ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ : ୧୪୭ଟି ଗାଁ ପାଇଁ ବସୁଧା

ପିଇବା ପାଣି ପାଇଁ ୪ ଲକ୍ଷ ଲୋକ ଉପକୃତ ହେବେ

ବ୍ରହ୍ମଗିରି/ପୁରୀ/ ଗଞ୍ଜାମ/ଛତ୍ରପୁର : ରାଜ୍ୟ ସରକାରଙ୍କ ‘ବସୁଧା’ ଯୋଜନାରେ ଲୋକେ ପାଇବେ ମଧୁର ପାଣି। ଏହି ଯୋଜନା ଦ୍ବାରା ଲୁଣା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦଠାରେ ମେଗା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ଦ୍ବାରା ଚିଲିକା ସଂଲଗ୍ନ ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୪୭ଟି ଗାଁର ୪ ଲକ୍ଷରୁ ଅଧିକ ଲୋକ ପିଇବା ପାଣି ପାଇପାରିବେ। ଏହି ପ୍ରକଳ୍ପ ଅଧୀନରେ କୃଷ୍ଣପ୍ରସାଦ ବ୍ଲକ୍‌ ପାଇଁ ୧୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଗଞ୍ଜାମ ପାଇଁ ୨୦୩ କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବ।

ଚିଲିକା ମଧ୍ୟରେ ଥିବା କୃଷ୍ଣପ୍ରସାଦ ବ୍ଲକ୍ ତିତିପ ଚାରିଛକ ଖେଳ ପଡ଼ିଆଠାରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ବସୁଧା’ ଯୋଜନାରେ ପ୍ରତି ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ମଧୁର ପାଣି ପାଇଁ ହଇରାଣ ହରକତ ହେଉଥିବା ବେଳେ ଏବେ ଏହି ସମସ୍ୟା ଦୂରୀଭୂତ ହେବ। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଏବଂ ପୁରୀ ସାଂସଦ ପିନାକୀ ମିଶ୍ର ଓ ସ୍ଥାନୀୟ ବିଧାୟକ ସଞ୍ଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଜଳସମ୍ପଦ ବିଭାଗ ସଚିବ ଡିକେ ସିଂ, କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସୌଦାମିନୀ ମାନସିଂ, ଜିଲ୍ଲା ପରିଷଦ ସଭ୍ୟା ବନ୍ଦନା ପ୍ରଧାନ, ପ୍ରଭାତୀ ପରିଡା, କୈଳାସ ଚନ୍ଦ୍ର ପରିଡା, ବ୍ରହ୍ମଗିରି ବ୍ଲକ୍ ବିଜେଡି ସଭାପତି ବିଦ୍ୟାଧର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୩ କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ କୃଷ୍ଣପ୍ରସାଦଠାରେ ଆୟୋଜିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଗଞ୍ଜାମ ବ୍ଲକର ହୁମ୍ମା ଲୁଣ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସୁଇଚ୍‌ ଟିପି ଆରମ୍ଭ କରିଥିଲେ ା

ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟା˚ଶୁ ପ୍ରଧାନ, ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ତା, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର