ଗୁପ୍ତେଶ୍ୱରରେ ମୋବାଇଲ ଚୋର ସକ୍ରିୟ; ଟଙ୍କା ଏବଂ ମୋବାଇଲ ଚୋରି ଅଭିଯୋଗ

ବୈପାରିଗୁଡା: ଶ୍ରାବଣ ମାସରେ ମହାଦେବଙ୍କ ଆରାଧନା ଏବଂ ଜଳାଭିଷେକ ପାଇଁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ଶହଶହ କାଉଡ଼ିଆଙ୍କ ସହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିବା ବେଳେ ଏହାର ସୁଯୋଗ ନେଇ ମୋବାଇଲ ଚୋର ସକ୍ରିୟ ହୋଇ ଉଠିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୧ ତାରିଖ ଏବଂ ଆଜି ଚୋରମାନେ କାଉଡିଆଙ୍କ ଟଙ୍କା ଏବଂ ମୋବାଇଲ ଉଠେଇ ନେଇଛନ୍ତି। ଜୁଲାଇ ୩୧ ତାରିଖ ଦିନ ସୁଦୂର ନୟାଗଡ଼ରୁ ଆସିଥିବା କାଉଡିଆଙ୍କ ୪୦ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଚୋରି ହୋଇଯାଇଥିବା ଭଳି ଅଭିଯୋଗ ଆସିଛି। ବର୍ଷାରୁ ରକ୍ଷା ପାଇବା ପାଇଁ ନିଜ ନିଜ ମୋବାଇଲ ଏବଂ ଟଙ୍କା କାଉଡ଼ିଆ ଦଳ ଗୋଟିଏ ବ୍ୟାଗରେ ରଖିଥିଲେ। ଯେଉଁ ଗାଡ଼ିରେ ସେମାନେ ଆସିଥିଲେ, ସେହି ଗାଡ଼ିରେ ୪୦ ହଜାର ଟଙ୍କା ଏବଂ ମୋବାଇଲ ରଖି ଜଳାଭିଷେକ ପାଇଁ ମନ୍ଦିରକୁ ଯାଇଥିବା ବେଳେ ସମୟ ଏବଂ ସୁଯୋଗ ପାଇ ଚୋରମାନେ ବ୍ୟାଗ ଉଠେଇ ନେଇଛନ୍ତି। ସେହିପରି ବୈପାରିଗୁଡା ବ୍ଲକ ପକୁଲପଡା ଗ୍ରାମର ଜଣେ ଭକ୍ତଙ୍କର ମୋବାଇଲ ବି ଚୋରି ହୋଇଯାଇଛି।

ସେହିପରି ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ – ଭି-୧ ରୁ ଆସିଥିବା କାଉଡିଆଙ୍କ ୪ଟି ମୋବାଇଲ ଏବଂ ଜୟପୁରର କାଉଡିଆଙ୍କ ୨ଟି ମୋବାଇଲ ମଧ୍ୟ ଚୋରି ହୋଇଯାଇଥିବା ନେଇ ବୈପାରିଗୁଡା ଥାନାରେ ଅଭିଯୋଗ କରିଛନ୍ତି। ଏମ୍-ଭି-୧ ର କାଉଡିଆଙ୍କ ଗାଡ଼ିରୁ କୈାଶଳ କ୍ରମେ ମୋବାଇଲ ଉଠେଇ ନେଇଥିବା ଅଭିଯୋଗ ଅଣାଯାଇଛି। ପ୍ରକାଶ ଥାଉ କି, ଗୁପ୍ତେଶ୍ୱର ପ୍ରବେଶ ପଥରେ ଯାନବାହାନ ରଖାଯାଉଥିବା ଏବଂ କାଉଡ଼ିଆ ତଥା ଶ୍ରଦ୍ଧାଳୁ ମନ୍ଦିରକୁ ଯିବା ପରେ ସହଜରେ ଚୋରମାନେ ହାତ ସଫେଇ କରୁଛନ୍ତି। ତେବେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପୁଲିସ ଏବଂ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବା ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର