍ତ୍ତମାନ ପ୍ରାୟ ଦେଢ଼ ଶହରୁ ଊର୍ଦ୍ଧ୍ଵ କୃଷ୍ଣସାର ୭ରୁ ୮ ଦଳରେ ଭାଗ ହୋଇ ଗଞ୍ଜାମ-ଗଜପତି ସୀମାନ୍ତରେ ଚଳପ୍ରଚଳ କରୁଛନ୍ତି। ସମତଳ ଅଞ୍ଚଳର ଚାରଣ ଭୂଇଁ, ବୁଦୁବୁଦିଆ ସ୍ଥାନ ମାନଙ୍କରେ ରହିବା ଏମାନଙ୍କ ସହଜାତ ପ୍ରବୃତି ହୋଇଥିବା ଯୋଗୁଁ ଏମାନେ ଜଙ୍ଗଲରେ ନ ରହି ଜନବସତି ମୁହାଁ ହେଉଛନ୍ତି।

ଦିଗପହଣ୍ଡି ବ୍ଲକ୍‌ର ଭୀଷ୍ମଗିରି, ଫାସିଗୁଡ଼ା, ନିମଖଣ୍ଡିପେଣ୍ଠ, ଚଷାନିମଖଣ୍ଡି, ମୌଳଭଞ୍ଜା ଅଞ୍ଚଳ କୃଷ୍ଣସାରଙ୍କ ଚରାଭୂଇଁ ପାଲଟିଛି। ଗତ ତନିବର୍ଷ ତଳେ କେତେକ ହରିଣ ଭେଟନଇରୁ ଶେରଗଡ଼-ପାଟପୁର ଦେଇ ଏହି ଅଞ୍ଚଳକୁ ଆସିଥିଲେ। ଏବେ କୃଷ୍ଣସାରଙ୍କ ସଂଖ୍ୟା ବଢ଼ି ଦେଢ଼ ଶହରୁ ଊର୍ଦ୍ଧ୍ଵରୁ ଅଧିକ ହେଲାଣି। ଏହି ଅଞ୍ଚଳରେ ଦଳଦଳ ହୋଇ ହରିଣ ବିଚରଣ କରୁଥିବା ବେଳେ ପ୍ରତି ଦଳରେ ୨୦ରୁ ଊର୍ଦ୍ଧ୍ଵ ହରିଣ ଥିବା ଦେଖାଯାଉଛି। ଦଳରେ ଗୋଟିଏ ପୁରୁଷ ହରିଣ ସହ ୨୦ରୁ ଊର୍ଦ୍ଧ୍ଵ ହରିଣ ଛୁଆ ରହୁଥିବା ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଶେଷଜ୍ଞ ଅନନ୍ତରାମ କର ସୂଚନା ଦେଇଛନ୍ତି। ଲଖାରୀ ଜଙ୍ଗଲର ଅନୁକୂଳ ଜଳବାୟୁ ଏମାନଙ୍କ ବଂଶ ବିସ୍ତାରରେ ସହାୟକ ହୋଇଛି।

ଏହି ନୂଆ ଅତିଥିଙ୍କ ଆଗମନ ଠାରୁ ସ୍ଥାନୀୟ ଅଞ୍ଚଳରେ ଭଲ ବର୍ଷା ହେବା ସହ ଭଲ ଫସଲ ଉତ୍ପାଦନ ହେଉଛି ବୋଲି ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ ସୃଷ୍ଟି ହୋଇଛି। ଫଳରେ କୃଷ୍ଣସାରଙ୍କ ସୁରକ୍ଷା ଦିଗରେ ମାନବୀୟ ସହାୟତା ଏମାନଙ୍କ ବଂଶ ବିସ୍ତାରରେ ସକାରାତ୍ମକ ସହଯୋଗ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର