ଡିସେମ୍ବର ୧ରୁ ରାଜଧାନୀ ପୁସ୍ତକ ମେଳା

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ବହିମେଳା ୧୮ତମ ରାଜଧାନୀ ପୁସ୍ତକ ମେଳା ଚଳିତ ବର୍ଷ ଡିସେମ୍ବର ମାସ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାନା, ପଞ୍ଜାବ, ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ ପ୍ରଭୃତି ରାଜ୍ୟର ଖ୍ୟାତନାମା ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଯୋଗ ଦେବେ ବୋଲି ସଭାପତି ଡ. ଉପେନ୍ଦ୍ର କୁମାର ଜେନା ଜଣାଇଛନ୍ତି । ମେଳାରେ ବିଭିନ୍ନ ଭାଷାର ସାହିତ୍ୟ ପୁସ୍ତକ, ଧର୍ମପୁସ୍ତକ, ସୂଚନା ପୁସ୍ତକ ସହିତ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ, ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପୁସ୍ତକ, ସିଡି ଆଦି ଉପଲବ୍ଧ ହେବ।

ବିଭିନ୍ନ ଶିକ୍ଷାନୁଷ୍ଠାନ ଷ୍ଟଲ୍‌ରୁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସମ୍ପର୍କରେ ସିଧାସଳଖ ବୁଝି ପାରିବେ। ପୁସ୍ତକମେଳା ମଞ୍ଚରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି, ଲେଖକ, ବ୍ୟଙ୍ଗ କବି ସମ୍ମିଳନୀ, ଶିଶୁ ସାହିତ୍ୟିକ ସମ୍ମିଳନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁସ୍ତକ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂତନ ସାଜସଜ୍ଜା, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଓ ପରିଚ୍ଛନତା ରକ୍ଷା କରାଯିବା ସହିତ ସିସିଟିଭି ସଂଯୋଗ କରାଯାଉଥିବା ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର