‘ମହାନଦୀ ସତ୍ୟାଗ୍ରହରେ ଚାଷୀ, ମତ୍ସ୍ୟଜୀବୀ ଓ ମହିଳା ସାମିଲ

‘ଅଣମୌସୁମି ସମୟରେ ମହାନଦୀରେ ଜଳ ପ୍ରବାହ ପାଇଁ ଟ୍ରିବ୍ୟୁନାଲ୍‌ ରାୟ ଦିଅନ୍ତୁ

ଇବ୍‌ଥର୍ମାଲ : ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ବିନା ଓଡ଼ିଶାର କଳ୍ପନା କରାଯାଇ ପାରିବ ନାହିଁ। ତେଣୁ ମହାନଦୀ ଟ୍ରିବ୍ୟୁନାଲ ଗସ୍ତ କାଳରେ ଜନସାଧାରଣଙ୍କୁ ଭେଟି ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଅଣମୌସୁମି ଋତୁରେ ମହାନଦୀରେ ପୂର୍ବବତ୍‌ ଜଳ ପ୍ରବାହ ପାଇଁ ଏକ ଅନ୍ତରୀଣ ରାୟ ପ୍ରଦାନ କରନ୍ତୁ ବୋଲି କନକତୋରା ପଞ୍ଚାୟତ ଲୁହାବଗାରେ ମହାନଦୀ ବଞ୍ଚାଓ ଅଭିଯାନ ତରଫରୁ ଆୟୋଜିତ ‘ମହାନଦୀ ସତ୍ୟାଗ୍ରହରେ ଭାଗ ନେଇଥିବା ସ୍ଥାନୀୟ କୃଷକ, ମତ୍ସ୍ୟଜୀବୀ ଓ ମହିଳାମାନେ ଦାବି କରିଛନ୍ତି।

କନକତୋରା ସରପଞ୍ଚ ସୁଶାନ୍ତ ଚୟନୀଙ୍କ ସଭାପତିତ୍ୱରେ ସତ୍ୟାଗ୍ରହ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମହାନଦୀ ବଞ୍ଚାଓ ଆନ୍ଦୋଳର ଆବାହକ ସୁଦର୍ଶନ ଦାଶ, ସଂଯୋଜକ ବିଜୟ ପ୍ରଧାନ, ଦୟା ନଦୀ ସୁରକ୍ଷା ଅଭିଯାନ ସଂପାଦକ ସଚିକାନ୍ତ ପ୍ରଧାନ, ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ସଂପାଦକ ଗୋପୀନାଥ ମାଝୀ, ଜିଲ୍ଲା କୃଷକ ସଂଗଠନ ମୁଖପାତ୍ର ବିରଞ୍ଚି ସାହୁ, ବରଗଡ ସାଂସଦ ପ୍ରତିନିଧି ରଘୁ ପଣ୍ଡା ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଆନ୍ଦୋଳନକାରୀମାନେ କହିଥିଲେ ଯେ ମହାନଦୀର ଜଳକୁ ଛତିଶଗଡ଼ ସମ୍ପୂର୍ଣ୍ଣ ଅଟକେଇ ରଖିବା ଆଇନଗତ ନୁହେଁ। ଛତିଶଗଡ଼ ସରକାର ମହାନଦୀ ଉପରେ ହୋଇଥିବା ବ୍ୟାରେଜଗୁଡ଼ିକର ପରିବେଶ ମଞ୍ଜୁରୀ ମଧ୍ୟ ନେଇନାହାନ୍ତି। ଆଇନ ଅନୁସାରେ ୫ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଦେବା କଥା। ମାତ୍ର ମହାନଦୀ ଟ୍ରିବ୍ୟୁନାଲ କୌଣସି ଫଳାଫଳ ଦେଇନାହାନ୍ତି। ପୁଣି ଅଢ଼େଇ ବର୍ଷ ପାଇଁ ଏହାର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ଛତିଶଗଡ଼ ଅଟକାଇଥିବା ମହାନଦୀ, କେଲୋ ନଦୀ ପାଣିକୁ ବୋହିବାକୁ ଦିଅନ୍ତୁ। ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବିକା ହରାଇଲେଣି। କେଲୋ ନଦୀ ଅବବାହିକାର ହଜାର ହଜାର ଚାଷୀଙ୍କ ଚାଷ ଉଜୁଡ଼ିଲାଣି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ସଂପାଦକ ଶ୍ରୀ ମାଝୀ କହିଥିଲେ। ମହାନଦୀ ବଞ୍ଚାଓ ଅଭିଯାନ ସଂଯୋଜକ ପ୍ରଦୀପ ପ୍ରଧାନ ମହାନଦୀର ସୁରକ୍ଷା ପାଇଁ ଏକ ଗଣଆନ୍ଦୋଳନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଗୌତମ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ସନ୍ଧ୍ୟାରାଣୀ ବେହେରା, ଗୌତମ ବେହେରା, ଜଗବନ୍ଧୁ ସା, ଜନାର୍ଦ୍ଦନ ପଣ୍ଡା ସମେତ ବହୁ ସଂଖ୍ୟାରେ ମହିଳା ସତ୍ୟାଗ୍ରହରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର