ଏନ୍‌ଆଇଏ ହଟଚମଟ

ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ କିଶନନଗରରେ ଚଢ଼ଉ

୧୨ ଘଣ୍ଟାର ଛାନ୍‌ଭିନ୍‌ ପରେ ଅଖତାର୍‌ଙ୍କୁ ଛାଡ଼ିଦେଲା

କଟକ/କିଶନନଗର/ଭୁବନେଶ୍ୱର : କିଶନନଗର ଥାନା ସାମନ୍ତରାପୁରର ବାସିନ୍ଦା ଅଖତାର ଖାଁଙ୍କର ଆତଙ୍କବାଦୀ ସଂଗଠନ ସହ କୌଣସି ସଂପର୍କ ନାହିଁ। ପ୍ରାୟ ୧୨ ଘଣ୍ଟାର କସରତ ପରେ ଏନ୍‌ଆଇଏ ଅଧିକାରୀ ଅଖତାରଙ୍କୁ ଛାଡି ଦେବା ପରେ ଏ ଘଟଣା ସ୍ପଷ୍ଟ ହୋଇଛି। ବିଦେଶରୁ ଏକାଧିକ ଫୋନ୍‌ କଲ୍‌ ଆସିବା, ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍‌ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିବା ଭଳି ସନ୍ଦେହରେ ଆଜି ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) ଓ ଆଇବିର ଅଧିକାରୀ କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ସାମନ୍ତରାପୁରରେ ଚଢଉ କରିଥିଲେ। ସକାଳ ପ୍ରାୟ ୯ଟାରୁ ଆରମ୍ଭ ହୋଇଥିଲା ଚଢଉ। ଘରଭିତରେ ବ୍ୟାପକ ଛାନଭିନ୍‌ ଆଉ ଜେରା ପରେ ଅଖତାର ଖାଁଙ୍କୁ ଉଠାଇ ନେଇ ଦିନ ପ୍ରାୟ ସାଢେ ଦୁଇଟା ବେଳେ ଅଜ୍ଞାତ ସ୍ଥାନକୁ ଯାଇଥିଲେ। ସଂଧ୍ୟା ପ୍ରାୟ ୭ଟା ବେଳେ ଅଖତାରଙ୍କୁ ଆଣି ପହଞ୍ଚିଥିଲେ କଟକ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ। ସେଠାରେ ପାଖାପାଖି ଦୁଇ ଘଣ୍ଟାର ଆଲୋଚନା ପରେ ଅଖତାରଙ୍କୁ ତାଙ୍କ ପୁଅ ଜିମାରେ ଛାଡ଼ି ଦେଇଥିଲେ। ଏଭଳି ଏକ ଘଟଣା ଆଜି କଟକ ରି କିଶନନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ ନେମାଳ ଥାନା ଗୋପୀନାଥପୁର କୁଶମଣ୍ଡଳ ଗ୍ରାମର ମୂଳ ବାସିନ୍ଦା ୫୨ ବର୍ଷ ବୟସ୍କ ଅଖ୍‌ତାର ଖାଁ ଦୀର୍ଘ ୨୦ ବର୍ଷ ଧରି ସାଉଦି ଆରବରେ କାମ କରୁଥିଲେ। ସେଠାରୁ ଫେରିବା ପରେ ପତ୍ନୀ, ୩ ପୁଅ ଓ ଜଣେ ଝିଅକୁ ନେଇ ଗଲା ପ୍ରାୟ ୪ ବର୍ଷ ହେଲା କିଶନନଗର ଥାନା ସାମନ୍ତରାପୁର ଗ୍ରାମରେ ଏକ ଦୁଇ ମହଲା କୋଠାଘର ଉପର ମହଲା (ଆରିଫିନ ମଞ୍ଜିଲ)କୁ ଭଡ଼ାରେ ନେଇ ରହୁଥିଲେ। ୩ ପୁଅ ମଧ୍ୟରୁ ବଡ଼ ପୁଅ ୨ ବର୍ଷ ହେବ ସାଉଦି ଆରବରେ ଚାକିରି କରୁଥିବା ବେଳେ ମଝିଆ ପୁଅ ଘରେ ରହୁଛନ୍ତି। ସାନ ପୁଅ ଏବେ ୧୦ମ ଶ୍ରେଣୀର ଛାତ୍ର। ଏକମାତ୍ର ଝିଅର ବିବାହ ପ୍ରାୟ ବର୍ଷକ ତଳେ ହୋଇଥିଲା। କିଛି ଦିନ ପୂର୍ବରୁ ଅଖତାର କଲିକତା ଯାଇଥିବା ବେଳେ ଗତକାଲି ରାତିରେ ଘରକୁ ଫେରିଥିଲେ।

ଆଜି ସକାଳ ପାଖାପାଖି ୯ଟା ବେଳେ ଏନ୍‌ଆଇଏର ୮ ଜଣିଆ ଓ ଆଇବିର ୪ ଜଣିଆ ଟିମ୍‌ ସହ କଟକ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ ସାମନ୍ତରାପୁରରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ୍‌ ଅଖତାରଙ୍କ ଘର ଚାରିପଟେ ଜଗି ରହିଥିବା ବେଳେ ଏନ୍‌ଆଇଏ ଓ ଆଇବି ଅଧିକାରୀ ଘର ଭିତରକୁ ପଶିଥିଲେ। ସେମାନଙ୍କ ସହ ଏସ୍‌ଡିପିଓ ପି.କେ.ଜେନା ଓ କିଶନନଗର ଥାନା ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ବି ଭିତରକୁ ଯାଇଥିଲେ। ଅଖତାରର ପରିବାର ଲୋକଙ୍କୁ ବାହାରେ ଯାଇ ବସିବାକୁ କୁହାଯାଇଥିଲା। କିନ୍ତୁ ଅଖତାରକୁ ଘର ଭିତରେ ୫ଘଣ୍ଟା କାଳ ଜେରା ସମୟରେ ଭିତରେ କେବଳ ଏନ୍‌ଆଇଏ ଓ ଆଇବିର କେତେଜଣ ଅଧିକାରୀ ରହିଥିଲେ। ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ପାସପୋର୍ଟ, ମୋବାଇଲ ତଥା ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ଏନ୍‌ଆଇଏ ଓ ଆଇବି ଟିମ୍‌ ଅଖ୍‌ତାରଙ୍କୁ ସାଙ୍ଗରେ ଧରି ଅଜ୍ଞାତ ସ୍ଥାନକୁ ଚାଲି ଯାଇଥିଲା। କିନ୍ତୁ ଯାଞ୍ଚ ଓ ଜେରାରୁ କୌଣସି ତଥ୍ୟ ପ୍ରମାଣ ନ ମିଳିବାରୁ ଅଖତାରଙ୍କୁ ଛାଡ଼ି ଦିଆଯାଇଥିବା କଟକ ଏସ୍‌ପି ମାଧବଚନ୍ଦ୍ର ସାହୁ କହିଛନ୍ତି।

ଅନ୍ୟପଟେ ତାଙ୍କ ସ୍ୱାମୀଙ୍କୁ ବିନା ଦୋଷରେ ପୁଲିସ ଉଠାଇ ନେଇଥିବା ଅଭିଯୋଗ କରିଥିଲେ ପତ୍ନୀ ଅସରଫୁନ ନିଶା। ନିଶା କହିବା ଅନୁଯାୟୀ ସେମାନେ ଗରିବ ଲୋକ। ଟଙ୍କା ଆଣିବାକୁ ଅଖତାର୍‌ କଟକ ଯାଇଥିବା ବେଳେ ଗତକାଲି ରାତିରେ ଘରକୁ ଫେରିଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ନଇମ ନାମକ ଜଣ ଯୁବକକୁ ଆତଙ୍କବାଦୀ ସହ ସଂପର୍କ ଅଭିଯୋଗରେ ଗିରଫ କରାଯାଇଥିଲା। ସେ ମଧ୍ୟ ସାଉଦି ଆରବରେ କାମ କରୁଥିଲା। ଜେରା ବେଳେ ସେ କଟକର ଅଖତାର ଏବଂ ମହାରାଷ୍ଟ୍ରର ଜଣେ ଯୁବକ ମଧ୍ୟ ତା ସହିତ ସାଉଦିରେ କାମ କରୁଥିବା କହିଥିଲା। ଏସଂପର୍କରେ ଛାନବିନ ପାଇଁ ଏନଆଇଏ ଆଜି ଅଖତାରଙ୍କୁ ପଚରାଉଚରା କରିଥିଲା। ତେବେ କୌଣସି ପ୍ରମାଣ ନମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର