ରାଜ୍ୟରେ ପ୍ରଥମ: ଏସ୍‌ସିବିରେ ନେକ୍ସଟ୍‌ ଜେନେରେସନ୍‌ ସିକ୍ୟୁଏନ୍‌ସିଙ୍ଗ ଲାବ୍ରୋଟୋରି

କଟକ : ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବିରେ ଉଦ୍‌ଘାଟିତ ହୋଇଯାଇଛି ନେକ୍ସ୍‌ଟ ଜେନେରେସନ୍‌ ସିକ୍ୟୁଏନ୍‌ସିଙ୍ଗ ଲାବ୍ରୋଟୋରୀ(ଏନ୍‌ଜିଏସ୍‌)। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ବ୍ୟବସ୍ଥାରେ ଏହା ପ୍ରଥମ ବୋଲି କୁହାଯାଉଛି। ଏସ୍‌ସିବି ବାୟୋକେମେଷ୍ଟ୍ରି ବିଭାଗରେ ଏହି ଲାବ୍‌କୁ ଏନ୍‌ଏଚ୍‌ଏମ୍‌ର ନିର୍ଦ୍ଦେଶିକା ଡି. ବୃନ୍ଦା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଲାବ୍ରୋଟୋରୀ କୋଭିଡ-୧୯ ଭୂତାଣୁରେ ପରିବର୍ତ୍ତନ ବା ମ୍ୟୁଟେସନ୍‌ ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଚିହ୍ନଟ କରିବା ଏବଂ ସେମାନଙ୍କ ସଂକ୍ରମଣ ଉପରେ ନଜର ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ। ଏହା ଜୀବାଣୁ ବିସ୍ତାରର ଟ୍ରାକ୍ ମଧ୍ୟ ରଖିବ। ଏହା କିପରି ପରିବର୍ତ୍ତନ ହୁଏ ଏବଂ ସେହି ପରିବର୍ତ୍ତନଗୁଡିକ କିପରି ପ୍ରଭାବ ପକାଇପାରେ ତାହା ଉପରେ ମଧ୍ୟ ନଜର ରଖିବ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, ବିପିଏଚ୍‌ ଡାକ୍ତର ନିରଞ୍ଜନ ମିଶ୍ର, ବରିଷ୍ଠ ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, ଆରଏମ୍ଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ବାୟୋକେମେଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରତିମା ସାହୁ, ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ, ପ୍ରଫେସର ଡାକ୍ତର ସତ୍ୟ ନାରାୟଣ ରାଉତରାୟ, ୟୁଏସ୍‌ଆଇଟିର ସଙ୍ଗୀତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ, ଜାତୀୟ ସ୍ବାସ୍ଥ୍ୟ ମିଶନ, ଝାପାଇଗୋ ଦ୍ବାରା ପରିଚାଳିତ ୟୁଏସ୍‌ଏଆଇଡି ରାଇଜ୍‌ ପ୍ରମୁଖଙ୍କ ମିଳିତ ସହଯୋଗରେ ଏଭଳି ଲାବ୍ରୋଟୋରୀ କାର୍ଯ୍ୟକ୍ଷମ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୫ ଦିନିଆ ତାଲିମ୍‌ ଶିବିର ଏସ୍‌ସିବିରେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର