ଭୁବନେଶ୍ବର: ଟଙ୍କା ଗଣତି ସରିନଥିବାରୁ ଏଯାଏ ସୁନାଗହଣାର ପୂରା ହିସାବ ହୋଇପାରୁନି। ବୁଧବାର ଠାରୁ ଟଙ୍କା ଗଣିଗଣି ନାକେଦମ ହେଲେଣି ଅଧିକାରୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ସ୍ଥିତି ସାମ୍ନା କରିଛି ଆୟକର ବିଭାଗ। ଆୟକର ଟିକସ ଫାଙ୍କି ଅଭିଯୋଗରେ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢ଼ଉ ପରେ ଚକିତ କରିବାଭଳି ତଥ୍ୟ ପଦାକୁ ଆସିଛି। ବୁଧବାର ଦିନ ୩ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦କୋଟି ନଗଦ ଟଙ୍କା ଜବତ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଆଜି ଆହୁରି ୫୨ କୋଟି ଟଙ୍କା ଜବତ ହୋଇଛି। ଅର୍ଥାତ୍ ଏ ପର୍ଯ୍ୟନ୍ତ ୨୫୨କୋଟିରୁ ଊର୍ଧ୍ବ ଟଙ୍କା ଠାବ ହେଲାଣି।
ଜବତ ଟଙ୍କା ମଧ୍ୟରେ ୧୦୦ଟଙ୍କିଆ, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ରହିଛି। ସେପଟେ ପୁଲିସ ଆଜି କଡ଼ା ସୁରକ୍ଷା ଭିତରେ ଜବତ ଟଙ୍କାକୁ ଟ୍ରକ୍ରେ ନେଇ ବଲାଙ୍ଗୀର ଏସ୍ବିଆଇ ସରକାରୀ ଖାତାରେ ଜମା କରିଛି। ଏବେ ମଧ୍ୟ ବିଡ଼ାବିଡ଼ା ଟଙ୍କାର ଗଣତି ଚାଲିଛି। ପୂରା ଟଙ୍କାର ପରିମାଣ ୩୦୦ କୋଟି ଟପିବ ବୋଲି ଆକଳନ କରାଯାଉଛି। ଚାଞ୍ଚଲ୍ୟକର ଖବରଟି ହେଲା- କେବଳ ଟଙ୍କା ନୁହେଁ, ବିଭିନ୍ନ ସ୍ଥାନରୁ ବହୁ ସୁନାଗହଣା, ସୁନା ବିସ୍କୁଟ୍ ମଧ୍ୟ ଜବତ ହୋଇଛି। ହେଲେ ଯେହେତୁ ଟଙ୍କାର ଗଣତି ସରିନାହିଁ, ତେଣୁ ସୁନାଗହଣାର ହିସାବ ଆରମ୍ଭ ହୋଇପାରୁ ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଏତେ ଟଙ୍କା ଆସିଲା କେଉଁଠୁ? ଏହା କେବଳ ବ୍ୟବସାୟରୁ ଆୟ ଅର୍ଥ ନା ଏଠାରେ କେହି କଳାଟଙ୍କା ଠୁଳ କରିଥିଲେ? ଯଦି ଅନ୍ୟମାନଙ୍କ ଟଙ୍କା, ତେବେ ସେମାନେ କିଏ? ସାଂସଦଙ୍କର ଓଡ଼ିଶାର କିଛି ରାଜନୈତିକ ନେତାଙ୍କ ସମ୍ପର୍କ ରହିଛି କି? ସେମାନଙ୍କ ପରିଚୟ ପାଇବା ପାଇଁ ଆୟକର ବିଭାଗ ରାଜନୈତିକ ଲିଙ୍କ୍ ଖୋଳତାଡ଼ ଆରମ୍ଭ କରିଛି।
ଏଯାଏ ମିଳିଲାଣି ୨୫୨ କୋଟି
ସୁନାଗହଣା ହିସାବ ଆରମ୍ଭ ହୋଇନି
ରାଜନୈତିକ ଲିଙ୍କ୍ ନେଇ ଖୋଳତାଡ଼
ଏଥିସହିତ କିଛି ନେତାଙ୍କ ଛାତିରେ ଛନକା ପଶିଲାଣି। ତଦନ୍ତ ବେଳେ ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି। ଅନେକ ବର୍ଷ ହେବ ସଂସ୍ଥାର ମାଲିକ
ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ନିଜ ମଦସାମ୍ରାଜ୍ୟ ବିସ୍ତାର କରିଥିଲେ। ପ୍ରଥମେ ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା। ପରେ ଫର୍ଚୁନ୍ ସ୍ପିରିଟ୍ ନାମରେ ଆଉ ଏକ ସଂସ୍ଥା ଖୋଲା ଯାଇଥିଲା। ସେହି ଫର୍ଚୁନ ସ୍ପିରିଟ୍ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିଲା। ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେର୍ଫେର୍ କରାଯାଇଥିଲା। ଆଉ ଏହାପରେ ସଂସ୍ଥାର ୫ ମୂଳ ମାଲିକ ଓ ସେମାନଙ୍କର ୭ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟିଲାରି (ବିଡିପିଏଲ୍), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟି କୋଟି ଟଙ୍କାର ଅୟକର ଫାଙ୍କି କରାଯାଇଥିଲା। ଏବେ ସେହି କଳା ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ଆୟକର ବିଭାଗର ୩୬ଟି ଟିମ୍ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।