ଜଙ୍ଗଲରେ ମଦ ମାଫିଆଙ୍କ ଉତ୍ପାତ: ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ଗାଡ଼ି ଭଙ୍ଗାରୁଜା, ମହିଳା ଏସ୍‌ଆଇ ଆହତ

ଆଠଗଡ଼/ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ ଓ ସଂରକ୍ଷିତ ଜଙ୍ଗଲରେ ମଦ ମାଫିଆମାନେ ଆଜି ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏଥିରେ ଜଣେ ମହିଳା ଏସ୍‌ଆଇ ଆହତ ହୋଇଛନ୍ତି। ଖୁଣ୍ଟୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଫିଆଙ୍କ କବଳରୁ ଅବକାରୀ କର୍ମଚାରୀମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡାଳୁଆ ଗ୍ରାମର ରବୀନ୍ଦ୍ର ସ୍ବାଇଁ ଓରଫ ବୁଟୁରିକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଚଢ଼ଉ ସମୟରେ ମଦ ମାଫିଆଙ୍କ ଘର ଓ ଜଙ୍ଗଲରୁ ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯାଇଛି।

ଆଜି ଦିନ ପ୍ରାୟ ୧୦ଟାରେ କଟକ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ୍‌ ଟିମ୍‌ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନା ଡାଳୁଆ ସଂରକ୍ଷିତ ଜଙ୍ଗଲରେ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଜଙ୍ଗଲରୁ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବିପୁଳ ପରିମାଣର ସଦ୍ୟ ପ୍ରସ୍ତୁତ ଦେଶୀମଦ ଓ ମଦ ତିଆରିରେ ବ୍ୟବହାର ହେବାକୁ ଥିବା ଗୁଡ଼ ପୋଚ ଜବତ କରିଥିଲେ। ଏତିକି ବେଳେ ଗତବର୍ଷ ଜୁଲାଇ ୨୮ ତାରିଖ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାର ମୁଖ୍ୟ ଅଭିଯୁକ୍ତ ଡାଳୁଆ ଗ୍ରାମର ରବୀନ୍ଦ୍ର ସ୍ବାଇଁ ଓରଫ ବୁଟୁରି ଘରେ ବିପୁଳ ପରିମାଣର ମଦ ଓ ପୋଚ ରହିଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ତୁରନ୍ତ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଟୁରି ଘର ଉପରେ ଚଢ଼ଉ କରି ମଦ ଓ ପୋଚ ଜବତ କରିଥିଲେ। ଏହି ସମୟରେ ଘରେ ଥିବା ଅଭିଯୁକ୍ତ ବୁଟୁରିକୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ବୁଟୁରିକୁ ଗାଡ଼ିରେ ବସାଇ ଅଣାଯାଉଥିଲା ବେଳେ ତା’ର ପରିବାର ଓ ସମର୍ଥକମାନେ ବିରୋଧ କରିଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ଅବକାରୀ ବିଭାଗ ଗାଡ଼ି ଭଙ୍ଗାରୁଜା କରି ଅଭିଯୁକ୍ତକୁ ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଧସ୍ତାଧସ୍ତିରେ କଟକ ଅବକାରୀ ବିଭାଗ ଏସ୍‌ଆଇ ଜ୍ୟୋତିର୍ମୟୀ ଦାସ ଆହତ ହୋଇଥିଲେ।

ଏ ସମ୍ପର୍କରେ ଅବକାରୀ ବିଭାଗ ନିକଟରୁ ଖବର ପାଇ ଖୁଣ୍ଟୁଣୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତ ବୁଟୁରି ଏବଂ ଜବତ ହୋଇଥିବା ୯ ହଜାର ୫୫୫ ଲିଟର ଗୁଡ଼ପୋଚ ଓ ୨ ହଜାର ୧୭୦ ଲିଟର ଦେଶୀମଦ ଆଠଗଡ଼ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହାର କିଛି ସମୟ ପରେ ଡାଳୁଆ ଗ୍ରାମର କେତେକ ମହିଳା ଛୋଟଛୋଟ ପିଲାଙ୍କ ସହ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିଥିଲେ। ସେମାନେ ଅଭିଯୁକ୍ତକୁ ଛାଡ଼ି ଦେବାପାଇଁ ଦାବି କରି ଫାଟକ ନିକଟରେ ପାଟିତୁଣ୍ଡ କରିଥିଲେ। ଆଠଗଡ଼ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି, ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପୁଲିସ ଫୋର୍ସ ସହ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମହିଳାମାନେ ଚାଲି ଯାଇଥିଲେ। ଏହାପରେ ଅବକାରୀ ବିଭାଗ ଅଭିଯୁକ୍ତ ବୁଟୁରିକୁ କଡ଼ା ପୁଲିସ ସୁରକ୍ଷା ବଳୟରେ କୋର୍ଟଚାଲାଣ କରିଥିଲା। କଟକ ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଆଜିର ଚଢ଼ଉରେ ଉପ ଅଧୀକ୍ଷକ ନିମାଇଁଚରଣ ସିଂହ, ଅରୂପା ପାଣିଗ୍ରାହୀ, ମୋବାଇଲ୍‌ ଇନ୍ସପେକ୍ଟର ଅଭିରାମ ସାହୁ, ଆଠଗଡ଼ ଅବକାରୀ ଇନ୍ସପେକ୍ଟର୍‌ ହେମନ୍ତ ମହାନନ୍ଦିଆ, ଅଜିତ୍‌ ପାତ୍ର,  ସବ୍‌ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ, ଜ୍ୟୋତିର୍ମୟୀ ଦାସଙ୍କ ସମେତ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ। ଅପରପକ୍ଷରେ ଅବକାରୀ ବିଭାଗ ଅଧିକାରୀଙ୍କୁ ଅଟକ ରଖାଯିବା, ଦୁର୍ବ୍ୟବହାର, ଧମକଚମକ ଓ ଗାଡ଼ି ଭଙ୍ଗାରୁଜା ନେଇ ଆଜି ସନ୍ଧ୍ୟାରେ ଆଠଗଡ଼ ଅବକାରୀ ଇନ୍ସପେକ୍ଟର୍‌ ହେମନ୍ତ ମହାନନ୍ଦିଆ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ବୋଲି ଆଇଆଇସି ଭବାନୀଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଜୁଲାଇ ୨୮ ତାରିଖ ଅବକାରୀ ବିଭାଗ ପକ୍ଷରୁ ଖଣ୍ଡୁଆଳି ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ମାଫିଆମାନେ ଅତର୍କିତ ଭାବେ ଆକ୍ରମଣ କରିବାରୁ ଦୁଇଜଣ ଅବକାରୀ ବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସେହିପରି ମାଫିଆମାନେ ଅବକାରୀ ବିଭାଗର ୫ଟି ଗାଡ଼ି ଭଙ୍ଗାରୁଜା କରିବା ସହ ଗାଡ଼ିର ଚକକୁ ହାଣି ଦେଇଥିଲେ।

ସମ୍ବନ୍ଧିତ ଖବର