ଏମକେସିଜିର ଓପିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଡାକ୍ତରଙ୍କ ଠାରୁ ହ୍ବାଟସଅପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଣ କରିପାରିବେ ରୋଗୀ

ବ୍ରହ୍ମପୁର: ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଓପିଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ନିର୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଏଥିଲାଗି ବ୍ରହ୍ମପୁର ଏମକେସିଜିରର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରିବା ଲାଗି ବ୍ୟାରିକେଡ୍ ତିଆରି କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ଠିକ୍ ସେହିପରି ମେଡିକାଲ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥରେ ଅଧିକସଂଖ୍ୟକ ପୁଲିସ୍‌ ମୁତୟନ କରିବାକୁ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି। । କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି । ହସ୍ପିଟାଲ ପରିସରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ସହ ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମେଡିକାଲରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ସାଧାରଣ ରୋଗୀଙ୍କୁ ରୁଟିନ୍ ଓପିଡି ଯିବାକୁ ବାରଣ କରାଯାଇଛି। ଏଥିଲାଗି ରୋଗୀମାନଙ୍କୁ ଟେଲି ମେଡିସିନ୍ ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏଥପାଇଁ ୪୦ଜଣିଆ ଡାକ୍ତରଙ୍କର ଏକ ତାଲିକା ଓ ସେମାନଙ୍କର ମୋବାଇଲ୍ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। ରୋଗୀମାନେ ଡାକ୍ତରଙ୍କ ଠାରୁ ହ୍ବାଟସଅପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଣ କରିପାରିବେ।
ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏହାବ୍ୟତୀତ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର