ନୂଆବର୍ଷରେ କଟକ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ମିସନ ଡ୍ରିଙ୍କ ଫ୍ରମ୍ ଟ୍ୟାପର ଶୁଭାରମ୍ଭ

କଟକ: କଟକରେ ମିସନ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଉଦଘାଟିତ ହୋଇଛି। ଭରଚୁଆଲ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭରଚୁଆଲ ଯୋଗେ ୫-ଟି ଭିକେ ପାଣ୍ଡିଆନ ବି ଉପସ୍ଥିତ ରହିଥିଲେ। ଗୃହ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ୩ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ସେ ଦୁଇଟି ପାଇଲଟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଲେ ଯେ କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି। ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ।

ସୁଜଳ ଯୋଜନାରେ ମହାନଦୀରୁ ପାଣି ବିଶୋଧିତ କରାଯାଇ ପ୍ରଥମ ପର୍ଯ୍ୟାୟରେ ୨ଟି ଅଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ପାଣି ସୁବିଧା ଯୋଗେଇ ଦିଆଯିବ। କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଜଷ୍ଟିସ କଲୋନିବାସୀ ଓ ଜଗତପୁର ୪୮ ନମ୍ବର ୱାର୍ଡବାସୀ ଏହି ସୁବିଧା ପାଇବେ।  କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ଅନନ୍ୟା ଦାସ, ରାଜ୍ୟସଭା ସାଂସଦ ସୁବାସ ସିଂହ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ କଟକଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ସ୍ବାଗତ ଭାଷଣ ଦେଇଥିଲେ। ସିଏମସି କମିସନର ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର