ସୁନାଚେନ୍‌ ଝାମ୍ପିନେଲା ଲୁଟେରା, ବାଇକରୁ ପଡ଼ି ମହିଳା ଆହତ

ଦଶରଥପୁର: ଯାଜପୁର-କୟାଁଗୋଲା ରାସ୍ତାର କାଟିଆ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ଏକ ସୁନାଚେନ୍‌ ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ସୁନାଚେନ୍‌ ଛିଣ୍ଡାଇବା ବେଳେ ମହିଳା ଜଣକ ବାଇକ୍‌ରୁ ଖସିପଡ଼ି ଆହତ ହୋଇଛନ୍ତି। ଏସମ୍ପର୍କରେ ଝୁମ୍ପୁରୀ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଲୁଟେରାଙ୍କ ପତ୍ତା ପାଇନାହିଁ। ଅଭିଯୋଗ ମୁତାବକ, କମାରଢିହି ପଞ୍ଚାୟତ ମଲ୍ଲୀପୁର ଗ୍ରାମର ରାଧାକାଣ୍ଡ ପଣ୍ଡାଙ୍କ ଝିଅ ଲୋପାମୁଦ୍ରା ଓରଫ ରାନୁ (୩୦) ଯାଜପୁର ଥାନା ଅନ୍ତର୍ଗତ ମାର୍କଣ୍ଡପୁରସ୍ଥିତ ଶାଶୁଘରକୁ ଯାଉଥିଲେ।

୨୦ ନମ୍ବର ଜାତୀୟ ରାଜପଥରେ ଜଣେ ସମ୍ପର୍କୀୟଙ୍କ ସହ ଲୋପାମୁଦ୍ରା ବାଇକ୍‌ରେ ବସି ଯାଉଥିବା ବ‌େଳେ ଦଶରଥପୁର ଓ କାଟିଆ ଛକ ମଧ୍ୟରେ ଏକ ଆପାଚି ବାଇକ୍‌ରେ ଦୁଇ ଦୁର୍ବୃତ୍ତ ଝାମ୍ପ ମାରିଥିଲେ। ପଛପଟୁ ଲୋପାମୁଦ୍ରାଙ୍କ ବେକରୁ ମଙ୍ଗଳସୂତ୍ର ଓ ସୁନାଚେନ୍‌ ଛିଣ୍ଡାଇ ନେବାକୁ ଉଦ୍ୟମ କରିଥିଲେ।

ମଙ୍ଗଳସୂତ୍ରଟିକୁ ଲୋପାମୁଦ୍ରା ଧରି ପକାଇଥିବା ବେଳେ ଦୁର୍ବୃତ୍ତମାନେ ସୁନାଚେନ୍‌କୁ ଝାମ୍ପିନେଇ ଦ୍ରୁତ ଗତିରେ ଯାଜପୁର ଟାଉନ ରାସ୍ତାରେ ପଳାଇଥିଲେ। ଏହି ଘଟଣାରେ ଭାରସାମ୍ୟ ହରାଇ ଲୋପାମୁଦ୍ରା ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡ, ବେକ, ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ଝୁମ୍ପୁରୀ ବିଟ୍ ହାଉସ୍‌ରେ ସୁନାଚେନ୍‌ ଲୁଟ୍‌ ସମ୍ପର୍କରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର