ମ୍ୟାଲେରିଆ ରୋକିବ ‘ଦମନ’ : ରାୟଗଡ଼ାରେ ୫ ବର୍ଷରେ ୨ ଲକ୍ଷ ଆକ୍ରାନ୍ତ, ୨୦ ମୃତ

୯୬ ପ୍ରତିଶତ ଆକ୍ରାନ୍ତଙ୍କ ନିକଟରେ ବ୍ରେନ୍ ମ୍ୟାଲେରିଆ ଭୂତାଣୁ
୩୫ ସବ୍ ସେଣ୍ଟର୍ ସମେତ ୩୫୦ ଗାଁ ଅତିସମ୍ବେଦନଶୀଳ ଚିହ୍ନଟ
ଆରମ୍ଭ ହେଲା ସ୍କ୍ରିନିଂ, ବଣ୍ଟାଗଲା ସାଢ଼େ ୬ ଲକ୍ଷ ୫୬ ହଜାର ମଶାରି

ରାୟଗଡ଼ା : ରାୟଗଡ଼ାରେ ଉଗ୍ର ରୂପ ନେଉଛି ମ୍ୟାଲେରିଆ। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାର ୩୫ ସବ୍ ସେଣ୍ଟର ସମେତ ୩୫୦ ଗାଁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ଜୁନ୍ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍କ୍ରିନିଂରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିରାକରଣ ପ୍ରକ୍ରିୟା। ମ୍ୟାଲେରିଆ ରୋକିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଯୋଜନା ‘ଦମନ’।

ରାଜ୍ୟରେ ସର୍ବାଧିକ ମ୍ୟାଲେରିଆ ପ୍ରବଣ ତାଲିକାରେ ରହିଛି ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା। ଏହି ୬ ଜିଲ୍ଲାରେ ମ୍ୟାଲେରିଆ ରୋକିବାକୁ ସରକାର ଆରମ୍ଭ କରିଛନ୍ତି ‘ଦମନ’ ଯୋଜନା। ଯୋଜନାର ସୁପରିଚାଳନା ସହ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ସରକାର ଏହି ୬ ଜିଲ୍ଲା ପାଇଁ ଗଢ଼ିଛନ୍ତି ମ୍ୟାଲେରିଆ ନିରାକରଣ ବୈଷୟିକ ଉପଦେଷ୍ଟା କମିଟି। ସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ଦେଶକ ପାହ୍ୟାର ଅଫିସର୍ ଡ. ମଦନ ମୋହନ ପ୍ରଧାନଙ୍କୁ ଏହି ୬ ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଆସି ଶ୍ରୀ ପ୍ରଧାନ ଅତି ସମ୍ବେଦନଶୀଳ ଗୁଡାରି ଓ ଚନ୍ଦ୍ରପୁର ବ୍ଲକର ୧୪ଟି ସବ୍ ସେଣ୍ଟ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ନିକଟରେ ଶେଷ ହୋଇଥିବା ସ୍କ୍ରିନିଂ ପ୍ରକ୍ରିୟାରେ ପ୍ରତି ୧ ହଜାର ଲୋକରେ ୬ ଜଣ ଆକ୍ରାନ୍ତ ହେଉଥିବା ଜଣା ପଡ଼ିଛି। ୨୦୧୫-୧୬ ରେ ପ୍ରତି ୧ ହଜାର ଲୋକରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫, ୨୦୧୭ରେ ୧ ହଜାରରେ ୪୮, ୨୦୧୮ ରେ ୧ ହଜାର ପିଛା ୪, ୨୦୧୯ରେ ୧ ହଜାର ପିଛା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିଲା। ୨୦୧୭ ରେ ସ୍ୱତନ୍ତ୍ର ପଦକ୍ଷେପ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଖସିବା ସହ ନିୟନ୍ତ୍ରଣରେ ଥିଲା ମ୍ୟାଲେରିଆ। ଗତ ୨ ବର୍ଷ ହେଲା ମଶାରୀ ବଣ୍ଟନ କରାଯାଇନଥିବାରୁ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରିଛି। ପଦକ୍ଷେପ ସ୍ୱରୂପ ଜୁନ୍ ଶେଷ ସୁଦ୍ଧା ବିଭାଗ ପକ୍ଷରୁ ଜିଲ୍ଲାରେ ୬ ଲକ୍ଷ ୫୨ ହଜାର ମଶାରୀ ବଣ୍ଟନ କରାଯାଇଛି।

Teller Report

୨୦୧୫ ମସିହାରୁ ୨୦୧୯ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ୧୫ ଲକ୍ଷ ୯୭ ହଜାର ୭୯ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲା। ସେଥିମଧ୍ୟରୁ ୨ ଲକ୍ଷ ୨ ହଜାର ୪୯୫ ଲୋକଙ୍କ ରକ୍ତ ନମୁନା ମ୍ୟାଲେରିଆ ପଜିଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ୨ ଲକ୍ଷ ୨ ହଜାର ୪୯୫ ନମୁନା ଭିତରୁ ୧ ଲକ୍ଷ ୯୦ ହଜାର ୬୧୧ ନମୁନାରେ ବ୍ରେନ୍ ମ୍ୟାଲେରିଆ (ପ୍ଲାସମୋଡ଼ି୍ୟମ୍ ଫଲସିଫୋରମ୍) ଭୂତାଣୁ ଚିହ୍ନଟ ହୋଇଛି। ପାଖାପାଖି ୯୬ ପ୍ରତିଶତ ଆକ୍ରାନ୍ତଙ୍କ ନିକଟରେ ଏହି ବିପଦଜନକ ଭୂତାଣୁ ରହୁଥିବାରୁ ସରକାର ମ୍ୟାଲେରିଆ ରୋକିବାକୁ ଫୋକସ୍ କରିଛନ୍ତି। ୨୦୧୫ରେ ପଜିଟିଭ୍ ଚିହ୍ନଟ ୬୮୭୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ ରେ ୬୯୮୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଓ ୨୦୧୭ ରେ ୫୨୯୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୮ ଏବଂ ୨୦୧୯ ରେ ୫୭୧୯କୁ ଖସି ଆସିବା ସହ ଜଣଙ୍କର ବି ମୃତ୍ୟୁ ହୋଇନଥିବା ସରକାରୀ ରିପୋର୍ଟ କହୁଛି।

World Health Organization

୨ ବର୍ଷର ବ୍ୟବଧାନ ପରେ ୨୦୨୦ ରେ ପୁଣି ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ମଶାରୀ ବଣ୍ଟନ ସହ ଦମନ ଯୋଜନାରେ ୩୫ ସବ୍ ସେଣ୍ଟର୍ ଓ ୩୫୦ ଗାଁକୁ ସାମିଲ୍ କରାଯାଇଛି। ୩୫୦ ଗାଁରେ ରହୁଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ ଆଶା କର୍ମୀ, ଏଏନ୍ଏମ ଓ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ମ୍ୟାଲେରିଆ ନିରାକରଣ ବୈଷୟିକ ଉପଦେଷ୍ଟା ଡ. ପ୍ରଧାନ। ଦୁର୍ଗମ ଗୁଡ଼ାରି ଓ ଚନ୍ଦ୍ରପୁର ବ୍ଲକର ଅଧିକାଂଶ ଗ୍ରାମ ବଣ, ପାହାଡ ଓ କଟ ଅଫ୍ ଅଞ୍ଚଳରେ ଥିବାରୁ ଦୁଇ ବ୍ଲକର ୨୩ଟି ସବ୍ ସେଣ୍ଟର ମଧ୍ୟରୁ ୧୪ଟି ସବ୍ ସେଣ୍ଟରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ବୈଷୟିକ ଟିମ୍ ଏହି ଦୁଇ ବ୍ଲକ୍ ପରିଦର୍ଶନ କରିବା ପରେ ନିରାକରଣ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ବି. ଲକ୍ଷ୍ମୀ ନାରାୟଣ ପୃଷ୍ଟିଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର