ନଗଡ଼ା ସଡ଼କ ଦୁର୍ନୀତି ମାମଲା: ୩ ଯନ୍ତ୍ରୀଙ୍କୁ ଗଳାବାଟରେ ଖସାଇଦେଲେ!

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ

ଯାଜପୁର : ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ପକ୍ଷରୁ ନଗଡ଼ା ସଡ଼କ ରକ୍ଷଣାବେକ୍ଷଣ ନାଁରେ ଦୁର୍ନୀତି ହୋଇଥିବା ଖୋଦ୍‌ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ହୃଦୟଙ୍ଗମ ହୋଇଥିଲା। ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶ ନିଜ ବିଭାଗର ୩ ଜଣ ଯନ୍ତ୍ରୀ ଯାଜପୁର-୧ ବିଭାଜନ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମୁଦୁଲି ଭେଙ୍କଟରମଣ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ବିରୋଧରେ ଗତମାସ ୪ ତାରିଖରେ କାଳିଆପାଣି ଥାନାରେ ଏତଲା ଦାଏର କରିଥିଲେ। ମନେହେଉଥିଲା ଏହି ୩ ଯନ୍ତ୍ରୀ ଗିରଫ ହେବେ। ହେଲେ ସେମାନଙ୍କୁ ଗିରଫ କରିବା ବଦଳରେ ପୁଲିସ ଗଳାବାଟରେ ଖସାଇ ଦେଇଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ଏହି ୩ ଜଣ ଯନ୍ତ୍ରୀ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧ ତାରିଖର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ, ସିଆରପିସି ୪୧ଏ ଆଧାରରେ ନୋଟିସ୍‌ ପରେ ଅଭିଯୁକ୍ତମାନେ ସେମାନଙ୍କ ପକ୍ଷ ରଖିଛନ୍ତି। ତେଣୁ ଗିରଫ ହେବାର ଆଶଙ୍କା ନାହିଁ। ଏଥିରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଅପରପକ୍ଷରେ ନଗଡ଼ା ସଡ଼କ ଦୁର୍ନୀତି ତଦନ୍ତ ଦାୟିତ୍ବରେ ଥିବା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ ସଞ୍ଜୀବ କୁମାର ମହାନ୍ତି ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ଅକ୍ଷୟ କୁମାର ଜେନାଙ୍କୁ ମାସକ ତଳୁ ପୁଲିସ ନୋଟିସ ଜାରି କରିଥିଲେ। ଥାନାକୁ ଆସି ସାକ୍ଷ୍ୟ ଦେବାକୁ କୁହାଯାଇଥିଲେ ମଧ୍ୟ ଉଭୟ ଯନ୍ତ୍ରୀ ଏଥିରେ ସହଯୋଗ କରିନଥିବା ସୂଚନା ମିଳିଛି। ପ୍ରଥମେ ପ୍ରଥମେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ଆସୁଥିବା ପୁଲିସ ଏବେ ମାମଲାକୁ ନେଇ ଅହେତୁକ ନିରବତା ଅବଲମ୍ବନ କରୁଥିବା ଜଣାପଡ଼ିଛି। ଯାହାକି ପ୍ରସଙ୍ଗକୁ ରହସ୍ୟାବୃତ୍ତ କରିରଖିଛି। ଅନ୍ୟପକ୍ଷରେ ପୁଲିସ, ଅଭିଯୁକ୍ତ ଓ ସାକ୍ଷୀ ଗୋଟିଏ ସରଳରେଖାରେ ଠିଆ ହୋଇଥିବା ଜାଣି ଅଭିଯୋଗକାରୀ ପ୍ରମାଦ ମଣୁଛନ୍ତି।

ସୂଚନାଯୋଗ୍ୟ ଯେ, ନଗଡ଼ା ସଡ଼କର ମରାମତି ନାଁରେ ନିର୍ଦ୍ଦିଷ୍ଟ ୨ ଠିକାଦାରଙ୍କ ନାଁରେ ୧୦ଟି ଗୁପ୍ତ ଟେଣ୍ଡର କରାଯାଇ ୪୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ମୁଖ୍ୟଯନ୍ତ୍ରୀ ଶ୍ରୀ ମହାନ୍ତି, ଶ୍ରୀ ଦାଶ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ଜେନା ନଗଡ଼ା ଗସ୍ତରେ ଆସି ମାମଲାର ତଦନ୍ତ କରିଥିଲେ। କାର୍ଯ୍ୟରେ ଅହେତୁକ ଦୁର୍ନୀତି ହୋଇଥିବା ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଥାନାରେ ଏତଲା ଦାଏର କରିଥିଲେ। ହେଲେ ସବୁ ତଦନ୍ତ ଏବେ ବାଟବଣା ହେବା ଜଳଜଳ ଦିଶୁଛି। କାହା ନିର୍ଦ୍ଦେଶରେ ତଦନ୍ତ ଦନ୍ତହୀନ ହୋଇଗଲା, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର