ଲକ୍‌ଡାଉନ୍‌ର ୩ୟ ଦିନ: ବାରିପଦା ଜିଲ୍ଲାରେ ୨୬ମାମଲା ରୁଜୁ, ୨୯ ଗିରଫ

୧୬ ଗାଡି ଜବତ, ୭୨ହଜାର୫୦୦ଟଙ୍କା ଜରିମାନା ଆଦାୟ

ବାରିପଦା: କରୋନା ସହିତ ଜିଲ୍ଲାବାସୀଙ୍କ ଲଢ଼େଇ ଲକ୍‌ଡାଉନ୍‌ର ୩ୟ ଦିନରେ ମଧ୍ୟ ଜାରିରହିଛି। ଆଉ ଅସ୍ତ୍ର ସାଜିଛି ସାମାଜିକ ଦୂରତା ଏବଂ ଘର ଭିତରେ ନିଜକୁ ଆବଦ୍ଧ କରି ରଖିବା। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ସାମାଜିକ ଦୂରତାକୁ ପାଳନ କରାଯାଉଥିବା ଦେଖିବାକୁ ମିଳଥିଲା। ସଦରମହକୁମା ବାରିପଦାରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍‌ କର୍ମଚାରୀମାନେ ଯଥେଷ୍ଟ ପରିଶ୍ରମ କରୁଥିବା ପରିଲକ୍ଷିତ ହୋଇଥିଲା। ସେହିପରି ବାରିପଦା ଉପଜିଲ୍ଲାପାଳ ମଧ୍ୟ ନିଜେ ବୁଲିବୁଲି ଲକ୍‌ଡାଉନ୍‌ର ତଦାରଖ କରିଥିଲେ। ଜିଲ୍ଲାରେ ନିୟମ ଉଂଲଘନ କରିଥିବା ଅଭିଯୋଗରେ ଆଜି ବିଭିନ୍ନ ଥାନାରେ ୨୬ଟି ମାମଲା ରୁଜୁ କରାଯାଇଛି। ୨୯ଜଣଙ୍କୁ ଗିରଫ କରାଯିବା ପରେ ଜାମିନ୍‌ରେ ଛଡ଼ାଯାଇଛି। ସେହିପରି ୧୬ଟି ଗାଡି ଜବତ କରାଯାଇଛି। ଜିଲ୍ଲାରୁ ବେପରୁଆ ଗାଡି ଚାଳକଙ୍କଠାରୁ ୭୨ହଜାର୫୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଥିବା ପୁଲିସ୍‌ ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପି ପରମାର୍‌ ସୂଚନା ଦେଇଛନ୍ତି। ବାରିପଦା ଟାଉନ୍‌ ଥାନା ଅଧିନରେ ଆଜି ୨ଟି ମାମଲା ରୁଜୁ ହୋଇଥିବାବେଳେ ୨ଜଣ ଗିରଫ ହୋଇଛନ୍ତି। ସେହିପରି ୨ଟି ବାଇକ୍‌ ଜବତ କରାଯାଇଛି। ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବାରିପଦା ଟାଉନ୍‌ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ଜାତୀୟ ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ ଆଦିର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଜାତୀୟ ରାଜପଥ-୧୮ର ବମ୍ବେଛକରୁ ବୈଶିଙ୍ଗା ପର୍ଯ୍ୟନ୍ତ ୨୦ କିମି ବ୍ୟବଧାନରେ ୪ଟି ଗ୍ୟାରେଜ୍‌କୁ ଖୋଲିବାକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି। ବମ୍ବେଛକରେ ଯାଦବ ଢାବା ନିକଟରେ ଥିବା ଏଚ୍‌ଏମ୍‌ଭି ଗ୍ୟାରେଜ୍‌, କୁଚେଇରେ ପଣ୍ଡା ମୋଟର୍‌ସ(ଟାଟା) ଓ ଶ୍ରୀଗଣେଶ ଅଟୋମୋବାଇଲ୍‌ସ(ଲେଲାଣ୍ଡ୍‌), ବେତନଟୀରେ ପଞ୍ଜାବ ମୋଟର୍‌ସ ଗ୍ୟାରେଜ୍‌(ଟାଟା ଓ ଲେଲାଣ୍ଡ୍‌) ଏବଂ ଗଡ଼ଦେଉଳିଆରେ ମ୍ୟାନେଜର୍‌ ସିଂ ଢାବା ନିକଟରେ ଥିବା ଟାୟାର୍‌ ପମ୍ପଚ୍‌ର ଦୋକାନ ଖୋଲା ରହିବାକୁ ଅନୁମତି ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ର ୩ୟ ଦି‌ନରେ ଲୋକଙ୍କ ଭିତରେ କ୍ରମଶଃ ସଚେତନତା ବୃଦ୍ଧି ପାଉଥିବା ଆଜିର କମ ମାମଲାରୁ ଜଣାପଡ଼ୁଛି। ଜିଲ୍ଲାପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କରୋନା ଭାଇରସ୍‌ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। କରୋନା ସଂପର୍କିତ କୌଣସି ଅଭିଯୋଗ ଥିଲେ ୦୬୭୯୨-୨୫୨୯୪୧ ସହିତ ଟୋଲ୍‌ ଫ୍ରି ନମ୍ବର ୧୦୭୭ରେ ଯୋଗାଯୋଗ କରିପାରିବେ। ସେହିପରି ଆଜିଠାରୁ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ଲକ୍‌ଡାଉନ୍‌ ସଂପର୍କିତ କୌଣସି ନିୟମ ଉଂଲଘନ ‌ହେଲେ ଜନସାଧାରଣ ୦୬୭୯୨-୨୫୨୩୨୫ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର