ସିଡିଏରେ ‌ଆଜି ଖୋଲିବ ନୂଆ ସିଏନ୍‌ଜି ଷ୍ଟେସନ: ଓଡ଼ିଶାରେ ପ୍ରଥମ ଗେଲ୍‌ ନିର୍ମିତ ଓ ପରିଚାଳିତ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ‘ଉର୍ଜା ଗଙ୍ଗା’ ଯୋଜନାରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନ ମହାରତ୍ନ କମ୍ପାନି ଗେଲ୍ ଇଣ୍ଡିଆ ଲିମିଟେଡ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ଗ୍ୟାସ ପାଇପଲାଇନ (ଜେଏଚ୍‌ବିଡିପିଏଲ୍‌)ର ସ୍ଥାପନ ଏବଂ ପରିଚାଳନା କରୁଛି। ଏଥିସହିତ ଖୋର୍ଦ୍ଧା (ଭୁବନେଶ୍ବର) ଏବଂ କଟକ ଜିଲ୍ଲାରେ ପାଇପ୍‌ ଜରିଆରେ ଗ୍ୟାସ ଯୋଗାଇ ଦେବା କାର୍ଯ୍ୟ ସଂପାଦନ କରୁଛି। ଶିଳ୍ପ ସଂସ୍ଥା, ବାଣିଜ୍ୟିକ ସଂସ୍ଥା, ଘରୋଇ ଗ୍ରାହକଙ୍କ ସମେତ ପରିବହନ କ୍ଷେତ୍ରକୁ ପାଇପ୍‌ ଜରିଆରେ ପ୍ରାକୃତିକ ଗ୍ୟାସ ଯୋଗାଇ ଦେଉଛି। ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) ପ୍ରକଳ୍ପ ଅଧୀନରେ ଗେଲ୍‌ ଭୁବନେଶ୍ବରରେ ପାଖାପାକି ୪୦ ହଜାର ଏବଂ କଟକରେ ୨୦ ହଜାର ପରିବାରକୁ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଇ ଦେବା ପାଇଁ ଭିତ୍ତିଭୂମି ସ୍ଥାପନ କରିଛି। ଏଥିସହିତ ୧୮ଟି ସିଏନ୍‌ଜି ଷ୍ଟେସନର ପରିଚାଳନା କରୁଛି।

ଏଥିରୁ ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଥିବାବେଳେ କଟକ ଜିଲ୍ଲରେ ୭ଟି ରହିଛି। ଏହାବାଦ୍ ଆଉ ୫ଟି ସିଏନଜି ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ୫ଟିରୁ ଗୋଟିଏ ଷ୍ଟେସନର ବାଣିଜ୍ୟିକ କାର୍ଯ୍ୟ ରବିବାରଠାରୁ ଆରମ୍ଭ ହେବ। ଉକ୍ତ ଷ୍ଟେସନଟି ସିଡିଏର ସେକ୍ଟର-୧୧(ବିରେନ ମିତ୍ର ପାର୍କ ନିକଟ)ରେ ଖୋଲିବ। ଏହା ରାଜ୍ୟର ପ୍ରଥମ ସିଏନଜି ଷ୍ଟେସନ ଯାହାକି କମ୍ପାନି ଦ୍ବାରା ନିର୍ମାଣ ହେବା ସହିତ ପରିଚାଳିତ ହେବ। କମ୍ପାନିର ଅନ୍ୟ ସିଏନଜି ଷ୍ଟେସନଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରାଜ୍ୟରେ କଟକ ଓ ଭୁବନେଶ୍ବର ସହରରେ ସଂପ୍ରତି ଦିନକୁ ପାଖାପାଖି ୨୦ ହଜାର କିଗ୍ରା ସିଏନଜି ବିକ୍ରି ହେଉଛି।

ମୁଖ୍ୟ ପାଇପଲାଇନ ବର୍ତ୍ତମାନ ସୁଦ୍ଧା ଏହି ଦୁଇ ସହରକୁ ସଂଯୋଗ ହୋଇନାହିଁ। ଏଥିପାଇଁ ଗେଲ୍ ଗୁଜରାଟରୁ ‌ଏଲ୍‌ଏନ୍‌ଜି ଆମଦାନି କରି ତାହାକୁ ଭୁବନେଶ୍ବରରେ ଥିବା ଦୁଇଟି ସ୍ଥାନରେ ସିଏନଜି ଓ ପିଏନଜିରେ ରୂପାନ୍ତରିତ କରି ଗ୍ରାହକଙ୍କୁ ଯୋଗାଇ ଦେଉଛି। ଦୁଇ ସହରରେ ବର୍ତ୍ତମାନ ପାଖାପାଖି ୫୦୦୦ ଅଟୋରିକ୍ସା ଏବଂ ୫୦୦ରୁ ଅଧିକ କାର୍‌ ସିଏନଜିରେ ଚାଲୁଛି। ଏହା ସ୍ବଚ୍ଛ ଇନ୍ଧନ ହୋଇଥିବାରୁ ପରିବେଶ ପ୍ରଦୂଷଣ ହ୍ରାସ ପାଉଛି। ଏଥିସହିତ ଅଧିକ ମାଇଲେଜ୍ ମିଳୁଥିବାରୁ ଓଲା ଓ ଉବର ଡ୍ରାଇଭରମାନେ ଅଟୋ ଏବଂ କାରକୁ ସିଏନଜିରେ ଚଳାଇବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର