ହକି ବିଶ୍ୱ ଲିଗ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଟ୍ରାଫିକ ଓ ପାର୍କିଂ କଟକଣା

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱ ଲିଗ୍‌ ଫାଇନାଲ। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ପ୍ରତିଯୋଗିତାର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବକୁ ଦର୍ଶକମାନେ ଉତ୍କକଣ୍ଠାର ସହ ଅପେକ୍ଷା କରିଛନ୍ତି। ୧ ତାରିଖ ଅପରାହ୍ଣ ୪.୪୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ନେଇ କମିସନରେଟ୍‌ ପୁଲିସ ଚାପରେ ରହିଛି। ଟ୍ରାଫିକ୍‌ରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ କିମ୍ବା ଖେଳାଳିମାନେ କୌଣସି ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ କେଉଁଠି ଗାଡି ପାର୍କିଂ କରିବେ ଏବଂ କେଉଁ ରାସ୍ତା ଦେଇ ଆସିବେ ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଚାର୍ଟ ପ୍ରସ୍ତୁତ ହୋଇଛି।

ସୂଚନା ଅନୁଯାୟୀ ନୂଆପଲ୍ଲୀ ରାବଣପୋଡ଼ି ପଡିଆ, ରିଜର୍ଭ ଲାଇନ ପଡ଼ିଆ ଓ ନିକୋ ପାର୍କ ରାସ୍ତାରେ ସମସ୍ତ ପ୍ରକାର ଯାନ ପାର୍କିଂ ହୋଇପାରିବ। ସେହିପରି ଆଶ୍ରମ ସ୍କୁଲ ଓ ବେହେରା ସାହି ପଡିଆରେ କେବଳ ଦୁଇଚକିଆ ଯାନ ରଖିବାକୁ କୁହାଯାଇଛି। ଏଜି ଛକ ପଟରୁ ସଚିବାଳୟ ମାର୍ଗରେ କଳିଙ୍ଗ ଷ୍ଟାଡିୟମକୁ ଯାଉଥିବା ଦର୍ଶକମାନେ ନିକୋପାର୍କ ରାସ୍ତାରେ ସେମାନଙ୍କ ଗାଡିକୁ ପାର୍କିଂ କରି ଷ୍ଟାଡିୟମକୁ ଚାଲି କରିଯିବେ। ଶାସ୍ତ୍ରୀନଗର ପଟୁ ଷ୍ଟାଡିୟମକୁ ଯାଉଥିଲେ ସେମାନେ ମଧ୍ୟରେ ବେହେରା ସାହି ଓ ନିକୋପାର୍କ ରାସ୍ତାରେ ଗାଡି ପାର୍କିଂ କରି ଷ୍ଟାଡିୟମକୁ ଯିବେ। ଜୟଦେବ ବିହାର ପଟୁ ଆସୁଥିବା ଦର୍ଶକମାନେ ସେମାନଙ୍କ ଯାନକୁ ରିଜର୍ଭ ପଡିଆରେ ରଖି ଷ୍ଟାଡିୟମକୁ ଯିବେ।

ସେହିପରି ଉଦ୍‌ଘାଟନୀ ଉତ୍ସବ ପାଇଁ ଭିଭିଆଇପି, ଭିଆଇପି, ଗଣମାଧ୍ୟମ ଯାନ ବାହନ ଗେଟ-୯ ପ୍ରବେଶ କରିବ। ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଯାନବାହନ ଗେଟ-୨ରେ ପ୍ରବେଶ କରିବ। ଟିକେଟ ଓ ପାସ୍‌ଧାରୀମାନେ ସେମାନଙ୍କ ଟିକେଟ ଓ ପାସରେ ଉଲ୍ଲେଖ ଥିବା ଗେଟ୍‌- ନଂ-୩, ୪, ୫, ୬ ଓ ୭ ଅନୁସାରେ ପ୍ରବେଶ କରିବେ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର