କେବଳ ରାଉରକେଲା ବିକଶିତ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ହେବନାହିଁ: ବ୍ରଜ ତ୍ରିପାଠୀ

ଦୃଢ ନେତୃତ୍ବର ଅଭାବ ଜିଲ୍ଲାର ବିକାଶରେ ବାଧକ : ରବି ଦାସ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ୫୫ ପ୍ରତିଶତରୁ ଅଧିକ ଆଦିବାସୀ ଓ ୯.୬ ପ୍ରତିଶତରୁ ଅଧିକ ହେଉଛନ୍ତି ଅନୁସୂଚିତ ଜାତିର। ସୁନ୍ଦରଗଡ଼ ଜିଲ୍ଲାର ବିକାଶ କରିବାକୁ ହେଲେ ଏହି ଲୋକଙ୍କ କଥା ଚିନ୍ତା କରିବାକୁ ହେବ। କେବଳ ରାଉରକେଲା ବିକଶିତ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ହେବନାହିଁ। ଗୁରୁବାର ଦିନ ସ୍ଥାନୀୟ ସିଭିକ୍ ସେଣ୍ଟରରେ ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବରେ ‘ଆମ ଜିଲ୍ଲାର ବିକାଶରେ ବାଧକ : ସମସ୍ୟା ଓ ସମାଧାନ’ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ତଥା ବିଶିଷ୍ଟ ଶ୍ରମିକ ନେତା ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ ଏହା କହିଛନ୍ତି।

ସେ ଆହୁରି କହିଲେ, ରାଜ୍ୟ ସରକାର ବର୍ଷକୁ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ କେବଳ ଖଣିରୁ ୫୨ ହଜାର କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ସେଥିରୁ ସର୍ବାଧିକ ରାଜସ୍ବ ସୁନ୍ଦରଗଡ଼ ଜିଲ୍ଲାରୁ ଯାଉଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଖଣିରୁ ମିଳୁଥିବା ରାଜସ୍ବର ୬୦ ପ୍ରତିଶତ ସେହି ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ ହେବ। ୧୯୯୬ରେ କେନ୍ଦ୍ର ସରକାର ପେସା ଆଇନ ତିଆରି କରିଥିଲେ। ଏହି ଆଇନ ଅନୁସାରେ ଆଦିବାସୀ ସଂପ୍ରଦାୟର ଲୋକମାନେ ଗ୍ରାମସଭାରେ ସମସ୍ତ ନିଷ୍ପତି ନେବେ। କିନ୍ତୁ ତାହା ହେଉନାହିଁ। ଫଳରେ ଅସଲ ବିକାଶ ହେଉନାହିଁ। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ କରି ଓ ଆସନ ସଂରକ୍ଷଣ କରି କାମ ସାରି ଦେଉଛନ୍ତି। ଏ ଜିଲ୍ଲାର ୪୦ ଭାଗରୁ ଅଧିକ ଜଙ୍ଗଲ ଥିବାବେଳେ, ତାହା ସମଗ୍ର ରାଜ୍ୟରେ ଥିବା ଜଙ୍ଗଲର ୮ ଭାଗ। ଲୁହାପଥର ଠାରୁ ଆରମ୍ଭ କରି କୋଇଲା ଓ ଚୂନ ପଥର ଆଦି ମୂଲ୍ୟବାନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା। ୨୦୧୦-୧୧ରେ ଜିଲ୍ଲାବାସୀଙ୍କ ମୁଣ୍ଡପିଛା ଆୟ ରାଜ୍ୟରେ ୧ ନମ୍ବର ସ୍ଥାନରେ ରହୁଥିବା ବେଳେ ଆଜି ୪ର୍ଥ ସ୍ଥାନରେ ପହଞ୍ଚିଲାଣି।

ଉତ୍ସବର ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ କହିଲେ, ରାଉରକେଲା ଓଡ଼ିଶାର ଦ୍ୱିତୀୟ ପ୍ରାଣକେନ୍ଦ୍ର ଥିଲା। ରାଉରକେଲା ସହରରେ କ୍ରମାଗତ ଭାବେ ଯେଉଁଭଳି ବିକାଶ ହେବା କଥା ସେପରି ହୋଇନାହିଁ। ଏକଦା ଏକ କ୍ରମବର୍ଦ୍ଧିଷ୍ଣୁ ସହର ଭାବେ ରାଉରକେଲା ଏକ ନମ୍ବର ସ୍ଥାନରେ ଥିଲା। କିନ୍ତୁ ସେ ସ୍ଥିତି ଆଉ ନାହିଁ। ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ରେଳପଥର ବିକାଶ, ନିୟମିତ ବିମାନ ଚଳାଚଳର ଅଭାବ, ଜିଲ୍ଲାରୁ ବିଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ମହିଳା ଚାଲାଣ ଓ ସର୍ବୋପରି ଦୃଢ ନେତୃତ୍ବର ଅଭାବ ହିଁ ଏହାର ବିକାଶରେ ବାଧକ ସୃଷ୍ଟି କରୁଛି।

ଏହି ଅବସରରେ ସଚେତନ ନାଗରିକ ମଞ୍ଚର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ମଞ୍ଚର ସଭାପତି ଡାକ୍ତର ଫକୀର ଚରଣ ହୋତା ଆଲୋଚନାଚକ୍ରରେ ସଭାପତିତ୍ବ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ପୀତବାସ ମିଶ୍ର, ସାଧାରଣ ସଂପାଦକ ପି. ପି ରାୟ, ସ୍ମରଣିକାର ମୁଖ୍ୟ ସଂପାଦକ ଅଭୟ ଦାସ ପ୍ରମୁଖ ଆଲୋଚନାର ବିଷୟବସ୍ତୁ ଉପରେ ମତବ୍ୟକ୍ତ କରିଥିଲେ। ଉପସଭାପତି ଶିକ୍ଷାବିତ୍ ଭବେଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଜଟାଧାରୀ ମାଝୀ, କୁଞ୍ଜବିହାରୀ ରାଉତ, ଅକ୍ଷୟ ଦାସ, ମିତା ପ୍ରଧାନ, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର ନାୟକ, ଚିତ୍ତରଞ୍ଜନ ଦାସ, ଶଶଧର ପାତ୍ର, ବସନ୍ତ ଦାସ, ଚକ୍ରାନ୍ତ ଜେନା, ରଞ୍ଜନ ଲେଙ୍କା, ଗଙ୍ଗାଧର ଦାଶ, ଆରତୀ କର, ଏଲିନା ମହାନ୍ତି, ବିଷ୍ଣୁପ୍ରିୟା ସାହୁ, ନମିତା ନାୟକ, ପଦ୍ମାରାଣୀ ବେହୁରା, ବିଷ୍ଣୁପ୍ରିୟା ଦାସ, ଚିନ୍ତାମଣି ଗୌଡ, ଗଜେନ୍ଦ୍ର ମୁର୍ମୁ ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉପସଭାପତି ବିମଳ ବିଶି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର