ଚାଷୀଙ୍କୁ ମିଳିବ ୩୬୫ କୋଟିର ଇନ୍‌ପୁଟ୍‌ ସବ୍‌ସିଡି

ଅଦିନିଆ ବର୍ଷାଜନିତ ଚାଷ କ୍ଷତି ପୁଣି ବଢିଲା, ୪ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ

ଭୁବନେଶ୍ୱର : ଦୁଇ ଦିନ ତଳେ ପ୍ରାରମ୍ଭିକ ଆକଳନ କରାଯାଉଥିଲା ୧୯ ଜିଲ୍ଲାର ୩ଲକ୍ଷ ୮୪ ହଜାର ୧୮ ହଜାର ହେକ୍ଟର ଜମିରେ ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ହୋଇଛି। ହେଲେ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ବିଜ୍ଞପ୍ତି ଜାରି କରି ଜଣାଇଛନ୍ତି ଯେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ପରିମାଣ ଏହାଠାରୁ ଅଧିକ। କିନ୍ତୁ ପ୍ରଭାବିତ ଅଞ୍ଚଳ ସଂଖ୍ୟା ପୂର୍ବାପେକ୍ଷା କମ୍‌।

ରାଜସ୍ୱ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, କୋରାପୁଟ, ମୟୂରଭଂଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡା ଭଳି ୧୯ଟି ଜିଲ୍ଲାରେ ବର୍ଷା ବିତ୍ପାତ ଘଟିଛି। ୧୩୩ ବ୍ଲକ ଅନ୍ତର୍ଗତ ୨୪୬୦ପଞ୍ଚାୟତ ଓ ୩୮ଟି ପୌରାଞ୍ଚଳ ଅନ୍ତର୍ଗତ ୨୫୭ଟି ଓ୍ଵାର୍ଡର  ୪ଲକ୍ଷ ୭ହଜାର ୧୦୦ ହେକ୍ଟର ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ହାନି ଘଟିଛି। ଏ ମଧ୍ୟରୁ ୨ଲକ୍ଷ ୭୫ ହଜାର ୮୬ ହେକ୍ଟର ଜମି ଅଣଜଳସେଚିତ ଅଞ୍ଚଳ ଓ  ୧ଲକ୍ଷ ୩୧ ହଜାର ୨୪୪ ହେକ୍ଟର ଜମି ଜଳସେଚିତ ବୋଲି କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିସନର ଜଣାଇଛନ୍ତି ଯେ ଏସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ୩୬୪ କୋଟି ୭୬ ଲକ୍ଷ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରାଯିବ। ପ୍ରଭାବିତ ଚାଷୀଙ୍କୁ ଏହି ଅର୍ଥ ତୁରନ୍ତ ପ୍ରଦାନ କରିବା ଲାଗି କୁହାଯାଇଛି। ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୬ହଜାର ୮୦୦ ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ  ୧୩ ହଜାର ୫୦୦ ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏ ବାବଦ ଅର୍ଥ ଜିଲ୍ଲାପାଳଙ୍କୁ ଦିଆଯାଇସାରିଛି।

ଜିଲ୍ଲାଓ୍ଵାରୀ ହିସାବ କଲେ, ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୯୭ ହଜାର ୨୩୩ ହେକ୍ଟର ଜମିରେ ଫସଲ ହାନି ଘଟିଛି। ଏହା ପଛକୁ ରହିଛି କେନ୍ଦ୍ରାପଡା। ଏଠାରେ ୭୬ହଜାର ୩୪୫ ହେକ୍ଟର ଜମିରେ ଚାଷ ନଷ୍ଟ ଘଟିଛି। ଯାଜପୁର ଜିଲ୍ଲାରେ ୫୨ହଜାର ୯୨ ହେକ୍ଟର, ଖୋର୍ଧାରେ ୪୧ ହଜାର ୮୨୯ ହେକ୍ଟର, ପୁରୀରେ ୩୯ ହଜାର ୯୮୩ ହେକ୍ଟର, ଭଦ୍ରକ ଜିଲ୍ଲାରେ ୩୦ ହଜାର ୦୪୯ ହେକ୍ଟର, ନୟାଗଡରେ ୨୪ ହଜାର ୭୯୨ ହେକ୍ଟର, ମୟୂରଭଞ୍ଜରେ ୨୦ ହଜାର ୭୪୨ ହେକ୍ଟର,କଟକରେ ୭୫୪୮ ହେକ୍ଟର, ଜଗତସିଂହପୁରରେ ୫୮୬୧ ହେକ୍ଟର, କେନ୍ଦୁଝରରେ ୪୧୯୬ ହେକ୍ଟର ଜମିରେ ଉଭୟ ଧାନ ଓ ଅଣଧାନ ଫସଲ ପ୍ରଭାବିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ କମ୍‌ ୩ଲକ୍ଷ ୬୪ ହଜାର ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି। ୧୧ଟି ଜିଲ୍ଲାରେ କୌଣସି ଫସଲ ହାନି ଘଟିନାହିଁ ବୋଲି ଜିଲ୍ଲାପାଳମାନେ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ପୂର୍ବରୁ ମରୁଡ଼ି କାରଣରୁ ରାଜ୍ୟରେ ହାରାହାରି ୩ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ନେଇ ସରକାର ଘୋଷଣା କରିଥିଲେ। ସେହିପରି ଚକଡ଼ା ଆଦି ପୋକ ଲାଗି ୨୪ଟି ଜିଲ୍ଲାର ୧୫୦ ବ୍ଲକ ଓ ୩୫ ପୌରାଞ୍ଚଳ ଅନ୍ତର୍ଗତ ୧ ଲକ୍ଷ ୨୮ ହଜାର ୩ ଶହ ୧୮ ହେକ୍ଟର ଜମିର ଚାଷ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିବା କୁହାଯାଇଥିଲା। ହେଲେ ଅଦିନିଆ ବର୍ଷା ଜନିତ କ୍ଷତି ଏସବୁକୁ ଟପିଯାଇଛି।

ସମ୍ବନ୍ଧିତ ଖବର