୮ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକଙ୍କୁ ନେଇ ଶିରିଡ଼ିକୁ ଗଡ଼ିଲା ଟ୍ରେନ୍‌

ସମ୍ବଲପୁର : ଠିକ୍‌ ମାସେ ବ୍ୟବଧାନ ପରେ ସମ୍ବଲପୁରରୁ ପୁଣିଥରେ ବାହାରିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ। ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରୁ ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କ ସହ ଜିଲ୍ଲା ପ୍ରଶାସନର ୩୦ ଜଣ ଗାଇଡ୍‌ ଏହି ଯାତ୍ରାରେ ବାହାରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲା ପରିଷଦ ସଭାପତି କୁମଦିନୀ ନାୟକ, ଜିଲ୍ଲାପାଳ ଅନନ୍ୟା ଦାସ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ୫ ଜଣ ବରିଷ୍ଠ ନାଗରିକଙ୍କୁ ଅତିଥି ମାନଙ୍କ ଦ୍ଵାରା ଡମି ଟିକେଟ୍‌ ଓ କିଟ ବ୍ୟାଗ ପ୍ରଦାନ କରା ଯାଇଥିଲା। ବରିଷ୍ଠ ଯାତ୍ରୀମାନେ ୫ ଦିନର ଏହି ଯାତ୍ରାରେ ମହାରାଷ୍ଟ୍ରର ଶିରିଡି, ନାସିକ ଓ ତ୍ରୟମ୍ବକେଶ୍ବର ଜ୍ୟୋତିର୍ଲିଂଗ ଆଦି ତୀର୍ଥକ୍ଷେତ୍ର ବୁଲି ୨୧ ତାରିଖରେ ସମ୍ବଲପୁର ଫେରିବେ। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆର୍‌ସିଟିସି ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ପରିବହନ ଓ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା, ଖାଦ୍ୟ ଆଦିର ବ୍ୟବସ୍ଥା କରାଯାଇଛି। ଏଥି ସହ ଟ୍ରେନରେ ଜଗୁଆଳି, ଗାଇଡ଼, ଚିକିତ୍ସା ସୁବିଧା ମଧ୍ୟ ଦିଆଯିବ। ଏହି ଯାତ୍ରାରେ ସମ୍ବଲପୁରରୁ ୧୧୨, ଅନୁଗୁଳରୁ ୧୩୭, ଦେବଗଡ଼ରୁ ୩୩, ସୁବର୍ଣ୍ଣପୁରରୁ ୬୫, ବରଗଡ଼ରୁ ୧୫୯, ସୁନ୍ଦରଗଡ଼ରୁ ୨୨୫, ଝାରସୁଗୁଡାରୁ ୬୨ ଓ ବଲାଙ୍ଗୀରରୁ ୧୭୭ ଜଣ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି।

ସୂଚନାଥାଉକି, ୨୦୧୬ ମସିହାରୁ ରାଜ୍ୟ ସରକାର ୬୦ରୁ ୭୫ ବର୍ଷ ବୟସର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ସମ୍ବନ୍ଧିତ ଖବର