ଇଡ୍‌କୋ ଅଧିଗ୍ରହଣ ପାଇଁ ନୋଟିସ୍ ନାଟକ : ରାମ୍‌କୋ ଅକ୍ତିଆରରେ ଗୋଚର ଜମି, କାଗଜପତ୍ରରେ ହାତେଇବାକୁ କସରତ

ଯାଜପୁର : ପୂର୍ବରୁ ରା‌ମ୍‌କୋ ଦଖଲରେ ଗୋଚର ଜମି। ଏବେ ପୁଣି ଇଡ୍‌କୋ ଅଧିଗ୍ରହଣ କରିବ ବୋଲି ନୋଟିସ ଦିଆଯାଇଛି। ଏମିତିକା ନାଟକ ଲୋକଙ୍କ ମଧ୍ୟରେ ଉତ୍ତେଜନା ଖେଳାଇ ଦେଇଛି। ସେପଟେ କାଗଜପତ୍ର କରିବାକୁ ଜୋରଦାର କସରତ ଚାଲିଛି। ଧର୍ମଶାଳା ତହସିଲ ଆରୁହା, ଥାନୁଆଳ ଓ ହରିଦାସପୁର ପଞ୍ଚାୟତ ମଧ୍ୟସ୍ଥଳରେ ଗଢ଼ି ଉଠିଥିବା ରାମକୋ ସିମେଣ୍ଟ କାରଖାନା ଜମି ଦଖଲକୁ ନେଇ ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି। ଆରଡ଼ିସି, ଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନାନପୁର ମୌଜାରେ ଗୋଚର ଜମିକୁ ଇଡ୍‌କୋ ଉନ୍ନୟନ କାମ ପାଇଁ ଦଖଲ କରିବାକୁ ଜନସାଧାରଣଙ୍କ ଠାରୁ ମତାମତ ଲୋଡ଼ିଛି। ଇଡକୋ ଯେଉଁ ଗୋଚର ଜମି ଅଧିଗ୍ରହଣ ପାଇଁ ଜନସାଧାରଣଙ୍କ ଠାରୁ ମତାମତ ଲୋଡ଼ିଛି, ସେହି ଜମି ବହୁଦିନ ପୂର୍ବରୁ ବେଆଇନ୍ ଭାବେ ରାମକୋ କମ୍ପାନି ନିଜ ଦଖଲକୁ ନେଇସାରିଛି। ପ୍ରଶାସନ ନାମକୁ ମାତ୍ର ଲୋକଙ୍କୁ ଠାରୁ ଅନୁମତି ନେବାକୁ ପ୍ରହସନ ଚଲାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଅଞ୍ଚଳର ଅଧିକାଂଶ ଲୋକ ପଶୁପାଳନ ଓ କୃଷି କରି ଜୀବିକା ନିର୍ବାହ କରନ୍ତି। ରାମକୋ କମ୍ପାନି ୧ ଏକର ୧୩ ଡିସିମିଲ ଗୋଚର ଜମିକୁ ଇ‌ଡକୋ ଜରିଆରେ ହାତେଇବାକୁ ଯୋଜନା କରୁଛି। ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା ଓ ପଲ୍ଲୀସଭା କରାଯାଇ ନଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଅନ୍ୟପଟେ ଜନବସତି ନିକଟରେ ସିମେଣ୍ଟ କାରଖାନା କରିବା ପାଇଁ କିପରି ଅନୁମତି ଦିଆଗଲା, ତାହାକୁ ନେଇ ମୁରାରିପୁର, ରଘୁନାଥପୁର, ଶ୍ରୀବନ୍ତପୁର, ନାନପୁର, ବାଟିଜଙ୍ଗା ଗ୍ରାମର ଅଧିବାସୀ ପ୍ରଶ୍ନ ଉଠାଇଛନ୍ତି।

ଏହି ସମସ୍ୟା ନେଇ ଅଞ୍ଚଳବାସୀ ଧର୍ମଶାଳା ତହସିଲଦାର, ଯାଜପୁର ଜିଲ୍ଲାପାଳ , ପ୍ରଦୂଷଣ ବିଭାଗର ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। ଧର୍ମଶାଳା ତହସିଲ ଅଭିଯୋଗକୁ ଖାତିର ନକରି ୧ଏକର ୧୩ ଡିସିମିଲ ଗୋଚର ଜମି ଖାତା ନମ୍ବର ୨୧୧ କୁ ପରିବର୍ତ୍ତନ କରି ୨୦୯ କରିଛନ୍ତି। ଗୋଚର ଜମିର କିସମ ପରିବର୍ତ୍ତନ କରି ଉନ୍ନତ ‌ଯୋଜନା କିସମ କରି ଅଧିଗ୍ରହଣ ପାଇଁ ନୋଟିସ ଜାରି କରିଛନ୍ତି। ଏହି ଜମିକୁ ସବୁ ଦିନ ପାଇଁ ଲିଜରେ ନେବା ପାଇଁ ଇଡକୋ ପଟା ଆବେଦନ କରିଛି। ଆବେଦନ କରିଥିବା ଜମି ଇ‌ଡ଼କୋ ନାମରେ ହେବା ପରେ ରାମକୋ ଦଖଲରେ ‌ଥିବା ସେହି ଜମିକୁ କେବଳ କାଗଜପତ୍ରରେ ହସ୍ତାନ୍ତର କରିବ। କାରଣ ଏହି ଜମି ପୂର୍ବର ରାମକୋ ବେଆଇନ ଭାବେ ନିଜ ଦଖଲକୁ ନେଇଯାଇଛି ବୋଲି ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି।

ଏ ସମ୍ପର୍କରେ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଗ୍ରାମବାସୀ ଅଭିଯୋଗ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର