ପୁଲିସ ଡିଜିଙ୍କ ବୈଠକ : ୧୫ ଦୁର୍ଦ୍ଦାନ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ

କଟକ : ରାଜ୍ୟରେ ୯ଟି ଜିଲ୍ଲାରେ ୧୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ଏନ୍‌ଏସ୍‌ଏ(ନ୍ୟାସ୍‌ନାଲ ସିକ୍ୟୁରିଟି ଆକ୍ଟ)ରେ ଗିରଫ କରାଯିବାକୁ ଜିଲ୍ଲା ଏସ୍‌ପି ପ୍ରସ୍ତାବ ଦେଇଛନ୍ତି । ଏମାନେ ବିଭିନ୍ନ ସମୟରେ ଅପରାଧୀକ କାର୍ଯ୍ୟକଳାପ/ହିଂସା ସୃଷ୍ଟି କରିବାରେ ସହଯୋଗ କରୁଥିବା ଦର୍ଶାଯାଇଛି । ଆଜି ରାଜ୍ୟ ପୁଲିସ ଡିଜି ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌ଏସ୍‌ଏରେ ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଗତ ଫେବ୍ରୁଆରି୧୫ ତାରିଖରୁ ଚଳିତ ମାସ ୮ ତାରିଖ ମଧ୍ୟରେ ରାଜ୍ୟରେ ୩୬ ପୁଲିସ ଜିଲ୍ଲାକୁ ଟାର୍ଗେଟ୍‌ ଦିଆଯାଇଥିବା ୧୩ ହଜାର ୮୮୫ ପେଣ୍ଡିଂ କେସ୍‌ ମଧ୍ୟରୁ ୭୭୪୬ କେସ୍‌ ବନ୍ଦ କରାଯାଇଛି। ୧୨ ହଜାର ୧୮ ଏନ୍‌ବିଡବ୍ଲୁ ଜାରି କରାଯାଇଥିବା ଅପରାଧୀଙ୍କ ମଧ୍ୟରୁ ୬ ହଜାର ୧୧୯ ଜଣଙ୍କୁ ଗିରଫ କରାଯାଇଛି। ୧୧୫୦ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସିଆର୍‌ପିସିର ୧୧୦ ଧାରା ଅନୁଯାୟୀ ୧୧୭୮ ଜଣଙ୍କୁ ଗିରଫ, ୧୦୩୧ଟି ବନ୍ଦ ପଡ଼ିଥିବା ମାମଲା ଖୋଲାଯାଇଥିଲା । କଟକ ଗ୍ରାମାଞ୍ଚଳ ପୁଲିସ ସମେତ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ପୁଲିସ ଏହି ଅବଧି ମଧ୍ୟରେ ଅପରାଧ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କହିଛନ୍ତି । ଆଜି ଆୟୋଜିତ ଭିଡ଼ିଓ କନ୍‌ଫରେନ୍‌ସିକଂ କାର୍ଯ୍ୟକ୍ରମରେ ପୁଲିସ ଡିଜିଙ୍କ ସମେତ ରେଞ୍ଜ ଆଇଜି/ଡିଆଇଜି ଏବଂ ୩୬ ପୁଲିସ ଜିଲ୍ଲାର ଏସ୍‌ପି ଯୋଗ ଦେଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର